ଅନୁଗୁଳ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜଣେ ଜିଲ୍ଲା ପରିଷଦ ସଭ୍ୟାଙ୍କୁ ମାଡ଼ ମରାଯାଇଛି। ତାଳଚେରର ଏକ କୋଲ୍‌ ୱାସରିକୁ ନେଇ ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ଭିତରେ ବୈଠକ ଶେଷ ହେବା ପରେ ଜିଲ୍ଲାପାଳଙ୍କ ପ୍ରକୋଷ୍ଠ ଆଗରେ ତାଙ୍କୁ ଜଣେ ସପକ୍ଷବାଦୀ ଧକ୍କା ମାରିବା ସହ ଦୁର୍ବ୍ୟବହାର କରିଥିବ‌ା ଅଭିଯୋଗ ହୋଇଛି। ଏହାକୁ ନେଇ ସୋମବାର ଅପରାହ୍‌ଣରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉତ୍ତେଜନା ପ୍ରକାଶ ପାଇଥିଲାବେଳେ ଖୋଦ୍‌ ଜିଲ୍ଲାପାଳ ଏଥିରେ ହସ୍ତ‌କ୍ଷେପ କରିବା ପରେ ପରିସ୍ଥିତି ଥଣ୍ଡା ପଡ଼ିଥିଲା। ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ଉପସ୍ଥିତିରେ ଏହି ଘଟଣା ଘଟିଥିଲାବେଳେ ଏହାକୁ ନେଇ ଅନୁଗୁଳ ରାଜନୀତି ସରଗରମ ହୋଇଛି।

Advertisment

ତାଳଚେର ଘଣ୍ଟପଡ଼ା ନିକଟରେ ଏକ କୋଲ୍‌ ୱାସରିକୁ ନେଇ ଦୁଇ ଗୋ‌ଷ୍ଠୀ ଭିତରେ କିଛିଦିନ ହେଲା ବିବାଦ ଦେଖା ଦେଇଛି। ଏହି କୋଲ ୱାସରିକୁ ଗୋଟିଏ ଗୋଷ୍ଠୀ ସମର୍ଥନ କରୁଥିଲାବେଳେ ପ୍ରଦୂଷଣ କାରଣ ଦର୍ଶାଇ ଆଉ ଗୋଟିଏ ଗୋଷ୍ଠୀ ବିରୋଧ କରୁଛନ୍ତି। ଏପରିକି ଏହାକୁ ନେଇ ତାଳଚେରରେ ଅର୍ଥନୈତିକ ଅବରୋଧ କରାଯାଇଛି। ମାମଲା ଜଟିଳ ହେଉଥିଲାବେଳେ ଆଜି ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଏକ ତ୍ରିପାକ୍ଷିକ ବୈଠକ ବସିଥିଲା। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏହି ବୈଠକ ଶେଷ ହେବା ପରେ ଉଭୟ ଗୋଷ୍ଠୀ ପୁଣି ମୁହାଁମୁହିଁ ହୋଇଥିଲେ।

ଏହି ସମୟରେ ୨୧ ନମ୍ବର ଜୋନ୍‌ର ଜିଲ୍ଲା ପରିଷଦ ସଭ୍ୟା ସତ୍ୟଭାମା ସାହୁଙ୍କୁ ଜଣେ କୋଲ୍‌ ୱାସରି ସମର୍ଥକ ମାଡ଼ ମାରିବା ସହ ଗାଳିଗୁଲଜ କରିଥିଲେ। ଏହା ଦେଖି ବିପକ୍ଷବାଦୀ ତାତି ଯାଇଥିଲେ। ଉଭୟପକ୍ଷଙ୍କ ଭିତରେ ଧସ୍ତାଧସ୍ତି ଓ ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା। ତାଳଚେର ବିଧାୟକଙ୍କ ଉପସ୍ଥିତିରେ ଜିଲ୍ଲାପାଳଙ୍କ ପ୍ରକୋ‌ଷ୍ଠ ସମ୍ମୁଖରେ ଏମିତି ତୁମୁଳକାଣ୍ଡ ଚାଲିଥିଲାବେଳେ ପୂରା କାର୍ଯ୍ୟାଳୟ କମ୍ପିଥିଲା। ବିଧାୟକ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ କିଛି ଫଳ ମିଳି ନ ଥିଲା। ସ୍ଥିତି ବିଗିଡ଼ିବା ପୂର୍ବରୁ ଜିଲ୍ଲାପାଳ ଉଭୟ ପକ୍ଷଙ୍କୁ ବୁଝାସୁଝା କରିବା ପରେ ଉତ୍ତେଜନା ସାମାନ୍ୟ କମିଥିଲା। ତଥାପି କାର୍ଯ୍ୟାଳୟ ଭିତରେ ଦୁଇ ଗୋଷ୍ଠୀ ପରସ୍ପରକୁ ଗାଳିଗୁଲଜ କରିବା ସହ ଧମକଚମକ ଦେଉଥିଲେ। ଏହାକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ‌ରେ ଅଧା ଘଣ୍ଟା ଧରି ଅଭାବନୀୟ ପରିସ୍ଥିତି ଲାଗି ରହିଥିଲା।

ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ମଧ୍ୟ ଉଭୟ ଗୋଷ୍ଠୀଙ୍କ ଭିତରେ ଛକାପଞ୍ଝା ଲାଗି ରହିଥିଲା। ସପକ୍ଷବାଦୀ ଓ ବିପକ୍ଷବାଦୀ ପରସ୍ପର ବିରୋଧରେ ବିଷୋଦଗାର କରିଥିଲେ। ପରେ ଜିଲ୍ଲା ପରିଷଦ ସଭ୍ୟା ସତ୍ୟଭାମା ସାହୁ ଅନୁଗୁଳ ଥାନାରେ ଏଥିନେଇ ଅଭିଯୋଗ କରିଛନ୍ତି। ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ରାକେଶ ପ୍ରଧାନ ନାମକ ଜଣେ ଯୁବକ ତାଙ୍କୁ ମାରିଦେବା ଉଦ୍ଦେଶ୍ୟରେ ଆକ୍ରମଣ କରିଥିଲେ। ତାଙ୍କୁ ରକ୍ଷା କରିବା ପାଇଁ ଆସିଥିବା ରଂଜିତା ସାହୁଙ୍କୁ ସୁନୀଲ ବିଶ୍ବାଳ, ଅବିନାଶ ସାହୁ ଓ ଅଶୋକ ଦାସ ମାରପିଟ୍‌ କରିବା ସହ ଟଣାଓଟଣା କରିଥିଲେ। ପୁଲିସ ଅଭିଯୋଗର ତଦନ୍ତ ଆରମ୍ଭ କରିଥିଲାବେଳେ ଅପରପକ୍ଷରୁ ପାଲଟା ଅଭିଯୋଗ ଆସିଛି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ମାମଲା ରୁଜୁ ହୋଇ ନ ଥିଲାବେଳେ ପୁଲିସ ଉଭୟ ପକ୍ଷଙ୍କୁ ଡାକି ଆଲୋଚନା କରୁଛି।