ଚେଙ୍କ ଚିକିତ୍ସା ଭରସା : କେନ୍ଦୁଝର ଜିଲ୍ଲାରେ ଡାକ୍ତରୀ ଚିକିତ୍ସା ଅଭାବରୁ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଚେଙ୍କ ଚିକିତ୍ସା ଉପରେ ନିର୍ଭର କରୁଛନ୍ତି ଲୋକେ

କେନ୍ଦୁଝର : କେନ୍ଦୁଝର ଜିଲ୍ଲାର ଡିଏମ୍‌ଏଫ୍‌ ଟ୍ରଷ୍ଟରେ ପାଖପାଖି ୩ ହଜାର କୋଟି ଟଙ୍କା ଗଛିତ ରହିଛି। ସେହି ଜିଲ୍ଲାର ଅଧିବାସୀ ଡାକ୍ତରୀ ଚିକିତ୍ସା ଅଭାବରୁ ଚେଙ୍କ ଚିକତ୍ସା ଉପରେ ନିର୍ଭର କରୁଛନ୍ତି। ଦୀର୍ଘ ୮ ବର୍ଷ ହେଲାଣି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକର ଫୁଲଝର ପ୍ରାଥମିକ ଚିକିତ୍ସାଳୟରେ ଡାକ୍ତର ନାହାନ୍ତି। ତେଣୁ ଏହି ଡାକ୍ତରଖାନା ଉପରେ ନିର୍ଭର କରୁଥିବା ଲୋକମାନେ ଚେଙ୍କ ଚିକିତ୍ସା କରିବାକୁ ବାଧ୍ୟ ହେଉଛନ୍ତି। ବାଂଶପାଳ ବ୍ଲକ ଫୁଲଝର ପଞ୍ଚାୟତ ଶଙ୍କାରୀ ଗ୍ରାମର ବିଧବା କୋକିଳ ଘଣା (୭୦)। ୩/୪ ଦିନ ପୂର୍ବେ ଗାଧାଉଥିଲାବେଳେ ତାଙ୍କ କାନରେ ପାଣି ପଶିଯାଇଥିଲା। ପାଣି ନ ବାହାରିବାରୁ କା‌ନ ବିନ୍ଧିଥିଲା। ଡାକ୍ତରଖାନାରେ ଡାକ୍ତର ନଥିବାରୁ ସେ ଚିକିତ୍ସା ପାଇନଥିଲେ। ତେଣୁ ଚେଙ୍କ ଚିକିତ୍ସାକୁ ଭରସା କରିଥିଲେ। ଯନ୍ତ୍ରଣାରୁ କିଟିଏ ଉପଶମ ପାଇବା ଆଶାରେ ଦୁଇ କାନ ମୂଳରେ ୪୦ରୁ ୫୦ଟି ଚେଙ୍କ ଦେଇଥିଲେ। ଯନ୍ତ୍ରଣା ଉପଶମ ହେବା ତ ଦୂରର କଥା ଫଳ ଓଲଟା ହେଲା। ଚେଙ୍କ ଦିଆଯାଇଥିବା ଜାଗା ଏବେ ଫୁଲି ପାଚିଯାଇଛି। ଅଧିକ ଯନ୍ତ୍ରଣା ହେଉଛି।

କୋକିଳଙ୍କୁ ଆମ ପ୍ରତିନିଧି ଏ ବିଷୟରେ ପଚାରିବାରୁ କହିଥିଲେ, ଗାଁ ନିକଟରେ ଚିକିତ୍ସା ବ୍ୟବସ୍ଥା କିଛି ନାହିଁ। ଯାହର ଦେହ ଖରାପ ହେଲେ ସେମାନେ ଚେଙ୍କ ଚିକିତ୍ସା କରନ୍ତି। ତେଣୁ ସେ ମଧ୍ୟ ଚେଙ୍କ ନେଇଛନ୍ତି ବୋଲି ପ୍ରକାଶ କରିଥିଲେ। ଶଙ୍କାରୀ ଗ୍ରାମରୁ ଫୁଲଝର ପ୍ରାଥମିକ ଚିକିତ୍ସାଳୟ ପାଖପାଖି ୧୦ କିଲୋମିଟର। ଏହି ଡାକ୍ତରଖାନାରେ ଡାକ୍ତର ନାହାନ୍ତି। ତେଣୁ କେହି ସେଠାକୁ ଯାଆନ୍ତି ନାହିଁ ବୋଲି ମଧ୍ୟ ସେ କହିଥିଲେ।

ପ୍ରକାଶ ଥାଉକି ଗତମାସ ୨୬ ତାରିଖରେ ଏହି ଗ୍ରାମର ନବମ ଶ୍ରେଣୀ ଛାତ୍ର ଡାକ୍ତର ମୁଣ୍ଡାଙ୍କୁ ସାପ କାମୁଡ଼ିବାରୁ ଗୁଣିଗାରେଡ଼ି କରାଯାଇଥିଲା। ଉପଯୁକ୍ତ ଚିକିତ୍ସା ନପାଇ ବିଷ ଜ୍ବାଳାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହା ଏକ ଦୁର୍ଗମ ଅଞ୍ଚଳ। ପୁଣି ଶିକ୍ଷା ବ୍ୟବସ୍ଥା ବି ଏଠାରେ ଭୁଶୁଡ଼ି ପଡ଼ିଛି। ପାଖରେ ଥିବା ଡାକ୍ତରଖାନାରେ ଡାକ୍ତର ବି ରହୁନାହାନ୍ତି। ଆଧୁନିକ ଚିକିତ୍ସା ନପାଇ ଲୋକେ ଅନ୍ଧବିଶ୍ବାସର ବଶବର୍ତ୍ତୀ ହେଉଛନ୍ତି। ଚେଙ୍କ, ଗୁଣିଗାରେଡ଼ି, ଝଡ଼ାଫୁଙ୍କା ଉପରେ ଅଧିକ ଭରସା କରୁଛନ୍ତି। ଏହାଦ୍ବାରା ବହୁ ଜୀବନ ଅକାଳରେ ଝଡ଼ିଯାଉଛି। ଏ ସଂପର୍କରେ ଗଣମାଧ୍ୟମରେ ବାରମ୍ବାର ପ୍ରକାଶ ପାଇବା ସତ୍ତ୍ବେ ଜିଲ୍ଲା ପ୍ରଶାସନର ନିଦ ଭାଙ୍ଗୁ ନାହିଁ। ଫଳସ୍ବରୂପ ବାରମ୍ବାର ଗୁଣିଗାରେଡ଼ି, ଚେଙ୍କ ଚିକିତ୍ସା ପରି ଘଟଣା ସାମନାକୁ ଆସୁଛି।

ସମ୍ବନ୍ଧିତ ଖବର