ଦିଲ୍ଲୀରେ ପହଞ୍ଚିଲା ଆର୍‌ଏସ୍‌ପି ବିସ୍ଥାପିତଙ୍କ ସମସ୍ୟା, ଏସ୍‌ସିଏସ୍‌ଟି କମିଶନ,ଧର୍ମେନ୍ଦ୍ରଙ୍କୁ ଭେଟିଲେ ବିସ୍ଥାପିତ ସଂଘ

ରାଉରକେଲା : ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି) ଦ୍ବାରା ବିସ୍ଥାପିତ ପରିବାରଙ୍କ ଦୁଃଖ ସରୁନି। କାରଖାନାରେ ନିଯୁକ୍ତି, ଜମି ସମସ୍ୟା, ଥଇଥାନ ସଂକ୍ରାନ୍ତରେ ବାରମ୍ବାର ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଓ ଆର୍‌ଏସ୍‌ପି କର୍ତ୍ତୃପକ୍ଷଙ୍କ ସହ ବିସ୍ଥାପିତ ସଂଘର ଆଲୋଚନା ହୋଇଛି। କିନ୍ତୁ କୌଣସି ନିଷ୍କର୍ସ ବାହାରି ପାରି ନାହିଁ। ସମସ୍ୟା ରାଜ୍ୟରୁ ଯାଇ ଏବେ ଦିଲ୍ଲୀରେ ପହଞ୍ଚିଛି। ଜିଲ୍ଲାପ୍ରଶାସନ, ଆର୍‌ଏସ୍‌ପି କର୍ତ୍ତୃପକ୍ଷଙ୍କ ବାରମ୍ବାର ଅବହେଳା ପ୍ରତିବାଦରେ ଆଜି ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଆଣ୍ଡ ମାର୍ଶଲିଂ ୟାର୍ଡ ବିସ୍ଥାପିତ ସଂଘର ପ୍ରତିନିଧି ନୂଆଦିଲ୍ଲୀରେ ଜାତୀୟ ଜନଜାତି (ଏସ୍‌ସିଏସ୍‌ଟି) କମିଶନ ହର୍ଷ ଚୌହାନ, ସଭ୍ୟ ଅନନ୍ତ ନାୟକଙ୍କ ସାକ୍ଷାତ ଆଲୋଚନା କରିଛନ୍ତି। ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ,ବିସ୍ଥାପିତ ସଂଘର ସଭାପତି ଲଚ୍ଛୁ ଓରାମ, ଉପସଭାପତି ମାଙ୍ଗ୍ରା ଓରାମ, ଆଇନଜୀବୀ ଗୋବିନ୍ଦ ତନ୍ତୀ, ଆଇନ ଉପଦେଷ୍ଟା ଇ. ଟପ୍ପୋ କମିଶନଙ୍କ କାର୍ଯ୍ୟାଳୟରେ ବିଭିନ୍ନ ସମସ୍ୟାକୁ ନେଇ କମିଶନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏନ୍‌ସିଏସ୍‌ଟି କମିଶନଙ୍କ ସହ କେନ୍ଦ୍ର ଇସ୍ପାତମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ଭେଟିଥିଲେ। ବିଧାୟକ ଶ୍ରୀ ଓରାମ ଆଜି ପର୍ଯ୍ୟନ୍ତ ୧୬୩ ବିସ୍ଥାପିତଙ୍କୁ ନିଯୁକ୍ତି ମିଳି ନାହିଁ ବୋଲି କମିଶନ ଓ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ କହିଥିଲେ। ଏଥିସହ ଜାଗା, ଥଇଥାନ ସମସ୍ୟା ସଂକ୍ରାନ୍ତରେ ଜିଲ୍ଲା ପ୍ରଶାସନ ଓ ଆର୍‌ଏସ୍‌ପି କର୍ତ୍ତୃପକ୍ଷ ଯେତିକି ସହଯୋଗ କରିବା କଥା, କରୁ ନାହିଁ ବୋଲି ସଂଘର ପ୍ରତିନିଧିମାନେ କମିଶନଙ୍କୁ କହିଥିଲେ। କମିଶନ ସମସ୍ୟା ସମ୍ପର୍କରେ ଅବଗତ ହେବା ପରେ ଖୁବ୍‌ ଶୀଘ୍ର ସ୍ଥିତି ଅନୁଧ୍ୟାନ ପାଇଁ ରାଉରକେଲା ଆସିବାକୁ ପ୍ରତିନିଧିଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ତେବେ କମିଶନର ରାଉରକେଲା ଆସି ସ୍ଥିତି ଅନୁଧ୍ୟାନ କରିବା ପରେ ବିସ୍ଥାପିତଙ୍କ ସମସ୍ୟା ସମାଧାନ ହେଉଛି କି ନାହିଁ, ତା’ ଉପରେ ସମସ୍ତଙ୍କ ନଜର ରହିଛି।

ସମ୍ବନ୍ଧିତ ଖବର