ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ହାଇକୋର୍ଟରେ ଖାରଜ, ସିଲ୍‌ ରେଷ୍ଟୁରାଣ୍ଟକୁ ଖୋଲିଲେ ପୌର କର୍ମଚାରୀ

ଯାଜପୁରସଦର : ମୁଣ୍ଡ ନୁଆଁଇଲା ଜିଲ୍ଲା ପ୍ରଶାସନ ଓ ଯାଜପୁର ପୌରପାଳିକା। ୧୫ ଦିନ ତଳେ ପ୍ରଶାସନ ଯେଉଁ ଘର ଓ ଦୁଇ ବ୍ୟବସାୟ ପ୍ରତିଷ୍ଠାନକୁ ୨ ଘଣ୍ଟା କସରତ କରି ସିଲ୍‌ କରିଥିଲା, ହାଇକୋର୍ଟ ନିର୍ଦେଶରେ ଆଜି ତାକୁ ଖୋଲିବାକୁ ବାଧ୍ୟ ହୋଇଛି। ଅନ୍ୟପଟେ ଜିଲ୍ଲାପାଳଙ୍କ ନିର୍ଦେଶକୁ ମଧ୍ୟ ହାଇକୋର୍ଟ ଖାରଜ କରିଛନ୍ତି। ଏଥିସହ ସଂପୃକ୍ତ ମହିଳାଙ୍କୁ ଟ୍ରେଡ୍‌ ଲାଇସେନ୍ସ ଯୋଗାଇଦେବାକୁ ମଧ୍ୟ ନିର୍ଦେଶ ଦିଆଯାଇଛି। ସ୍ବାଭାବିକ ଭାବେ ଏବେ ପ୍ରଶାସନର ଏଭଳି ତରବରିଆ ‘ସିଲ୍‌ କରିବା’ ପଦକ୍ଷେପକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଘର ମାଲିକ ଓ ସ୍ଥାନୀୟ ଲୋକେ। ଯାଜପୁର ସହରର କୁସୁମା ସମ୍ମୁଖରେ ଏକ ବ୍ୟାବସାୟିକ ପ୍ରତିଷ୍ଠାନ ସହ ଆବାସିକ ଗୃହକୁ ବନ୍ଦ କରିବା ସହ ଏହାକୁ ଭାଙ୍ଗିବାକୁ ଉଦ୍ୟମ କରାଯାଇଥିଲା। ନିକଟରେ ପ୍ରଶାସନିକ ଭବନ ନିର୍ମାଣ ଆରମ୍ଭ ହୋଇଥିବାରୁ ଏହି ୩ ମହଲା ଗୃହକୁ ଯେନତେନ ପ୍ରକାରେ ଅକ୍ତିଆର କରିବାକୁ ପୌର ପ୍ରଶାସନ ଗତ ୧୫ ତାରିଖରେ ଉଦ୍ୟମ କରିଥିଲା। ପୁଲିସ ଫୋର୍ସ ଉପସ୍ଥିତିରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଧରି ଘରକୁ ସିଲ୍ କରାଯାଇଥିଲା।

ଏହି ଘରଟି କୋ‌ରେସା ବିବିଙ୍କୀ। ନିଜ ନାମରେ ଥିବା ପ୍ଲଟରେ ସେ ୨୦୦୪ ରେ ପୌରପାଳିକା ଅନୁମତିକ୍ରମେ ବ୍ୟସାୟିକ ପ୍ରତିଷ୍ଠାନ ପାଇଁ ଏକ ଗୃହ ନିର୍ମାଣ କରିଥିଲେ। ସେଠା‌ରେ ନିଜର ‌ଏକ ରେଷ୍ଟୁରାଣ୍ଟ ସହ ତଳ ମହଲାରେ ପିଜା ଦୋକାନ ଭଡ଼ାରେ ଚଳାଇଥିଲେ। ଏହି ଜମି ପ୍ରଶାସନର ଆବଶ୍ୟକ ହେଉଥିବାରୁ ମହିଳାଙ୍କୁ ଅଳ୍ପକିଛି ମୂଲ୍ୟଦେଇ ଜମି ଦେବାକୁ ବାଧ୍ୟ କରିଥିବା ଅଭିଯୋଗ ହୋଇଥିଲା। ସେ ଏଥିରେ ଅରାଜି ହେବା ସହ ଜମି ଅଧିଗ୍ରହଣ ଜରିଆରେ ମୂଲ୍ୟ ଦେବାକୁ କୋର୍ଟର ଦ୍ବାରସ୍ଥ ହୋଇଥିଲେ। ଅନ୍ୟପଟେ ଜିଲ୍ଲାପାଳ ନିଜ କ୍ଷମତାକୁ ବ୍ୟବହାର କରି ଏହି ରେସ୍ତୋରାଁର ଟ୍ରେଡ ଲାଇସେନ୍ସ ନଥିବା ଆଳରେ ଘରକୁ ସିଲ୍‌ କରିଥିଲେ। ଯଦିଓ ପୂର୍ବରୁ ମହିଳାଜଣକ ଏହି ଅନୁମତି ପାଇଁ ଆବେଦନ କରିଥିଲେ ଏବଂ ପୌରପାଳିକା ତାକୁ ଅଗ୍ରାହ୍ୟ କରି ଦେଇଥିଲା। ତେଣୁ ସବୁ ପ୍ରମାଣ ସହ ସେ ପୁନଃ କୋର୍ଟରେ ଦ୍ବାରସ୍ଥ ହୋଇଥିଲେ। କୋର୍ଟ ପକ୍ଷରୁ ଗତ ୨୮ ତାରିଖରେ ସିଲ୍‌ ରେସ୍ତୋରାଁକୁ ଖୋଲିବାକୁ ନିର୍ଦେଶ ଆସିବାରୁ ଆଜି ପୌର କର୍ମଚାରୀ ପହଞ୍ଚି ଘର ଖୋଲି ଦେଇଛନ୍ତି।

ଏନେଇ ଘର ମାଲିକ କୋରେସା ବିବି କହିଛନ୍ତି, ପ୍ରଶାସନ ମୋତ‌େ ଚାପ ପକାଇ ହଇରାଣ କରି ମୋର ଘର ଓ ସମ୍ପତ୍ତିକୁ ଶାଗମାଛ ମୂଲ୍ୟରେ କିଣି ନେବାକୁ ଉଦ୍ୟମ କରୁଥିଲା। ମାନ୍ୟବର ‌ହାଇକୋର୍ଟ ମୋତେ ନ୍ୟାୟ ଦେଇଛନ୍ତି। ଏନେଇ ପୌରନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ କହିଛନ୍ତି, ମହିଳାଙ୍କ ଆବେଦନ ଅନୁସାରେ କୋର୍ଟ ଜିଲ୍ଲାପାଳଙ୍କ ନିର୍ଦେଶକୁ ଅମାନ୍ୟ କରି ଉକ୍ତ ସିଲ‌୍ ଘର ଖୋଲିବାକୁ ନିର୍ଦେଶ ଦେଇଥିଲେ। ପୌରପାଳିକା ପକ୍ଷରୁ ସଂପୃକ୍ତ ମହିଳାଙ୍କୁ ଡକାଇ ଶୁଣାଣି କରି ‌୧୦ ଦିନ ମଧ୍ୟରେ ଟ୍ରେଡ୍‌ ଲାଇସେନ୍ସ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର