ଭୁବନେଶ୍ବର: ଇଲେକ୍ଟ୍ରିକ୍ ବସ୍ (ଇ-ବସ୍) ଚଳାଚଳରେ ଓଡ଼ିଶା ଦେଶରେ ପଞ୍ଚମ। କ୍ୟାପିଟାଲ୍ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (କ୍ରୁଟ୍) ପକ୍ଷରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହାୟତାରେ ବିଭିନ୍ନ ସହରାଞ୍ଚଳରେ ୪୫୦ଟି ଇ-ବସ୍ ଗଡ଼ୁଛି। କିନ୍ତୁ ବିଡ଼ମ୍ବନାର ବିଷୟ ଓଡ଼ିଶାରେ ଗୋଟିଏ ବି ଘରୋଇ ସଂସ୍ଥା କିମ୍ବା ବ୍ୟକ୍ତିଙ୍କ ଦ୍ବାରା ଇ-ବସ୍ ଚଳାଚଳ କରୁନି। ରାଜ୍ୟରେ ଏବେ ୧୫ହଜାରରୁ ଅଧିକ ଯାତ୍ରୀବାହୀ ବସ୍ ଯାତାୟତ କରୁଥିବାବେଳେ କାହିଁକି ଗୋଟିଏ ବି ଘରୋଇ ଇ-ବସ୍ ଚଳାଚଳ କରିପାରୁନି ତାହା ଏବେ ବଡ଼ ପ୍ରଶ୍ନ ଭାବେ ଉଭା ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟରେ ଇ-ବସ୍ ଚଳାଚଳ ନ କରିବାର ବଡ଼ କାରଣ ହେଉଛି ଗାଡ଼ିର ଦାମ୍ ବହୁତ ଅଧିକ। ସରକାର ଇ-ବସ୍ କିଣିବାକୁ ସବ୍ସିଡି ବ୍ୟବସ୍ଥା କରିଥିଲେ ବି ଗାଡ଼ିର ଦାମ୍ ତୁଳନାରେ ଏହା ଯଥେଷ୍ଟ ନୁହେଁ। ଏପରିକି ବସ୍ ଯେଉଁ ରୁଟ୍ରେ ଚଳାଚଳ କରୁଛି ସବୁଠି ଚାର୍ଜିଂ ଷ୍ଟେସନ୍ ନାହିଁ। ଏବେ ଚାଲୁଥିବା ଡିଜେଲ୍ ବସ୍ ତୁଳନାରେ ଅଧିକ କିଛି ରିହାତି ମିଳୁ ନ ଥିବାରୁ ପ୍ରାୟ ଦେଢ଼ ଗୁଣା ଅଧିକ ଟଙ୍କା ଦେଇ କୌଣସି ବ୍ୟକ୍ତି କି ସଂସ୍ଥା ଇ-ବସ୍ କିଣିବାକୁ ଆଗ୍ରହ ଦେଖାଉ ନାହାନ୍ତି। ସାରା ଦେଶରେ ୧୪୨୩୯ଟି ଇ-ବସ୍ ଚଳାଚଳ କରୁଥିବାବେଳେ ଓଡ଼ିଶା ତୁଳନାରେ ସବୁଠୁ ଅଧିକ ଇ-ବସ୍ ଏବେ ଦିଲ୍ଲୀ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ ଓ କର୍ଣ୍ଣାଟକରେ ଚାଲୁଛି। ଦିଲ୍ଲୀରେ ଓଡ଼ିଶା ତୁଳନାରେ ପ୍ରାୟ ୮ଗୁଣା ଅଧିକ ୩୫୬୪ଟି ଇ-ବସ୍, ମହାରାଷ୍ଟ୍ରରେ ଓଡ଼ିଶା ଠାରୁ ୭.୩ଗୁଣା ଅଧିକ ୩୨୯୬ଟି, କର୍ଣ୍ଣାଟକରେ ୫ଗୁଣା ଅଧିକ ୨୨୩୬ଟି, ଉତ୍ତରପ୍ରଦେଶରେ ୮୫୦ଟି ଇ-ବସ୍ ଚାଲୁଛି। ଏହି ୪ଟି ରାଜ୍ୟରେ ଅଧିକ ଇ-ବସ୍ ଚାଲିବାର ବଡ଼ କାରଣ ହେଉଛି ସେଠାରେ ସରକାରଙ୍କ ଉଦ୍ୟମରେ ଅଧିକ ଇ-ବସ୍ ଚାଲୁଥିବା ବେଳେ ଘରୋଇ ସଂସ୍ଥା ଓ ବ୍ୟକ୍ତିଗତ ଉଦ୍ୟମରେ ଯେପରି ଅଧିକ ଇ-ବସ୍ ଚାଲିବ ସେଥିପାଇଁ ଅଧିକ ସବ୍ସିଡି, ଚାର୍ଜିଂ ଷ୍ଟେସନ୍ ଭିତ୍ତିଭୂମି ଉପଲବ୍ଧ କରାଯାଇଛି।
ଯେପରି ଦିଲ୍ଲୀରେ ଇ-ବସ୍ ଉପରେ ୨୦ରୁ ୩୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ଦିଆଯାଉଛି। ଉତ୍ତରପ୍ରଦେଶରେ ଗାଡ଼ିର ମୂଲ୍ୟ ଉପରେ ୧୫% ପର୍ଯ୍ୟନ୍ତ ସବ୍ସିଡି, ସର୍ବାଧିକ ୨୦ଲକ୍ଷ ଟଙ୍କା ଦିଆଯାଉଛି।
ମହାରାଷ୍ଟ୍ରରେ ଇ-ବସ୍ ଉପରେ ୧୦% ରିହାତି ଦିଆଯାଉଥିଲେ ହେଁ ଏହା ୨୦ରୁ ୩୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହୁଛି। ଏହାସହ ରୋଡ୍ ଟିକସ, ରେଜିଷ୍ଟ୍ରେସନ୍ ଫି’ ସମ୍ପୂର୍ଣ୍ଣ ଛାଡ଼। ଚାର୍ଜିଂରେ ଯେପରି କିଛି ସମସ୍ୟା ହେବନି ସେଥିପାଇଁ ପ୍ରତି ୨୫କିମି ବ୍ୟବଧାନରେ ଇଭି ଚାର୍ଜିଂ ବ୍ୟବସ୍ଥା, ୧୫୦୦ରୁ ଅଧିକ ଫାଷ୍ଟ ଚାର୍ଜିଂ ଭିତ୍ତିଭୂମି, ପ୍ରମୁଖ ରାଜପଥରେ ଟୋଲ୍ ଫି’ ସଂପୂର୍ଣ୍ଣ ଛାଡ଼ ଥିବାବେଳେ ବାକି ଟୋଲ୍ଗେଟ୍ରେ ୫୦% ପର୍ଯ୍ୟନ୍ତ ଫି’ ଛାଡ଼ ରହୁଛି। ଏହଭିଳି ସୁବିଧା ମିଳୁଥିବାରୁ ବିଭିନ୍ନ ଘରୋଇ ସଂସ୍ଥା ଯଥା ନ୍ୟୁଗୋ, ଜିଙ୍ଗ୍ବସ୍, ଫ୍ରେସ୍ ବସ୍, ଇଟୋ ମୋଟୋର୍ସ ଭଳି ସଂସ୍ଥା ଏବେ ଦିଲ୍ଲୀ, ମୁମ୍ବାଇ, କର୍ଣ୍ଣାଟକ, ଉତ୍ତରପ୍ରଦେଶରେ ବିଭିନ୍ନ ରୁଟ୍ରେ କମ୍ ଭଡ଼ାରେ ଇ-ବସ୍ ଚଳାଚଳ କରୁଛନ୍ତି। କିନ୍ତୁ ଓଡ଼ିଶାରେ ସବ୍ସିଡି ତୁଳନାତ୍ମକ ଭାବେ କମ୍, ଚାର୍ଜିଂ ଭିତ୍ତିଭୂମିର ଅଭାବ, ବ୍ୟାଟେରି ସ୍ବାପିଂ ଷ୍ଟେସନ ଅଭାବ, ବିଭିନ୍ନ ଟିକସ ଛାଡ଼ ହେଉନଥିବାରୁ ଇ-ବସ୍ ଚଳାଉଥିବା ସଂସ୍ଥା ଓଡ଼ିଶାମୁହାଁ ହେଉନାହାନ୍ତି।
ସରକାର ଚଳାଉଛନ୍ତି ୪୫୦, ଘରୋଇ ବସ୍ ଶୂନ
ସବ୍ସିଡି, ଚାର୍ଜିଂ ଭିତ୍ତିଭୂମି ଅଧିକ ନ ଥିବାରୁ ପଛଘୁଞ୍ଚା
ମହାରାଷ୍ଟ୍ର ଓ ଦିଲ୍ଲୀରେ ୩୫ ଲକ୍ଷ, ଓଡ଼ିଶାରେ ସର୍ବାଧିକ ୨୦ଲକ୍ଷ ପର୍ଯ୍ୟନ୍ତ ସବ୍ସିଡି
ଓଡ଼ିଶାରେ ଇ-ବସ୍ କମ୍ ଚଳାଚଳ କରିବା ଏବଂ ଘରୋଇ ସଂସ୍ଥା ଏହାକୁ କିଣିବା ନେଇ ଆଗ୍ରହ ନ ଦେଖାଇବା ବିଷୟରେ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ କହିଛି ଯେ ଏବେ ଗୋଟେ ଇ-ବସ୍କୁ ପ୍ରାୟ ଦୁଇ କୋଟି ଟଙ୍କା ପଡ଼ୁଛି। କିନ୍ତୁ ସରକାର ଗାଡ଼ିର ମୂଲ୍ୟ ଉପରେ ୧୦% ସବ୍ସିଡି ଦେଉଛନ୍ତି। ତାହା ପୁଣି ସର୍ବାଧିକ ୨୦ଲକ୍ଷ ଟଙ୍କାରେ ସୀମିତ। ଏବେ ଗୋଟିଏ ଡିଜେଲ୍ ବସ୍ ଆଣିବାକୁ ୧୦ରୁ ୧୫ଲକ୍ଷ ଟଙ୍କା ଦେଲେ ଫାଇନାନ୍ସ ମିଳିଯାଉଛି। କିନ୍ତୁ ଇ-ବସ୍ କିଣିବାକୁ ଅତି କମ୍ରେ ୬୦ରୁ ୭୦ଲକ୍ଷ ଟଙ୍କା ଡାଉନପେମେଣ୍ଟ ଦରକାର। କୋଟିଏ ଟଙ୍କାରୁ ଅଧିକ ଋଣ କରି ବସ୍ ଚଲାଇଲେ କେତେ ଟଙ୍କା ପାଇବୁ ଯେ ଋଣ ସୁଝିବୁ। ଯଦି ସରକାର ଗାଡ଼ି ପଞ୍ଜୀକରଣ, ଟିକସ, ଟୋଲ୍ ଭଡ଼ା, ୪୦ରୁ ୫୦ଲକ୍ଷ ପର୍ଯ୍ୟନ୍ତ ସବ୍ସିଡି ଦେବେ ଏବଂ ପ୍ରତି ୨୦ରୁ ୩୦କିମିରେ ଚାର୍ଜିଂ ଷ୍ଟେସନ୍ କରିବେ ତେବେ ଗାଡ଼ି କିଣିବାକୁ ବସ୍ ମାଲିକମାନେ ସାହାସ କରିବେ।
ସେହିପରି ଏସ୍ଟିଏର ଜଣେ ଅଧିକାରୀ କହିଛନ୍ତି ଯେ, ଦେଶର କେତୋଟି ରାଜ୍ୟରେ ଘରୋଇ ସଂସ୍ଥା/ବ୍ୟକ୍ତିଙ୍କ ଦ୍ବାରା ବହୁତ କମ୍ ଇ-ବସ୍ ଚଳାଚଳ କରୁଛି। ସବୁଠି ପ୍ରାୟ ସରକାରଙ୍କ ଉଦ୍ୟମରେ ବା ପିପିପି ମୋଡ଼ରେ ଇ-ବସ୍ ଚାଲୁଛି। ଭାରତରେ ଇ-ଯାନ ପାଇଁ ବ୍ୟାଟେରି ଉତ୍ପାଦନ ହେଲେ ଗାଡ଼ି ଦାମ୍ କମିବ। ଓଡ଼ିଶାରେ ଅନ୍ୟ ରାଜ୍ୟ ଭଳି ଇ-ବସ୍ ଉପରେ ଗାଡ଼ି ମୂଲ୍ୟର ୧୦%, ସର୍ବାଧିକ ୨୦ଲକ୍ଷ ଟଙ୍କା ସବ୍ସିଡି ଦିଆଯାଉଥିଲା। କିନ୍ତୁ ଏବେ ଗାଡ଼ିର ମୂଲ୍ୟ ଉପରେ ୧୫% କିମ୍ବା ସର୍ବାଧିକ ୨୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ଦେବାକୁ ନୂଆ ଇଭି ନୀତିରେ ଯୋଜନା ହୋଇଛି। ଏନେଇ ଚିଠା ନୀତି ପ୍ରକାଶ ପାଇଛି। ଇ-ବସ୍ କିଣିଲେ କେତେ ଟଙ୍କା ସବ୍ସିଡି ଦରକାର, କ’ଣ ସୁବିଧା ଦରକାର ସେନେଇ କୌଣସି ବ୍ୟକ୍ତି କି ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ କେବେ କେହି ଆଲୋଚନା କରିନାହାନ୍ତି। ଆମର ଯେତିକି ବଜେଟ୍ ଅଛି ସେହି ଅନୁଯାୟୀ ଯୋଜନା କରାଯାଇଛି। ଆମେ ନୂଆ ଇଭି ନୀତିରେ ୫ବର୍ଷରେ ୧୫୦୦ ଇ-ବସ୍ ପାଇଁ ସବ୍ସିଡି ଦେବାକୁ ଯୋଜନା କରିଛୁ। ଏହାସହ ସମସ୍ତ ଓଏସ୍ଆର୍ଟିସି ବସ୍ଷ୍ଟାଣ୍ଡ, ପେଟ୍ରୋଲ୍ ପମ୍ପ ଏବଂ ରାସ୍ତା କଡ଼ରେ ଚାର୍ଜିଂ ଷ୍ଟେସନ୍ କରିବାକୁ ଯୋଜନା କରିଛୁ। ବିଭିନ୍ନ ଟିକସ ମଧ୍ୟ ଛାଡ଼ ହେବ। ଆଗାମୀ ଦିନରେ ଏହା ଘରୋଇ ବସ୍ ମାଲିକଙ୍କୁ ନିଶ୍ଚିତ ଆକର୍ଷିତ କରିବ।