ବିଦ୍ୟୁତ ଦର ବୃଦ୍ଧିକୁ ବଳବତ୍ତର ରଖିଲେ ଓଇଆରସି, କମିସନ୍‌ରେ ରିଭ୍ୟୁ ପିଟିସନ୍‌କୁ ଖାରଜ

ଭୁବନେଶ୍ବର : କରୋନା କାଳରେ ରାଜ୍ୟରେ ବିଦ୍ୟୁତ ଦର ବୃଦ୍ଧି ବିରୋଧରେ ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗଙ୍କ ନିକଟରେ ଦାଖଲ ହୋଇଥିବା ରିଭ୍ୟୁ ପିଟିସନ୍‌ ଖାରଜ ହୋଇଯାଇଛି। ପିଟିସନ୍‌ରେ ଅନେକ ତ୍ରୁଟି ରହିଥିବା ଦର୍ଶାଇ ଆୟୋଗ ଏହାକୁ ଖାରଜ କରିଦେଇଛନ୍ତି। ଦର ବୃଦ୍ଧି ନିର୍ଦେଶନାମାର ପୁନଃ ସମୀକ୍ଷା ବଦଳରେ ପିଟିସନ୍‌ଟି ଏକ ଅପିଲ୍ ବୋଲି ଆୟୋଗ କହିଛନ୍ତି। ଯାହାଫଳରେ ଗତ ମାର୍ଚ ମାସରେ ଆୟୋଗଙ୍କ ଦ୍ବାରା ହୋଇଥିବା ଦର ବୃଦ୍ଧି ବଳବତ୍ତର ରହିଛି।

ଗତ ମାର୍ଚ ୨୭ତାରିଖରେ ଓଇଆରସି ଘରୋଇ କ୍ଷେତ୍ରର ବ୍ୟବହାର ପାଇଁ ବିଦ୍ୟୁତ ଦର ୟୁନିଟ୍‌ ପିଛା ୩୦ ପଇସା ବୃଦ୍ଧି କରିଥିଲେ। ନୂତନ ଦର ଅନୁଯାୟୀ ଉପଭୋକ୍ତାଙ୍କୁ ପ୍ରଥମ ୫୦ ୟୁନିଟ୍‌ ପାଇଁ ୩ଟଙ୍କା, ୫୧-୨୦୦ ୟୁନିଟ୍‌ ପାଇଁ ୪.୮ଟଙ୍କା ଓ ୨୦୧-୪୦୦ ୟୁନିଟ୍‌ ପାଇଁ ୫.୮ ଟଙ୍କା ଦେବାକୁ ପଡ଼ୁଛି। ତେବେ ଏହି ଦର ବୃଦ୍ଧି ବିରୋଧରେ ଆନନ୍ଦ ମହାପାତ୍ର ଓଇଆରସିଙ୍କ ନିକଟରେ ରିଭ୍ୟୁ ପିଟିସନ ଦାଖଲ କରିଥିଲେ। ପରବର୍ତୀ ବିଭିନ୍ନ ପକ୍ଷର ଶୁଣାଣି କରାଯାଇଥିଲା। କମିସନ କହିଛନ୍ତି ଯେ, ସମୁଦାୟ ରାଜସ୍ବ ଆବଶ୍ୟକତା ବା ଏଆରଆର ପାଇଁ ସମସ୍ତ ଅଂଶୀଦାରମାନଙ୍କ ପ୍ରସ୍ତାବ, ମତାମତ ଓ ଆପତ୍ତିକୁ ନେଇ ବିଚାର କରାଯାଇଥାଏ। ପରବର୍ତୀ ସମୟରେ ବିଦ୍ୟୁତ ଆଇନ ୨୦୦୩, ଟାରିଫ ପଲିସି, ଜାତୀୟ ବିଦ୍ୟୁତ ନୀତି ଓ ଅନ୍ୟ ରେଗୁଲେସନ୍‌କୁ ବିଚାରକୁ ନିଆଯାଇ ବୃଦ୍ଧି ଘୋଷଣା କରାଯାଇଛି। ତେଣୁ ପୂର୍ବରୁ ହୋଇଥିବା ନିର୍ଦେଶନାମାର ରିଭ୍ୟୁ କରିବା ଲାଗି ପିଟିସନ୍‌ରେ ସେଭଳି କୌଣସି ପର୍ଯ୍ୟାପ୍ତ ପ୍ରମାଣଯୋଗ୍ୟ ତଥ୍ୟ ନାହିଁ। ଆବେଦନକାରୀ ପିଟିସନ୍‌ ତଥ୍ୟ ଆଧାରିତ ନୁହେଁ ବୋଲି ଆୟୋଗ ଦର୍ଶାଇଛନ୍ତି। ପିଟିସନ୍‌ରେ ଶ୍ରୀ ମହାପାତ୍ର କହିଛନ୍ତି, ଆୟୋଗଙ୍କ ରାୟ ଦୁର୍ଭାଗ୍ୟଜନକ। ସମସ୍ତ ଅଂଶୀଦାରମାନଙ୍କ ସହିତ ଆଲୋଚନା କରାଯାଇ ପରବର୍ତୀ ପଦକ୍ଷେପ ଗ୍ରହଣ କରାଯିବ। ତେବେ କମିସନଙ୍କ ନିକଟରେ ଗ୍ରିଡକୋ ଓ ଓପିଟିସିଏଲ୍‌ ହୋଇଥିବା ଶୁଣାଣିର ରାୟ ଆସି ନ ଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର