ଉମରକୋଟ: ବ୍ୟବଚ୍ଛେଦ ପାଇଁ ଆସିଥିବା ଶବକୁ ପରିତ୍ୟକ୍ତ ଭାବେ ଫୋପାଡ଼ି ଦେଇଥିଲେ। ରାତି ସାରା ଖୋଲାମେଲାରେ ପଡ଼ିଥିବା ଶବକୁ ଭୋଜନ ରୂପେ ଗ୍ରହଣ କରିଥିଲେ ଦଳ ଦଳ ମୂଷା। ମୁହଁର ଉପର ଭାଗକୁ ଅଧାଅଧି ଖାଇ ଯାଇଛନ୍ତି। ସ୍ବାସ୍ଥ୍ୟ ବିଭାଗର ଏଭଳି ଦାୟିତ୍ବହୀନତାର ଚିତ୍ର ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରରୁ ଆସିଛି। ଏହି ଘଟଣା ଉପଖଣ୍ଡ ଚିକିତ୍ସାଳୟର ମାନ୍ୟତା ପାଇଥିବା ଡାକ୍ତରଖାନାର ଅବ୍ୟବସ୍ଥାକୁ ପଦାରେ ପକାଇ ଦେଇଛି। ଆଜି ସକାଳେ ମହଁକୁ ଟୁକଡ଼ା ଟୁକୁଡ଼ା କରି ମୂଷା ଖାଇଥିବା ଦେଖିବା ପରେ ମୃତକଙ୍କ ସଂପର୍କୀୟ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଅନ୍ୟପଟେ ଏହି ଘଟଣା ପାଇଁ ସ୍ବାସ୍ଥ୍ୟ ବିଭାଗ ଉତ୍ତର ଦାୟିତ୍ବ ନେବା ବଦଳରେ ହାତ ଛାଡ଼ି ଦେଇଛି।

Advertisment

ସୂଚନା ଅନୁଯାୟୀ, ଉମରକୋଟ ସହରର ଡିଏନ୍‌କେ ଅଞ୍ଚଳର ମୁନା ହରିଜନ ମାନସିକ ଭାରସାମ୍ୟ ହରାଇ ପୋଡ଼ାଗଡ଼ ଜଙ୍ଗଲରେ ଆତ୍ମହତ୍ୟା କରିଥିଲେ। ଗତକାଲି ସଂଧ୍ୟାରେ ପୁଲିସ ଶବ ଜବତ କରି ଉମରକୋଟ ଉପଖଣ୍ଡ ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ତେବେ ସଂଧ୍ୟା ହୋଇଯିବାରୁ ଗତକାଲି ଶବ ବ୍ୟବଚ୍ଛେଦ ହୋଇପାରି ନଥିଲା। ଆଜି ସକାଳେ ବ୍ୟବଚ୍ଛେଦ କରାଯିବ ବୋଲି ଡାକ୍ତରଖାନା କର୍ତ୍ତୃପକ୍ଷ ପ୍ରକାଶ କରିଥିଲେ। କିନ୍ତୁ ଶବ କିଭଳି ସୁରକ୍ଷିତ ଭାବେ ରହିବେ ତାହାର କୌଣସି ବ୍ୟବସ୍ଥା କରାଗଲା ନାହିଁ। ଗୋଟିଏ ‌କଠୋରିରେ ପରିତ୍ୟକ୍ତ ଭଳି ଶବକୁ ଗୋଟିଏ କୋଣରେ ଛାଡ଼ି ଦିଆଗଲା। ଆଜି ସକାଳେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଗଲା। ତେବେ ଶବ ପାଇବାପରେ ପରିବାର ଲୋକ ଦେଖିବା ବେଳକୁ ବିକୃତ ହୋଇଯାଇଥିବା ମୁହଁକୁ ଦେଖି ବିବ୍ରତ ହୋଇଥିଲେ। କାରଣ ମୁହଁର ଗୋଟିଏ ଅଂଶକୁ ସାରା ରାତି ମୂଷା ଟିକ୍‌ଟିକ୍‌ କରି ଛିଣ୍ଡାଇ ଖାଇଛନ୍ତି।

ଏହି ଡାକ୍ତରଖାନା‌ ପାଇଁ ଏଭଳି ଘଟଣା ଆଦୌ ନୂଆ ନୁହେଁ। ପୂର୍ବରୁ ଅନେକ ଥର ଏମିତି ଘଟଣା ଘଟି ସାରିଛି। ଶବକୁ ସୁରକ୍ଷିତ ଭାବେ ରଖିବା ବ୍ୟବସ୍ଥା ନଥିବାରୁ ମୂଷା ଶବକୁ ଛିଣ୍ଡାଇ ଖାଇବା ଭଳି ଅଭାବନୀୟ ଘଟଣା ଘଟିଛି। ତଥାପି ଏଥିପ୍ରତି କେହି ସଚେତନ ହେଉ ନାହାନ୍ତି କିମ୍ବା କୌଣସି ପଦକ୍ଷେପ ନେଉନାହାନ୍ତି। ଅନ୍ୟପକ୍ଷରେ ୫ବର୍ଷ ତଳେ ଉମରକୋଟ ଡାକ୍ତରଖାନାକୁ ଉପଖଣ୍ଡ ମାନ୍ୟତା ଦିଆଯାଇଥିଲା। କିନ୍ତୁ ଉପଖଣ୍ଡ ଡାକ୍ତରଖାନା ପାଇଁ ଆବଶ୍ୟକ ଯନ୍ତ୍ରପାତି ଏବଂ ଭତ୍ତିଭୂମି ଏପର୍ଯ୍ୟନ୍ତ ମିଳିଲା ନାହିଁ। ଡାକ୍ତରଖାନା ଦାୟିତ୍ୱରେ ଥିବା ଅଧିକାରୀ ତଥା ଡାକ୍ତର ଶରତ ଚନ୍ଦ୍ର ସେଠୀଙ୍କୁ ପଚାରିବାରୁ ମୂଷା କରିଥିବା ଗାତ ସବୁ ବନ୍ଦ କରି ଦେଇଛୁ। ଶବକୁ ମୂଷା ଖାଇବା ଭଳି ଘଟଣା ତାଙ୍କ ନଜରକୁ ଆସିନାହିଁ। ଶବ ସଂରକ୍ଷିତ କରି ରଖିବା ପାଇଁ ଗୋଟିଏ ଫ୍ରିଜର ଯୋଗାଇ ଦେବାକୁ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଅବଗତ କରାଯାଇଛି। ତଥାପି ଆଜିର ଘଟଣାକୁ ନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ତଥା ପ୍ରତିକ୍ରିୟା ପ୍ରକାଶ ପାଇଛି। ଜିଲ୍ଲା ପ୍ରଶାସନ ଏହି ଘଟଣା ପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି।