ସରକାରୀ ନିୟମକୁ ଫୁ, ବଦଳୁନାହାନ୍ତି ଅଧିକାରୀ

ସମାଜିକ କଲ୍ୟାଣ, ଟ୍ୟାକ୍ସ ଓ ୱାର୍କସ୍‌ ବିଭାଗରେ ରାଜୁତି ଅଧିକ

ରାଉରକେଲା: ନିର୍ବାଚନ ହେଉ ନଥିବାରୁ ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି)ରେ ଚାଲିଛି ଅଧିକାରୀ ଓ କର୍ମଚାରୀଙ୍କ ରାଜୁତି। ଗୋଟିଏ କି ଦୁଇଟି ବିଭାଗ ନୁହେଁ, ପ୍ରାୟ ଅଧିକାଂଶ ବିଭାଗରେ ସମାନ ସ୍ଥିତି। ନିର୍ବାଚିତ ପ୍ରତିନିଧି ନଥିବାରୁ  ଏମାନେ ଏହାର ଭରପୂର ଫାଇଦା ଉଠାଉଛନ୍ତି। ଆର୍‌ଏମ୍‌ସିର ଟ୍ୟାକ୍ସ, ସାମାଜିକ କଲ୍ୟାଣ, ୱାର୍କସ୍‌ ସମେତ ଅନ୍ୟ କିଛି ବିଭାଗର ବିଭାଗୀୟ ଅଧିକାରୀମାନେ ଗାଦି ମାଡ଼ିବସିଥିବାରୁ ମନଇଚ୍ଛା କାମ କରୁଥିବା ଅଭିଯୋଗ ହେଉଛି। ଆର୍‌ଏମ୍‌ସିର ଏହି ତିନି ଗୁରୁତ୍ବପୂର୍ଣ୍ଣ ବିଭାଗରେ ପ୍ରାୟ ଅନେକ ଅଧିକାରୀ ୧୦ରୁ ୧୫ ବର୍ଷ ଧରି ରହିଛନ୍ତି।

ପ୍ରତି ୩ ବର୍ଷରେ ବିଭାଗୀୟ ଅଧିକାରୀମାନେ ଅନ୍ୟ ଆର୍‌ଏମ୍‌ସି ଓ ପୌରପାଳିକାକୁ ବଦଳି ହେବାର ସରକାରଙ୍କ ସ୍ପଷ୍ଟ ନିର୍ଦ୍ଦେଶ ରହିଛି। ଆର୍‌ଏମ୍‌ସିରେ ଏହି  ଅଧିକାରୀଙ୍କ ବିରୋଧରେ କିନ୍ତୁ ଏହି ନିୟମ ଲାଗୁ କରାଯାଉ ନାହିଁ। ୧୦ରୁ ୧୫ ବର୍ଷ ମଧ୍ୟରେ ଅନେକ ଆର୍‌ଏମ୍‌ସିର ସର୍ବୋଚ୍ଚ ଆସନରେ ଅନେକ ଅଧିକାରୀ ଯୋଗଦେଇ ପରବର୍ତ୍ତୀ ସମୟରେ ପଦୋନ୍ନତି ପାଇ ଅନ୍ୟତ୍ର ବଦଳି ହୋଇଛନ୍ତି। ଆଶ୍ଚର୍ଯ୍ୟ କଥା,  ଆର୍‌ଏମ୍‌ସିର ଏହି ତିନି ଗୁରୁତ୍ବପୂର୍ଣ୍ଣ ବିଭାଗ ଯଥା, ସାମାଜିକ କଲ୍ୟାଣ, ଟ୍ୟାକ୍ସ ଓ ୱାର୍କସ ବିଭାଗରେ ବର୍ଷ ବର୍ଷ ଧରି କାର୍ଯ୍ୟରତ ଅଧିକାରୀମାନଙ୍କୁ ଅନ୍ୟତ୍ର ବଦଳି କରିବାରେ କୌଣସି ପଦକ୍ଷେପ ନେଇ ନାହାନ୍ତି। ଏହାକୁ ନେଇ ସାଧାରଣରେ ଅ‌ସନ୍ତୋଷ ସୃଷ୍ଟି ହେବା ସ୍ବାଭାବିକ।

ରାଉରକେଲା ମହାନଗର ନିଗମ

ସାମାଜିକ କଲ୍ୟାଣ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ଦିବ୍ୟାଙ୍ଗ ଭତ୍ତା,  ମଧୁବାବୁ ଭତ୍ତା, ଅନ୍ନପୂର୍ଣ୍ଣ ଅନ୍ତୋଦୟ ଯୋଜନାରେ ନିଃସହାୟ ହିତାଧିକାରୀଙ୍କୁ ପିଡିଏସ୍‌ ସାମଗ୍ରୀ ବଣ୍ଟନ ଆଦି କାର୍ଯ୍ୟ ପରିଚାଳନା କରାଯାଉଛି। ଅନେକ ସମୟରେ ଅନ୍ନପୂର୍ଣ୍ଣା, ଅନ୍ତୋଦୟ ଯୋଜନା, ଦିବ୍ୟାଙ୍ଗ ଭତ୍ତା ବଣ୍ଟନରେ ଅନିୟମିତା ହେଉଥିବା ଅନେକ ବାର ଅଭିଯୋଗ ଆସିଛି। ଅନ୍ନପୂର୍ଣ୍ଣ ଅନ୍ତୋଦୟ ଯୋଜନାରେ ଗତ ୧୦ ବର୍ଷ ପୂର୍ବରୁ ଯେତିକି କାର୍ଡ ଥିଲା, ଏବେ ମଧ୍ୟ ସେତିକି କାର୍ଡଧାରୀ ରହିଛନ୍ତି। ଅର୍ଥାତ୍‌ ଗତ ୧୦ ବର୍ଷ ମଧ୍ୟରେ କାହାରି ମୃତ୍ୟୁ ଘଟିନାହିଁ! ବିଭାଗରେ କିଛି କରିତକର୍ମା ଅଧିକାରୀ ଓ କର୍ମଚାରୀଙ୍କ ଜାଣତରେ ଏ ବାବଦରେ ହେରଫେର ବର୍ଷ ବର୍ଷ ଧରି ଚାଲୁଥିବା ଅଭିଯୋଗ ହୋଇ ଆସୁଛି। ଏହା ସତ୍ବେ ୧୦ ବର୍ଷରୁ ଅଧିକ ଧରି ଆସନ ମାଡ଼ିବସିଥିବା ଅଧିକାରୀମାନଙ୍କର ବଦଳି ହେଉନି।

ସେମିତି ଟ୍ୟାକ୍ସ ବିଭାଗ ବିରୋଧରେ ମଧ୍ୟ ଅନେକ ଅଭିଯୋଗ ରହିଛି। ବିଗତ ଦିନରେ ଆର୍‌ଏମ୍‌ସିର ନକଲି ରସିଦ୍‌ରେ ବସ୍ତିରେ ହୋଲ୍‌ଡିଂ ଟିକସ ଆଦାୟ ହେଉଥିଲା। କେବଳ ଏତିକି ନୁହେଁ, ଘର ଦେବାକୁ କହି ସେମାନଙ୍କଠାରୁ ମୋଟା ରକମର ଟଙ୍କା ଆଦାୟ  କରୁଥିଲେ ଏହି ଟ୍ୟାକ୍ସ ବିଭାଗର କିଛି କର୍ମଚାରୀ। ମାସ ମାସ ଧରି ଏପରି ବେଆଇନ କାମ ଚାଲୁଥିଲେ ହେଁ ବିଭାଗୀୟ ଅଧିକାରୀ ନୀରବଦ୍ରଷ୍ଟା ସାଜିଥିଲେ। କମିଶନରଙ୍କ ଦୃଷ୍ଟିକୁ ଆସିବା ପରେ କିଛି କର୍ମଚାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। କିନ୍ତୁ ବିଭାଗୀୟ ବଡ଼ ଅଧିକାରୀଙ୍କୁ ଛାଡି ଦିଆଯାଇଥିଲା। ଏବେ ଏହି ବିଭାଗରେ ଆହୁରି ଅନେକ ଦୁର୍ନୀତିର ଅଭିଯୋଗ ଆସୁଛି। ଯଥା, ଷ୍ଟେସନ ନିକଟ ଦେୟଯୁକ୍ତ ପାର୍କିଂର ଟେଣ୍ଡର ଅବଧି ପ୍ରାୟ ୭ ମାସରୁ ଅଧିକ ଦିନ ହେବ ସରିଲାଣି। କିନ୍ତୁ ଟ୍ୟାକ୍ସ ବିଭାଗର କିଛି କରିତ୍‌କର୍ମା କର୍ମଚାରୀ ପୁରୁଣା ସଂସ୍ଥା ସହ ସଲାସୁତୁରା କରି ବିନା ଟେଣ୍ଡରରେ ବେପାର କରୁଛନ୍ତି। ହୋର୍ଡିଂ ଟେଣ୍ଡର କାରବାର ମଧ୍ୟ ବ୍ୟାପକ ଅନିୟମିତା ହେଉଥିବା ଅଭିଯୋଗ ଆସୁଛି। ବଡ ବଡିଆଙ୍କ ଉପରେ ଲକ୍ଷ ଲକ୍ଷ ଟଙ୍କାର ହୋଲ୍‌ଡିଂ ବାକି ଥିବା ସତ୍ବେ ବିଭାଗ ଆଦାୟ କରିବାକୁ ପଛଘୁଞ୍ଚା ଦେଉଛି। ଏମିତି ଅନେକ ଅଭିଯୋଗ ଥିବା ସତ୍ବେ ଟିକସ ବିଭାଗର କିଛି ଅଧିକାରୀ ୧୨ରୁ ୧୫ ବର୍ଷ ଧରି ଆସନ ମାଡ଼ିବସିଛନ୍ତି। ତାଙ୍କର ଅନ୍ୟତ୍ର ବଦଳି ହେଉନି। ୱାର୍କସ ବିଭାଗରେ ସ୍ଥିତି ଆହୁରି ସାଂଘାତିକ। ଅନେକ ସମୟରେ କାମର ଟେଣ୍ଡର ପ୍ରକ୍ରିୟାକୁ ନେଇ ଅନେକ ଅଭିଯୋଗ ଆସିଛି। ଅନ୍ୟତ୍ର ବଦଳି ହେଲେ ମଧ୍ୟ କରିତ୍‌କର୍ମା ଅଧିକାରୀମାନେ ଭିତିରି ସଲାସୁତୁରା କରି ବଦଳିକୁ ବାତିଲ କରି ଦେବାର ଅନେକ ଉଦାହରଣ ରହିଛି। ତେବେ କେବଳ ଏହି ତିନି ଗୁରୁତ୍ବପୂର୍ଣ୍ଣ ବିଭାଗ ନୁହେଁ, ଅନ୍ୟ କିଛି ବିଭାଗରେ ମଧ୍ୟ ଉପର ଓ ତଳ ଅଧିକାରୀମାନେ ଆର୍‌ଏମ୍‌ସି ଛାଡୁ ନାହାନ୍ତି। ବିଭିନ୍ନ ଉପାୟରେ ଚେୟାର ମାଡ଼ି ବସିଛନ୍ତି। ଆର୍‌ଏମ୍‌ସିର ଏସବୁ ବିଭାଗରେ ସ୍ବଚ୍ଛତା ବଜାୟ ରଖିବାକୁ ୧୦ ବର୍ଷରୁ ଅଧିକ ଦିନ ଧରି ରହିଥିବା ଅଧିକାରୀଙ୍କୁ ଅନ୍ୟତ୍ର ବଦଳି କରାଯିବା ଉଚିତ ବୋଲି ସାଧରଣରେ ମତପ୍ରକାଶ ପାଉଛି।

ସମ୍ବନ୍ଧିତ ଖବର