ଭୁବନେଶ୍ବର: ଚଳିତ ବର୍ଷ ରଥଯାତ୍ରାର ବିଭ୍ରାଟକୁ ନେଇ ଆଜି ବିଧାନସଭାରେ ସରଗରମ ଆଲୋଚନା ହୋଇଛି। ବିରୋଧୀ-ଶାସକ ମୁହାଁମୁହିଁ ହୋଇଛନ୍ତି। ଆଡ଼ପମଣ୍ଡପକୁ ବଡ଼ ଠାକୁରଙ୍କ ପହଣ୍ଡି ବେଳେ ଅଘଟଣ ଠାରୁ ଆରମ୍ଭ କରି ଦଳାଚକଟା, ଟ୍ରାଫିକ୍ ଅବ୍ୟବସ୍ଥା, ନୀତିକାନ୍ତିରେ ଅବହେଳା, ଅବଢ଼ା ନଷ୍ଟ ଆଦି ପ୍ରସଙ୍ଗ ଉଠାଇ ସରକାରଙ୍କୁ ବିରୋଧୀ ଟାର୍ଗେଟ୍ କରିଥିଲେ। କିନ୍ତୁ ସବୁ ଅଭିଯୋଗକୁ ବାଏଁ ବାଏଁ ଉଡ଼ାଇ ଦେଇଥିଲେ ଆଇନ ମନ୍ତ୍ରୀ। ସବୁ ଶୃଙ୍ଖଳିତ ଭାବେ ସୁରୁଖୁରୁରେ ହୋଇଛି, କିଛି ବି ଅଘଟଣ ଘଟିନି ବୋଲି ମନ୍ତ୍ରୀ ଜୋର୍ ଦେଇଥିଲେ। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ଆଣିଥିବା ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା। ପ୍ରସ୍ତାବର ଶୀର୍ଷକ ଥିଲା ‘ଚଳିତ ୨୦୨୪ ପୁରୀ ରଥଯାତ୍ରାରେ ନୀତିରେ ମହାବିଭ୍ରାଟ, ସରକାର ନୀରବଦ୍ରଷ୍ଟା’। ଆଲୋଚନା ଆରମ୍ଭ କରି ଶ୍ରୀ କାଡ଼ାମ କହିଥିଲେ, ସରକାର ଆସୁ ଆସୁ ଅଘଟଣ ଘଟିଥିଲା। ଏହା ଏକ ସତର୍କ ଘଣ୍ଟି। କିନ୍ତୁ ମନ୍ତ୍ରୀ କହିଲେ ଏହା ଭଗବାନଙ୍କ ଲୀଳା। ଏମିତି କହି ସରକାର ଦାୟିତ୍ବରୁ ଖସିପାରିବେ ନାହିଁ। କଂଗ୍ରେସ ସଭ୍ୟ ଅଶୋକ ଦାସ କହିଲେ, ରଥଯାତ୍ରା ପରିଚାଳନାରେ ତ୍ରୁଟି ରହିଛି ବୋଲି ସରକାର ମାନନ୍ତୁ। ବଡ଼ ଠାକୁର ପଡ଼ିଯିବା ମହାବିଭ୍ରାଟ। ବିଶ୍ବର ଜଗନ୍ନାଥପ୍ରେମୀଙ୍କୁ ଏହା ବ୍ୟଥିତ କରିଛି। ତ୍ରୁଟିକୁ ଲୁଚାଇଲେ ହେବନି। ବରଂ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ।
ବିରୋଧୀଙ୍କ ଅଭିଯୋଗ, ଶୃଙ୍ଖଳିତ ରଥଯାତ୍ରା କରିବାରେ ସରକାର ବିଫଳ
ପୁରୁଣା କଥା ମନେପକାଇ ବିଜେଡିକୁ ଘେରିଲେ ଶାସକ ଦଳ
ବିରୋଧୀ ଅସହିଷ୍ଣୁ ହୋଇ ମିଥ୍ୟା ଅଭିଯୋଗ ଆଣୁଛନ୍ତି: ଆଇନ ମନ୍ତ୍ରୀ
ବିଜେଡି ସଭ୍ୟ ବ୍ୟୋମକେଶ ରାୟ କହିଲେ, ରଥଯାତ୍ରାରେ ଏତେ ବିଭ୍ରାଟ ହେଲା ପରେ ବି ରାଜ୍ୟ ବିଜେପି ଶୃଙ୍ଖଳାର ସହ ରଥଯାତ୍ରା ସମାପନ ପାଇଁ ଲୋକଙ୍କୁ ଧନ୍ୟବାଦ ଜଣାଉଛି। ସେଠି ସରକାର ରଥଯାତ୍ରାର ଦାୟିତ୍ବ ନେଇଥିଲେ ନା ବିଜେପି? ରଥ ଉପରେ ଯେଉଁ ଅଣସେବାୟତ ଚଢ଼ି ଫଟୋ ଉଠାଇଥିଲେ ସେମାନେ ମନ୍ତ୍ରୀଙ୍କ ପାଖ ଲୋକ। ଯେତେବେଳେ ଆଡ଼ପ ମଣ୍ଡପରେ ବଡ଼ ଠାକୁରଙ୍କ ପହଣ୍ଡି ବେଳେ ଅଘଟଣ ଘଟିଲା, ସେତେବେଳେ ସରକାରଙ୍କ ତରଫରୁ କେହି ନଥିଲେ। ପ୍ରଭୁଙ୍କ ଲୀଳା କହି ଆଇନ ମନ୍ତ୍ରୀ ଶ୍ରଦ୍ଧାଳୁଙ୍କୁ ଆଘାତ ଦେଇଛନ୍ତି। ରଥଯାତ୍ରା ସମୟରେ ଟ୍ରାଫିକ୍ ବିପର୍ଯ୍ୟସ୍ତ ହୋଇପଡ଼ିଥିଲା। ନୀତି ବିଳମ୍ବ ଯୋଗୁ ହଜାର ହଜାର ଲୋକଙ୍କ ଅବଢ଼ା ନଷ୍ଟ ହେଲା। ଏହା ସତ୍ୟ କି ନାହିଁ? ବିଜେଡି ସଭ୍ୟ ଦେବୀ ରଞ୍ଜନ ତ୍ରିପାଠୀ କହିଲେ, ରଥଯାତ୍ରା ବେଳେ ପୁଲିସ୍ ଲାଠି ଚାର୍ଜ କରିଛି। ବଡ଼ ଠାକୁର ପଡ଼ିଯିବା ଦ୍ବାରା ସାରା ଓଡ଼ିଶା ଲଜ୍ଜିତ ହୋଇଛି। ଓଡ଼ିଆ ଅସ୍ମିତାର ଡିଣ୍ଡିମ ପିଟୁଥିବା ସରକାର ନିଜ ଦାୟିତ୍ବ ଖସାଇପାରିବେ ନାହିଁ। ବିଧାୟକ ଧ୍ରୁବ ଚରଣ ସାହୁ କହିଥିଲେ, ରଥଯାତ୍ରାରେ ସମସ୍ତ ଏସ୍ଓପିକୁ ଅଣଦେଖା କରାଯାଇଛି। ସରକାର ତ୍ରୁଟିକୁ ନଲୁଚାଇ ମାନନ୍ତୁ।
ଶାସକ ଦଳ ସଭ୍ୟମାନେ ବିରୋଧୀଙ୍କ ଯୁକ୍ତିକୁ ଗ୍ରହଣ କରି ନଥିଲେ। ଏଥର ରଥଯାତ୍ରା ସବୁଠାରୁ ଶୃଙ୍ଖଳିତ ହୋଇଛି ବୋଲି ଯୁକ୍ତି ବାଢ଼ିଥିଲେ। ବିଜେଡି ସରକାର ସମୟରେ ହୋଇଥିବା ଅବ୍ୟବସ୍ଥାକୁ ମନେ ପକାଇ ସେମାନଙ୍କୁ ଟାର୍ଗେଟ୍ କରିଥିଲେ। ସେମାନେ କହିଥିଲେ ଯେ ବ୍ରହ୍ମବିଭ୍ରାଟ କାହା ସମୟରେ ହୋଇଥିଲା? ୨୪ ବର୍ଷ ହେଲା ସେମାନେ ଜଗନ୍ନାଥଙ୍କ ନାଁରେ ରାଜନୀତି କରୁଥିଲେ। ଠାକୁରଙ୍କୁ ଅଟୋ, ଟ୍ରଲିରେ ଗାଁ ଗାଁ ବୁଲାଉଥିଲେ। ଅର୍ପଣ ରଥ ବୁଲାଇ କର୍ମୀମାନେ ଟଙ୍କା ଖାଇଗଲେ। ସେହି ପଇସାରେ ମଦ ପିଇଲେ। ଲୋକଙ୍କ ଭାବାବେଗ ସହ ଖେଳୁଥିଲେ ବୋଲି ତାହାର ପରିଣାମ ଭୋଗୁଛନ୍ତି। ଶାସକ ଦଳ ପକ୍ଷରୁ ଟଙ୍କଧର ତ୍ରିପାଠୀ, ଆଶ୍ରିତ ପଟ୍ଟନାୟକ, ଓମ୍ ପ୍ରକାଶ ମିଶ୍ର ଓ ସନାତନ ବିଜୁଳି ଆଲୋଚନାରେ ଭାଗ ନେଇଥିଲେ।
ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଆଲୋଚନାର ଉତ୍ତର ରଖିଥିଲେ। କିନ୍ତୁ ବିରୋଧୀ ଉଠାଇଥିବା ନିର୍ଦ୍ଦିଷ୍ଟ ଅଭିଯୋଗକୁ ସେ ଏଡ଼ାଇ ଯାଇଥିଲେ। ମନ୍ତ୍ରୀ କହିଥିଲେ, ବିରୋଧୀ ମିଥ୍ୟା ଅଭିଯୋଗ କରୁଛନ୍ତି। ନୀତିରେ କୌଣସି ଅସୁବିଧା ହୋଇନି। କୌଣସି ନୀତିକାନ୍ତି ବନ୍ଦ ହୋଇନି। ଗଣମାଧ୍ୟମରେ ବଡ଼ ଠାକୁରଙ୍କ ବାଡ଼ଗ୍ରାହୀ ଦେଇଥିବା ମନ୍ତବ୍ୟ ତାଙ୍କର ବ୍ୟକ୍ତିଗତ। ୭ ତାରିଖରେ ଶ୍ରୀଗୁଣ୍ଡିଚାର ଦିନ ସେବାୟତ ନିଯୋଗମାନଙ୍କର ସମ୍ପୂର୍ଣ୍ଣ ସହାୟତା ଦ୍ବାରା ମହାପ୍ରଭୁଙ୍କ କରୁଣାରୁ ଅତ୍ୟନ୍ତ ଶୃଙ୍ଖଳିତ ରଥଯାତ୍ରା ଅନୁଷ୍ଠିତ ହେଲା। ପରବର୍ତ୍ତୀ ସମୟରେ ଆଡ଼ପ ମଣ୍ଡପ ଦର୍ଶନ ଠାରୁ ଆରମ୍ଭ କରି ବାହୁଡ଼ା ଯାତ୍ରା, ସୁନାବେଶ ଓ ନୀଳାଦ୍ରି ବିଜେ ପର୍ପ୍ୟନ୍ତ ପ୍ରତ୍ୟେକ ନୀତି ଅତ୍ୟନ୍ତ ଶୃଙ୍ଖଳିତ ହୋଇଛି। ରଥଯାତ୍ରା ବେଳେ ଦଳାଚକଟା ହୋଇନି। ଯେଉଁ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି, ତାହା ହୃଦ୍ଘାତ ଯୋଗୁ ହୋଇଛି। ବିରୋଧୀଙ୍କୁ ଟାର୍ଗେଟ୍ କରି ମନ୍ତ୍ରୀ କହିଥିଲେ, ବିଜେଡିକୁ ଯେଉଁ ବ୍ୟକ୍ତି ଚଳାଉଥିଲେ ସେ ଯେତେବେଳେ ସକାଳୁ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଯାଉଥିଲେ ସେତେବେଳେ ଦ୍ବାରଫିଟା ନୀତି ଅଧ ଘଣ୍ଟା ଘୁଞ୍ଚାଇ ଦିଆଯାଉଥିଲା। ୨୦୨୦ରେ ରଥଯାତ୍ରା ବନ୍ଦ କରିବାକୁ କିଏ ସୁପ୍ରିମକୋର୍ଟ ଯାଇଥିଲେ? ବିରୋଧୀ ଦଳ ଅସହିଷ୍ଣୁ ହୋଇ ମିଥ୍ୟା ଆରୋପ ଲଗାଉଛନ୍ତି।