ପିପିଲି: ପିପିଲି ଥାନା ଗୁଡ଼ିଆପୋଖରୀ ଛକ ନିକଟ କେଇସି କଲେଜ ସାମନାରେ ଥିବା ନିଶା ନିବାରଣ ସଂସ୍ଥା ‘ଦିଶା’ ଫାଉଣ୍ଡେସନ୍ରେ ଜଣେ ମାନସିକ ଅନଗ୍ରସର ଯୁବକଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ ଫାଉଣ୍ଡେସନ୍ର ୭ଜଣ କର୍ମଚାରୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ କଟକ ଜିଲ୍ଲା ଭଦ୍ରେଶ୍ବର ଥାନା ଅନ୍ତର୍ଗତ ଭଉଁରିଆ ଗ୍ରାମର ଇନ୍ଦ୍ରଜିତ ଦାସ (୨୭), କେନ୍ଦ୍ରାପଡ଼ା ସଦର ଥାନା ସାନଗାଁର ପ୍ରଦ୍ୟୁମ୍ନ ମହାରଣା (୪୨), କଟକ ଜିଲ୍ଲା ବାଙ୍କି ଥାନା ତାଳବସ୍ତ ଅଞ୍ଚଳର ମିଟୁ ବିହାରୀ (୪୩), ଦେବଗଡ଼ ଜିଲ୍ଲା ରିଆମାଳ ଥାନା କାଳିଆଖମାର ଗ୍ରାମର ତାପସ କୁମାର ସାହୁ (୩୯), ଜଗତସିଂହପୁର ଆଳିପିଙ୍ଗଳ ଥାନା ପୁରୋହିତପୁର ଅଞ୍ଚଳର ରତନ ତ୍ରିପାଠୀ (୩୪), ଭୁବନେଶ୍ବର ଏୟାରଫିଲ୍ଡ ଥାନା ସୁନ୍ଦରପଦା ଅଞ୍ଚଳର ପବିତ୍ର ଦାସ (୩୮) ଓ ବଡ଼ଗଡ଼ ବ୍ରିଟ୍ କଲୋନିର ରାହୁଲ ପାତ୍ର (୨୮)। ଏମାନେ ‘ଦିଶା’ ଫାଉଣ୍ଡେସନ୍ର କର୍ମଚାରୀ ଓ ଅନ୍ତେବାସୀ ବୋଲି ପୁଲିସ କହିଛି। କାର୍ଯ୍ୟାଳୟରୁ କମ୍ପ୍ୟୁଟର, ସିସି କ୍ୟାମେରା ହାର୍ଡଡିସ୍କ ସହିତ ଏକ ଭଙ୍ଗାଲାଠିକୁ ପୁଲିସ ଜବତ କରିଛି।
ଅଭିଯୋଗ ଅନୁସାରେ ଭୁବନେଶ୍ବର ଲକ୍ଷ୍ମୀସାଗର ଅଞ୍ଚଳର ନବକୃଷ୍ଣ ନାୟକଙ୍କ ୨୬ ବର୍ଷୀୟ ପୁଅ ଶୁଭାଶିଷ ମାନସିକ ଭାବେ ଅସୁସ୍ଥ ଥିବାରୁ ତାଙ୍କୁ ୨୦୨୪ ଡିସେମ୍ବର ୩ରେ ‘ଦିଶା’ ଫାଉଣ୍ଡେସନ୍ରେ ଛାଡ଼ିଥିଲେ। ଯୋଗ ଓ ପ୍ରାଣାୟାମ ଦ୍ବାରା ପୁଅକୁ ସମ୍ପୂର୍ଣ୍ଣ ସୁସ୍ଥ କରିଦେବେ ବୋଲି ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ପ୍ରତାପ କୁମାର ମହାନ୍ତି ପ୍ରତିଶ୍ରୁତି ଦେଇଥିଲେ। ତେବେ ପୁଅ ସୁସ୍ଥ ହେବା ପରିବର୍ତ୍ତେ ଶବ ହୋଇ ଫେରିଲା ବୋଲି କୋହଭରା କଣ୍ଠରେ ନବକୃଷ୍ଣ ଆଜି ଗଣମାଧ୍ୟମକୁ କହିଛନ୍ତି। ନବକୃଷ୍ଣଙ୍କ କହିବା ମୁତାବକ ସେ ଓ ତାଙ୍କ ପତ୍ନୀ ପ୍ରତିମାସରେ ପୁଅକୁ ଦେଖା କରିବାକୁ ଆସନ୍ତି। ମାର୍ଚ୍ଚ ୩ ତାରିଖରେ ମଧ୍ୟ ସେ ପୁଅକୁ ଦେଖା କରିଥିଲେ। ଦୁଇଦିନ ପରେ ଅର୍ଥାତ୍ ୫ ତାରିଖ ଅପରାହ୍ଣ ସାଢ଼େ ୩ଟାରେ ପୁଅର ବାନ୍ତି ହେଉଛି ଓ ପୁଅ ଏବେ କ୍ୟାପିଟାଲ୍ ହସ୍ପିଟାଲରେ ଅଛି ବୋଲି ସଂସ୍ଥାର ମୁଖ୍ୟ ଶ୍ରୀ ମହାନ୍ତି ନବକୃଷ୍ଣଙ୍କୁ ଫୋନ୍ କରି ଜଣାଇଥିଲେ। ୧୦ ମିନିଟ୍ ପରେ ପୁଅର ମୃତ୍ୟୁ ହୋଇଗଲା ବୋଲି ପୁଣି ଫୋନ୍ କରି ଶ୍ରୀ ମହାନ୍ତି ଜଣାଇଥିଲେ।
ନବକୃଷ୍ଣ ହସ୍ପିଟାଲ୍ରେ ପହଞ୍ଚିଲା ବେଳକୁ ପୁଅ ଶବ ଛାଡ଼ି ପ୍ରତାପ ମହାନ୍ତି ଫେରାର୍ ହୋଇ ଯାଇଥିଲେ। ତାଙ୍କ ପୁଅକୁ ପିଟିପିଟି ହତ୍ୟା କରାଯାଇଛି ବୋଲି ନବକୃଷ୍ଣ ଅଭିଯୋଗ କରିଛନ୍ତି। ଏ ନେଇ ପୁଲିସ ପକ୍ଷରୁ ଏକ ହତ୍ୟା ମାମଲା ରୁଜୁ ହୋଇଛି। ପୁରୀରୁ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଅନୁଯାୟୀ, ଶୁଭାଶିଷଙ୍କ ମୁଣ୍ଡକୁ କୌଣସି ଶକ୍ତ ବାଡ଼ିରେ ଆଘାତ କରାଯାଇଛି ଓ ତାଙ୍କ ଶରୀରରେ ଆଭ୍ୟନ୍ତରୀଣ କ୍ଷତ ରହିଛି। ଉଲ୍ଲେଖଯୋଗ୍ୟ ଯେ ୨୦୨୧ ମାର୍ଚ୍ଚ ୨ ତାରିଖରେ ବରଗଡ଼ (ଜିଲ୍ଲା) ଟାଉନ ଥାନାର ଗୋଲେଖ ବିହାରୀ ମଲ୍ଲିକଙ୍କ ବଡ଼ ପୁଅ ଗୌତମ ମଲ୍ଲିକ (୨୪)ଙ୍କୁ ଏହି କେନ୍ଦ୍ରରେ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ମାନସିକ ଅବସ୍ଥା ଠିକ୍ ନଥିବାରୁ ଗୌତମଙ୍କୁ ସେଠାରେ ଛଡ଼ାଯାଇଥିଲା। ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ସେତେବେଳେ ପୁଲିସ ୫ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା।