ରାଉରକେଲା: ଗତ  ୫ ଦିନ ତଳେ  ପ୍ରଦୂଷଣ ନିୟମ ଖିଲାପକାରୀ ଦୁଇ ସ୍ପଞ୍ଜ ଆଇରଖାନାକୁ ସିଲ୍‌ କରାଯାଇଛି। ଅନ୍ୟ କିଛି ସ୍ପଞ୍ଜ କାରଖାନାକୁ କାରଣଦର୍ଶାଅ ନୋଟିସ୍‌  ଜାରି କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲାରେ ଏମିତି ମାଳ ମାଳ ସ୍ପଞ୍ଜ ଆଇରନ କାରଖାନା ଅଧିକ ପ୍ରଦୂଷଣ ସୃଷ୍ଟି କରୁଛନ୍ତି। ପ୍ରଦୂଷଣ ବିଭାଗ ଏମାନଙ୍କୁ କେବଳ ନୋଟିସ୍‌ ଜାରି କାମ ସାରି ଦେଉଛନ୍ତି। ସେମିତି କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି। ବରଂ ପରୋକ୍ଷରେ ସେମାନଙ୍କୁ ବିଭାଗୀୟ ଅଧିକାରୀମାନେ ଅନୁକମ୍ପା ଦେଖାଉଥିବା ଅଭିଯୋଗ ହେଉଛି। ବଣାଇରେ ଯେତିକି ସ୍ପଞ୍ଜ କାରଖାନା ରହିଛି, ତା’ର ୭୦% କାରଖାନା ଅଧିକ ପ୍ରଦୂଷଣକାରୀ। ଏମାନେ ସରକାରଙ୍କ ସମସ୍ତ ନୀତିନୀୟମକୁ ଜଳାଞ୍ଜଳି ଦେଇ ମନଇଚ୍ଛା ବିଷାକ୍ତ ଧୂଆଁ ବାୟୁ ମଣ୍ଡଳକୁ ଛାଡୁଛନ୍ତି।

Advertisment

ନିକଟରେ  ଜିଲ୍ଲାର ପ୍ରଦୂଷଣ ସମସ୍ୟାକୁ ନେଇ ସ୍ଥାନୀୟ ପ୍ରଦୂଷଣ ବିଭାଗ, ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି), ପିଡବ୍ଲ୍ୟୁଡି, ବନ ବିଭାଗ ସମେତ ଅନ୍ୟାନ୍ୟ ବିଭାଗର ବରିଷ୍ଠ ଅଧିକାରୀ ବୈଠକ ବସିଥିଲା। ପ୍ରତ୍ୟେକ ବିଭାଗ ନିଜ ନିଜ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।  କିନ୍ତୁ ଆଜି ପର୍ଯ୍ୟନ୍ତ ବିଭାଗଗୁଡ଼ିକ ପକ୍ଷରୁ ସେମିତି କୌଣସି କାର୍ଯ୍ୟକ୍ରମ ହାତକୁ ନିଆଯାଇ ନାହିଁ। ଏଭଳି ସ୍ଥିତି ମଧ୍ୟରେ ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଫିସ୍‌ରୁ ମିଳିଥିବା ତଥ୍ୟ ଆହୁରି ସାଂଘାତିକ। ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଫିସରୁ ମିଳିଥିବା ତଥ୍ୟ ଅନୁଯାୟୀ  ୫୬୫ ଛୋଟବଡ ଶିଳ୍ପ, ପଥର ଖାଦାନ, ବାଲିଘାଟ, ଇଟାଭାଟି ପଞ୍ଜିକୃତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୩୬ଟି ଶିଳ୍ପ, ପଥର ଖାଦାନ ରେଡ୍‌ କାଟାଗୋରିରେ ଆସୁଛି। ଅର୍ଥାତ୍‌ ଅଧିକ ପ୍ରଦୂଷଣକାରୀ।

୩୫୫ ଛୋଟ ବଡ ଶିଳ୍ପ ସ୍ବଳ୍ପ ପ୍ରଦୂଷଣକାରୀ ଅର୍ଥାତ୍‌ ଅରେଞ୍ଜ କାଟାଗୋରିରେ ଅନ୍ତର୍ଭୁକ୍ତ। ମାତ୍ର ୭୪ଟି ଶିଳ୍ପ ଗ୍ରୀନ୍‌ କାଟାଗୋରିରେ ଆସୁଛି। ଅଧିକ ପ୍ରଦୂଷଣକାରୀ ମଧ୍ୟରେ ଆସୁଥିବା ୧୩୬ଟି ଶିଳ୍ପ ମଧ୍ୟରେ ରହିଛି  କେମିକାଲ୍‌ ଉଦ୍ୟୋଗ, ଗ୍ୟାସ୍‌, ଖଣି, ପଥର ଖାଦାନ, ରାଇସ୍‌ ମିଲ୍‌,  ସମ୍ପୂର୍ଣ୍ଣ ବ୍ୟାନ୍‌ ଥିବା ମାଟି ଇଟାଭାଟି। ସର୍ବାଧିକ ହେଉଛି ପଥର ଖାଦାନ।  କୋଇଡାର ବ୍ଲକର ତୋଡା, ସାଇନ ବାହାଲ,  ଲହୁଣୀପଡା ବ୍ଲକର ସାନ ଟିକାୟତପାଲୀ, କାଂଶବାହାଲର ବଲଣ୍ଡା,  ଲାଠିକଟା ବ୍ଲକର ବଲଣ୍ଡା,  ବିଶ୍ରାର କୁର୍ଡାବାହାଲ,  ଝରାବାହାଲ, ଲାଠିକଟାର ବିରକେରା,  ବିଶ୍ରା ବ୍ଲକ ଅନ୍ତର୍ଗତ ଜାମସେରା, ବହିବେର୍ଣ୍ଣା, ସୁନ୍ଦରଗଡ ଦର୍ଜିଂ ଜମିରଡିହି,  ଚନ୍ଦ୍ରପୁର, ରାଇଡିହି,  ତରକକେରା, ଗର୍ଜନ, କୋହ୍ଲାସାହି, ପେରୁଆଭାଡି ଆଦି ସ୍ଥାନରେ ପଥର ଖାଦାନଗୁଡ଼ିକ ସ୍ଥାନୀୟ ଅଞ୍ଚଳକୁ ପ୍ରଦୂଷିତ କରୁଛନ୍ତି। ଏମାନଙ୍କ ମଧ୍ୟରୁ କିଛି ପଥର ଖାଦାନ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସମସ୍ତ ନୀତି ନିୟମକୁ ଫୁଃ କରି କରିଦେଇଛନ୍ତି। ବିଡମ୍ବନା, ନିୟମଭଙ୍ଗକାରୀ ପଥରଖାଦାନଗୁଡ଼ିକ ଉପରେ କୌଣସି ଅଙ୍କୁଶ ଲାଗୁନାହିଁ।

ସବୁଠୁ ଆଶ୍ଚର୍ଯ୍ୟ କଥା କିଛି ପଥର ଖାଦାନ ସ୍ଥାନୀୟ ତହସିଲ, ପ୍ରଦୂଷଣ ବିଭାଗ ବିନା ଅନୁମତିରେ ବର୍ଷ ବର୍ଷ ଧରି ସେମିତି ଚାଲିଛି। ସ୍ଥାନୀୟ ପ୍ରଶାସନ ଅଧିକାରୀ ଓ ପଥର ମାଫିଆଙ୍କ ମଧ୍ୟରେ ଭିତିରି ସମ୍ପର୍କ ଥିବାରୁ କାର୍ଯ୍ୟାନୁଷ୍ଠାନ ହେଉ ନାହିଁ ବୋଲି ଅଭିଯୋଗ ହେଉଛି। ସେପଟେ ରେଡ୍‌ କାଟାଗୋରି ଅଧୀନରେ ଆସୁଥିବା ଶିଳ୍ପ, ପଥର ଖାଦାନଗୁଡ଼ିକୁ ପ୍ରଦୂଷଣ ବିଭାଗ ବିଭାଗୀୟ ଅଧିକାରୀ ନିୟମିତ ବ୍ୟବଧାନରେ ଯାଞ୍ଚ କରାଯାଉଛି ବୋଲି ସଫେଇ ଦେଉଛନ୍ତି। ସ୍ଥାନୀୟ ଅଞ୍ଚଳ ବାସ୍ତବ ଚିତ୍ର କିନ୍ତୁ ଓଲଟା ପରିଲକ୍ଷିତ ହେଉଛି। ସେପଟେ ପ୍ରଦୂଷଣ ନିୟମ ଖିଲାପ କାରଣରୁ ଅତୀତରେ ଏକାଧିକ ସ୍ପଞ୍ଜ ଆଇରନ କାରଖାନାକୁ ସିଲ୍ କରା ଯାଇଛି। ତା’ପରେ ସେଗୁଡ଼ିକ ନିୟମ ପାଳନର ପ୍ରତିଶ୍ରୁତି ଦେଇ ପୁଣି ଚାଲୁ ହେବାର ଅନୁମତି ପାଇଛନ୍ତି। କିନ୍ତୁ ଅଳ୍ପ କାଳ ଭିତରେ ସେମାନଙ୍କର ପୁରୁଣା ରୂପ ଫେରି ଆସିଛି। ବିଶ୍ବ ପୁରୁଷ ହକି ପୂର୍ବରୁ ଅଧିକ ପ୍ରଦୂଷଣକାରୀ ସ୍ପଞ୍ଜ କାରଖାନାଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି।