ସୁପ୍ରିମ୍‌କୋର୍ଟଙ୍କ ଆଦେଶକୁ ମାନିଲେନି, ସମ୍ବଲପୁରରେ ଅଫିସ୍-ଅଦାଲତ ଅଚଳ

ଓକିଲ-ପୁଲିସ ଠେଲାପେଲା, ୩୦ ଜଣଙ୍କ ବିରୋଧରେ ମାମଲା ରୁଜୁ, ଆନ୍ଦୋଳନରେ ଜୟ ନାରାୟଣ

ସମ୍ବଲପୁର : ନିଜ ଦାବି ହାସଲ ନିମନ୍ତେ ସୁ୍ପ୍ରିମକୋର୍ଟଙ୍କ ଆଦେଶକୁ ବି ମାନିଲା ନାହିଁ ଓକିଲ ସଂଘ। ଆନ୍ଦୋଳନ କଲେ ଲାଇସେନ୍ସ ରଦ୍ଦ କରାଯିବାର ଆଦେଶ ଓକିଲମାନଙ୍କୁ ଭୟଭୀତ କରିପାରି ନାହିଁ। ନାଗରିକ କ୍ରିୟାନୁଷ୍ଠାନ କମିଟିର କର୍ମକର୍ତ୍ତା, ସଦସ୍ୟଙ୍କ ସହିତ ଶତାଧିକ ଓକିଲଙ୍କ ତୀବ୍ର ବିରୋଧ ଯୋଗୁ ପୁଲିସ ସୁରକ୍ଷା ବଳୟ ମଧ୍ୟରେ ଆସିଥିବା ଜଜ୍‌ମାନେ ଘରକୁ‌ ଫେରିଯିବାକୁ ବାଧ୍ୟ ହୋଇଛନ୍ତି। ପୂର୍ବଭଳି ବୁଧବାର ଦିନ ମଧ୍ୟ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍‌ ସ୍ଥାପନ ଦାବିରେ ସମ୍ବଲପୁରରେ ଅଫିସ-ଅଦାଲତ ଅଚଳ ହୋଇଯାଇଥିବା ଦେଖିବାକୁ ମିଳିଛି।

ପଶ୍ଚିମ ଓଡ଼ିଶାର ସମ୍ବଲପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍‌ ସ୍ଥାପନ ଦାବିରେ ପ୍ରତ୍ୟେକ ବୁଧବାର ଦିନ ସମ୍ବଲପୁର ଜିଲ୍ଲା ଓକିଲ ସଂଘ ଆନ୍ଦୋଳନ କରିବାକୁ ସ୍ଥିର କରିଛି। ଓକିଲ ସଂଘ ସହିତ ନାଗରିକ କ୍ରିୟାନୁଷ୍ଠାନ କମିଟି ବିଭିନ୍ନ ସଂଗଠନ ବି ଏହି ଦାବିରେ ସାମିଲ ହୋଇଛନ୍ତି। ଦାବି ହାସଲ ନିମନ୍ତେ ସରକାରଙ୍କ ଉପରେ ଚାପ ପକାଇବା ପାଇଁ ଓକିଲମାନେ କୋର୍ଟ ବର୍ଜନ କରି ଅଫିସ୍-ଅଦାଲତ ଅଚଳ କରୁଛନ୍ତି। ତେବେ, ସୁପ୍ରିମକୋର୍ଟଙ୍କ ଲାଇସେନ୍ସ ରଦ୍ଦ ଆଦେଶ ପରେ ଓକିଲ ସଂଘଙ୍କ ଆନ୍ଦୋଳନ ଗତି ଉପରେ ସମସ୍ତଙ୍କ ନଜର ରହିଥିଲା। ଓକିଲ ସଂଘ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପାଇଁ ‘କର ବା ମର’ ଆହ୍ବାନ ଦେଇ ଆଜି ଆନ୍ଦୋଳନକୁ ଓହ୍ଲାଇ ଥିଲା। ପୁଲିସ-ପ୍ରଶାସନ ମଧ୍ୟ ସେହି ଅନୁସାରେ ପ୍ରସ୍ତୁତ ହୋଇଥିଲା। ଓକିଲମାନେ ବିଭିନ୍ନ କାର୍ଯ୍ୟାଳୟ ସମ୍ମୁଖରେ ପିକେଟିଂ କରି କାର୍ଯ୍ୟାଳୟ ବନ୍ଦ କରାଇଥିଲେ।

ଅପରପକ୍ଷରେ, ନେଲ୍‌ସନ୍ ମଣ୍ଡେଲା ଛକରେ ନାଗରିକଙ୍କ ସହିତ ଓକିଲମାନେ ପୂର୍ବଭଳି ରାସ୍ତା ଅବରୋଧ କରି ଧାରଣାରେ ବସିଥିଲେ। ଏଭଳି ସ୍ଥିତି ଦେଖି ଏସ୍‌ପି ବି.ଗଙ୍ଗାଧର ନିଜେ ଓକିଲମାନଙ୍କୁ ବୁଝାସୁଝା କରିବାକୁ ଚେଷ୍ଟାକରି ବିଫଳ ହୋଇଥିଲେ। ଅତିରିକ୍ତ ଏସ୍‌ପି ତପନ ମହାନ୍ତି ଓ ଏସ୍‌ଡିପିଓ ପ୍ରଦୀପ ସାହୁଙ୍କ ନେତୃତ୍ବରେ ପୁଲିସ ଅଧିକାରୀ ଓ କର୍ମଚାରୀମାନେ ଜଜ୍‌ମାନଙ୍କୁ କୋର୍ଟ ନେବାପାଇଁ ଆଗେଇ ଆସିଥିଲେ। ଆନ୍ଦୋଳନକାରୀମାନେ ଅଚାନକ ଜାତୀୟ ସଙ୍ଗୀତ ଗାନ କରିବାପରେ ସମେସ୍ତ କିଛି ସମୟ ସେଠାରେ ଅଟକି ଯିବାକୁ ବାଧ୍ୟ ହୋଇଥିଲେ। ପୁଲିସ କର୍ମଚାରୀମାନେ ଜଜ୍‌ମାନଙ୍କୁ କୋର୍ଟ ଅଭିମୁଖେ ନେବାକୁ ଉଦ୍ୟମ କରିବାରୁ ଆନ୍ଦୋଳନକାରୀଙ୍କ ସହିତ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଥିଲା। ଓକିଲ-ପୁଲିସଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ପାଖାପାଖି ଏକ ଘଣ୍ଟାକାଳ ସେଠାରେ ଅଟକି ରହିବା ପରେ ପରିଶେଷରେ ଜଜ୍‌ମାନେ ଫେରିଯିବାକୁ ବାଧ୍ୟ ହୋଇଥିଲେ। ଆନ୍ଦୋଳନ ଯୋଗୁ ଉତ୍ତରାଞ୍ଚଳ ଆର୍‌ଡିସି କାର୍ଯ୍ୟାଳୟ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ଆରମ୍ଭ କରି ସବୁ ସରକାରୀ ଦପ୍ତର, ରାଜସ୍ବ ଓ ବିଚାର ବିଭାଗୀୟ ଅଦାଲତ ବନ୍ଦ ରହିଥିଲା।

୩୦ ଜଣଙ୍କ ବିରୋଧରେ ମାମଲା ରୁଜୁ
ସମ୍ବଲପୁର : ସୁପ୍ରିମକୋର୍ଟର ଆଦେଶ ପରେ ବି କାର୍ଯ୍ୟରେ ଯୋଗନଦେଇ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ଦାବିରେ ଆନ୍ଦୋଳନକରିବା ଓକିଲମାନଙ୍କ ପାଇଁ ମହଙ୍ଗା ପଡ଼ିପାରେ। କାର୍ଯ୍ୟରେ ଯୋଗନଦେବା ତଥା କୋର୍ଟକୁ ଜଜ୍‌ମାନଙ୍କୁ ଯିବାକୁ ନଦେବା, ଅଫିସ-ଅଦାଲତ ଆଦି ବନ୍ଦ କରିବା ସହିତ ପୁଲିସକୁ ସରକାରୀ କାର୍ଯ୍ୟରେ ବାଧା ଦେବା ଆଦି ଅଭିଯୋଗ ନେଇ ପୁଲିସ ପକ୍ଷରୁ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଜିଲ୍ଲା ଓକିଲ ସଂଘର ସଭାପତି ସୁରେଶ୍ବର ମିଶ୍ର, ଅନ୍ୟ କର୍ମକର୍ତ୍ତା ଓ ସଦସ୍ୟମାନଙ୍କ ବିରୋଧରେ ବିଭିନ୍ନ ଦଫାରେ ମାମଲା ରୁଜୁ କରାଯାଇଛି। ନାମ ଜଣାଥିବା ୩୦ ଜଣ ଓକିଲ ଓ ଅନ୍ୟମାନଙ୍କ ନାମରେ ବିଭିନ୍ନ ଆଇପିସି ଧାରାରେ ମାମଲା ରୁଜୁ କରାଯାଇଥିବା ଏସ୍‌ପି ବି.ଗଙ୍ଗାଧର ସୂଚନା ଦେଇଛନ୍ତି। ଟାଉନ ଥାନା ଅଧିକାରୀ ପ୍ରତାପ କୁମାର କର୍ଣ୍ଣଙ୍କୁ ଦାୟିତ୍ବ ଦିଆଯାଇଛି।

ସମ୍ବନ୍ଧିତ ଖବର