ବାରିପଦା: ରାଜ୍ୟର ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ଇଂରାଜୀକୁ ଛାଡ଼ି ଓଡ଼ିଆ ଭାଷାରେ କାମ ହେବ। ସବୁ କାର୍ଯ୍ୟାଳୟ ସହ ବ୍ୟବସାୟିକ ପ୍ରତିଷ୍ଠାନରେ ଓଡ଼ିଆ ନାମଫଳକ ଲାଗିବ। ୪ ବର୍ଷ ପୂର୍ବେ ସରକାର ଏପରି କିଛି ସ୍ବତନ୍ତ୍ର ନିର୍ଦେଶ ଦେଇଥିଲେ। ନିର୍ଦେଶ ପାଳନ କରିବା ପାଇଁ ଉନ୍ନୟନ କମିସନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ସମସ୍ତ ଜିଲ୍ଲାପାଳଙ୍କୁ ଗତ ନଭେମ୍ବର ମାସରେ ଚିଠି କରିଥିଲେ। କିଛି କିଛି କାର୍ଯ୍ୟାଳୟ ସହ ବ୍ୟବସାୟିକ ପ୍ରତିଷ୍ଠାନରେ ଓଡ଼ିଆ ନାମଫଳକ ଲେଖା ହେଲା। କିନ୍ତୁ ଉଦ୍ଦେଶ୍ୟ କାଣିଚାଏ ବି ପୂରା ହେଲାନି। ତେଣୁ ଗତ ଏପ୍ରିଲ୍ ମାସ ୨୯ ତାରିଖ ସୁଦ୍ଧା ସବୁ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ସହ ବ୍ୟବସାୟିକ ପ୍ରତିଷ୍ଠାନର ନାମଫଳକ ଓଡ଼ିଆରେ ଲେଖିବା ପାଇଁ ଜିଲ୍ଲାପାଳମାନଙ୍କୁ ପୁଣି ଚିଠି କରାଗଲା।
ତେବେ ଏଥର ରାଜ୍ୟ ସରକାରଙ୍କ ନିର୍ଦେଶକୁ କିଛି ଜିଲ୍ଲାପାଳ ଗୁରୁତର ସହ ନେଇଥିବା ବେଳେ ଆଉ କିଛି ଜିଲ୍ଲାପାଳ ହେୟଜ୍ଞାନ କରିଥିଲେ। ଫଳରେ ନିର୍ଦ୍ଧାରିତ ସମୟସୀମାକୁ ବଢ଼ାଇ ନିର୍ଦେଶ ପାଳନ କରିବାକୁ ପୁଣି ଚଳିତ ମାସ ୩୧ ତାରିଖ ଦିନ ଧାର୍ଯ୍ୟ ହୋଇଥିଲା। ହେଲେ ଏଥରପର ବି ନିର୍ଦେଶ ନିର୍ଦେଶରେ ରହିଗଲା। ମୟୂରଭଞ୍ଜ ଜିଲ୍ଲାପାଳ ବି ସରକାରୀ ନିର୍ଦେଶକୁ ହାଲ୍କା ଭାବେ ନେଇଥିବା ଜଣାପଡ଼ିଛି। ଯାହାର ପ୍ରମାଣ ଜିଲ୍ଲାର ଅଧିକାଂଶ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ସହ ବ୍ୟବସାୟିକ ପ୍ରତିଷ୍ଠାନରେ ଏବେ ବି ଇଂରାଜୀରେ ନାମଫଳକ ଝୁଲୁଛି।
ସବୁଠାରୁ ଆଶ୍ଚର୍ଯ୍ୟର କଥା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ବିଭିନ୍ନ ବିଭାଗର ନାମଫକଳ ଇଂରାଜୀରେ ଲେଖା ରହିଛି। ଅଭ୍ୟର୍ଥନା କେନ୍ଦ୍ରଠାରୁ ଆରମ୍ଭ କରି ଜରୁରୀକାଳୀନ କାର୍ଯ୍ୟାଳୟର ନାମଫଳକ ଇଂରାଜୀରେ ଲେଖା ହୋଇଛି। କେବଳ ସେମିତି ନୁହେଁ; ବିଭିନ୍ନ ବ୍ଲକ୍ର ବିଡିଓ, ତହସିଲଦାର, ଏନ୍ଏସି ଓ ମୁନ୍ସିପାଲିଟି କର୍ମଚାରୀ ତଥା ବ୍ୟବସାୟିକ ପ୍ରତିଷ୍ଠାନର ମାଲିକମାନେ ଓଡ଼ିଆରେ ନାମଫଳକ ଲେଖିବା ପାଇଁ ଜିଲ୍ଲାପାଳଙ୍କ ନିର୍ଦେଶ ପାଇ ନଥିବା ନିଜ ନିଜ ନାମ ଗୋପନ ରଖି ପ୍ରକାଶ କରିଛନ୍ତି। ଆଗ ଜିଲ୍ଲାପାଳ ନିଜ କାର୍ଯ୍ୟାଳୟର ନାମଫଳକ ପରିବର୍ତ୍ତନ କରନ୍ତୁ; ପରେ ସେମାନେ ତାଙ୍କ ନିର୍ଦେଶ ମାନିବେ ବୋଲି କହିଛନ୍ତି। ଜିଲ୍ଲାପାଳଙ୍କ ଏପରି ଦାୟିତ୍ବହୀନତାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ଜିଲ୍ଲାପାଳ ଓଡ଼ିଆଙ୍କ ଅସ୍ମିତାକୁ ସମ୍ମାନ ଦେବା ଶିଖନ୍ତୁ ବୋଲି ମୟୂରଭଞ୍ଜର ଅଣରାଜନୈତିକ ସଂଗଠନ ଭଞ୍ଜସେନାର ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା କହିଛନ୍ତି। ସେହିପରି ଜିଲ୍ଲାର ବିକାଶ ତଥା ଓଡ଼ିଆମାନଙ୍କ ଉନ୍ନତି ପାଇଁ ଜିଲ୍ଲାପାଳ ପ୍ରଥମେ ଓଡ଼ିଆ ଭାଷାକୁ ଭଲପାଇବା ଦରକାର ବୋଲି ଅନେକ ବୁଦ୍ଧିଜୀବୀ କହିଛନ୍ତି। ତେବେ ଏନେଇ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରାଯାଇଥିଲା। ହେଲେ ତାଙ୍କ ସହ କୌଣସି ପ୍ରକାର ସଂପର୍କ ହୋଇପାରି ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/23-20.jpg)