ଯାଜପୁର/ଦାନଗଦୀ : ୩ ମାସରେ ଥରେ ଆରପିଡିଏସି ବୈଠକ ଆୟୋଜନ ପାଇଁ ନୀତି ନିର୍ଦ୍ଧାରଣ ହୋଇଥିବାବେଳେ ବର୍ଷ ବର୍ଷ ଧରି ହେଉନାହିଁ। ଯାଜପୁର ଜିଲ୍ଲାର କଳିଙ୍ଗନଗର ଇସ୍ପାତ ରାଜଧାନୀ ଓ କଳିଆପାଣି କ୍ରୋମ ଉପତ୍ୟକା ପାଇଁ ହଜାର ହଜାର ପରିବାର ବିସ୍ଥାପିତ ହୋଇଛନ୍ତି। ଏବେ ମଧ୍ୟ ଶିଳ୍ପାଞ୍ଚଳ ଓ ଖଣି ଅଞ୍ଚଳରେ ବିସ୍ଥାପନ ପ୍ରକ୍ରିୟା ଜାରି ରହିଛି। ପ୍ରଭାବିତ ଅଞ୍ଚଳର ଲୋକମାନେ ମୌଳିକ ସୁବିଧାରୁ ବଞ୍ଚିତ ହେବା ସହିତ ବିସ୍ଥାପିତ କଲୋନିରେ ମଧ୍ୟ ନାହିଁ ନଥିବା ଅସୁବିଧା ଲାଗିରହିଛି। ଏଭଳି ସ୍ଥିତିରେ ଗତ ୫ବର୍ଷ ହେଲା ଆରପିଡିଏସି ବୈଠକ ବସିନାହିଁ।
ସୂଚନାଯୋଗ୍ୟ ପୂର୍ବତନ ଜିଲ୍ଲାପାଳ ରଞ୍ଜନ କୁମାର ଦାସ ୨୦୧୬ ନଭେମ୍ବରରେ ଯାଜପୁର କାର୍ଯ୍ୟଭାର ନେଇଥିଲେ। ସେହିଦିନ ସପ୍ତମ ଆରପିଡିଏସି ବୈଠକ ହୋଇଥିଲା। ଶ୍ରୀ ଦାସଙ୍କ ୪ବର୍ଷ କାର୍ଯ୍ୟକାଳ ପରେ ବର୍ତ୍ତମାନ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କଏକ ବର୍ଷ କାଳ ଶେଷ ହେଲାଣି। ତେବେ ଏହି ୫ ବର୍ଷ ମଧ୍ୟରେ ଆଉ ବୈଠକ ଆହ୍ବାନ କରାଯାଇନାହିଁ। ଏହି ଗୁରୁତ୍ବପୂର୍ଣ୍ଣ ଆରପିଡିଏସି ବୈଠକ ଆରଡିସିଙ୍କ ଅଧ୍ୟକ୍ଷତାରେ ହେଉଥିବା ବେଳେ ଏବେ କେନ୍ଦ୍ରାଞ୍ଚଳ ଆରଡିସି ପଦବିରେ ଯାଜପୁର ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ଅନିଲ କୁମାର ସାମଲ ଅଛନ୍ତି। ୨ବର୍ଷ ପୂର୍ବରୁ ଆରଡିସି ଶ୍ରୀ ସାମଲ ଓ ପୂର୍ବତନ ଜିଲ୍ଲାପାଳ ଶ୍ରୀ ଦାସ ଆରପିଡିଏସି ବୈଠକ ପାଇଁ ପ୍ରାକ୍ ଆଲୋଚନା କରିଥିଲେ ମଧ୍ୟ ବୈଠକ ଅଟକି ଯାଇଥିଲା। ଗତ ଦୁଇ ବର୍ଷ ମଧ୍ୟରେ କଳିଙ୍ଗନଗର ସ୍ଥିତ ନୀଳାଚଳ ଇସ୍ପାତ, ମେସ୍କୋ , ମୈଥାନ କାରଖାନା ବନ୍ଦ ହୋଇଯାଇଛି। ଏବେ କେବଳ ମୈଥାନ କାରଖାନା କାମଚଳା କାର୍ଯ୍ୟ କରୁଛି। ମେସ୍କୋ ପାଇଁ ସିଆରିଆ, ଖୁରୁଣ୍ଟି ଓ ମାନପୁରର ୧୫୦ରୁ ଅଧିକ ବିସ୍ଥାପିତ ପରିବାର କାରଖାନା ବନ୍ଦ ପରେ ଭୋକଉପାସରେ ଦିନ କାଟୁଛନ୍ତି। ନୀଳାଚଳ କାରଖାନା ପାଇଁ ୬୩୪ପରିବାର ବିସ୍ଥାପିତ ହୋଇଥିବା ବେଳେ କାରଖାନା ବନ୍ଦ ଫଳରେ ପରିସ୍ଥିତି ସଙ୍ଗିନ। ଅନ୍ୟପକ୍ଷରେ କାରଖାନା ପାଇଁ ପ୍ରଦୂଷଣର ଶିକାର ହୋଇ ଅନେକ ଲୋକ ବିସ୍ଥାପନ ଅପେକ୍ଷାରେ ଅଛନ୍ତି। ସେମାନେ କାହା ଆଗରେ ଦାବି ଜଣାଇବେ ସେଥି ପାଇଁ ଚାହିଁ ବସିଛନ୍ତି। କଳିଙ୍ଗନଗର ଶିଳ୍ପାଞ୍ଚଳରେ ହଜାର ହଜାର ପରିବାର ବିସ୍ଥାପିତ ହେବାକୁ ଚାହିଁ ରହିଛନ୍ତି। କାଳିଆପାଣି କ୍ରୋମ ଉପତ୍ୟକାରେ ମଧ୍ୟ ଖଣି ସଂପ୍ରସାରଣ ଯୋଗୁଁ ନୂତନ ବିସ୍ଥାପନ ପାଇଁ ଆନ୍ଦୋଳନ ଜାରି ରହିଛି। ଆରପିଡିଏସି ବୈଠକ ଆହ୍ବାନ କରି ଭୂମିପୁତ୍ରମାନଙ୍କର ସମସ୍ୟା ସମାଧାନ କରିବା ସହିତ ଅଞ୍ଚଳିକ ବିକାଶକୁ ତ୍ବରାନ୍ବିତ କରିବାର ଆବଶ୍ୟକତା ରହିଛି। ତେବେ ସମସ୍ୟାର ସମାଧାନ ପରିବର୍ତ୍ତେ ପ୍ରଶାସନ ମୁହଁ ଲୁଚାଇଲେ ପରିସ୍ଥିତି ଭୟଙ୍କର ହେବ ବୋଲି ଶ୍ରମିକ, କର୍ମଚାରୀ ଓ ବିସ୍ଥାପିତ ପରିବାର ଚେତାବନୀ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/kalinga-nagar.jpg)