କୋମନା: କୋମନା ଓ ଖଡ଼ିଆଳ ବ୍ଲକ୍‌ର ମଧ୍ୟଭାଗରେ ନିର୍ମିତ ତିଖାଲି ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଦ୍ବାରା କ୍ଷତିଗ୍ରସ୍ତ ବିସ୍ଥାପିତମାନଙ୍କ ସମସ୍ୟାର ସମାଧାନ ଆଜି ହୋଇ ପାରି ନାହିଁ। ଏଥିପାଇଁ ସେମାନେ ପୁଣି ଆଗାମୀ ଦିନରେ ଆନ୍ଦୋଳନ କରିବାକୁ ସଜବାଜ ହେଉଛନ୍ତି। ବୁଧବାର ୨୭ଟି ଗାଁର ବିସ୍ଥାପିତମାନେ ତିଖାଲି ମନ୍ଦିର ପରିସରରେ ଏକାଠି ହୋଇଥିଲେ। ବରିଷ୍ଠ ବିସ୍ଥାପିତ କରୁଣାକର ହୋତାଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ‌ହୋଇ ଆଗମୀ ଦିନରେ ଆନ୍ଦୋଳନର ରୂପରେଖ ସଂପର୍କରେ ଏକ ଚିଠା ପ୍ରସ୍ତୁତ କରିଥିଲେ। ଏହି ବୈଠକରେ ବିସ୍ଥାପିତ ସହାୟତା ସମିତି ଉପଦେଷ୍ଠା ଅମରେଶ ପଟ୍ଟନାୟକ, ସଭାପତି ନିତ୍ୟାନନ୍ଦ ପ୍ରଧାନ, ସମ୍ପାଦକ ଗୋପୀନାଥ ଗଉଡ଼, ସହସମ୍ପାଦକ ଦୁର୍ଯ୍ୟୋଧନ ମାଝୀ, ବରିଷ୍ଠ ସଦସ୍ୟ ଜୟରାମ ମାଝୀ, ଧ୍ରୁବ ଚରଣ ଦଳ, ଟିକେରାମ ଦଳ, ଯୋଗେନ୍ଦ୍ର ନାଗ, ନାରୟଣ ଅହିର, ବିଶ୍ବେଶ୍ବର ଜଗତ, ଧନୁ ହଂସ, ଚିତ୍ର କଠାର, ରାଧେଶ୍ୟାମ ବେହେରା, ହୃଷୀକେଶ ବେହେରା, ନରସିଂହ ପୋଢ଼ଙ୍କ ସମେତ ୨୭ଟି ଗାଁର ବରିଷ୍ଠ ବିସ୍ଥାପିତମାନେ ଅଂଶଗ୍ରହଣ କରି ନିଜ ନିଜ ମତ ପ୍ରକାଶ କରିଥିଲେ।

Advertisment

ସୋମନଙ୍କ କହିବା ହେଲା, ଚାଷୀମାନଙ୍କ ଜମିକୁ ଜଳସେଚନ ପାଇଁ ୨୦୦୦ ମସିହାରେ ଏହି ପ୍ରକଳ୍ପ କାମ ଆମ ଆରମ୍ଭ ହେଲା। ଏହା ଦ୍ବାରା ୧୦ଟି ଗାଁ ସଂପୂର୍ଣ୍ଣ ଓ ୧୭ଟି ଗାଁ ଆଂଶିକ ଭାବେ ନିଜ ନିଜ ଭିଟାମାଟି ହରାଇଥିଲେ। କିନ୍ତୁ, ଏହି ବିସ୍ଥାପିତମାନଙ୍କ ଜମିବାଡ଼ି ଘରଦ୍ୱାରର କ୍ଷତିପୂରଣ ଅତି କମ୍‌ ଦିଆଗଲା। ଫଳରେ କ୍ଷତିଗ୍ରସ୍ଥ ବିସ୍ଥାପିତମାନେ ଗାଁ ଛାଡ଼ି ଅନ୍ୟତ୍ର ନୂତନ ବସତିରେ ସେମାନଙ୍କୁ ମିଳିଥିବା ଟଙ୍କାରେ ଠିକ୍‌ ଭାବେ ମୁଣ୍ତ ଗୁଞ୍ଜିବାକୁ ଭଲ ଘରଟିଏ ବି କରି ପାରିନଥିଲେ। ଆରମ୍ଭରୁ ଏହି ପ୍ରକଳ୍ପରେ ଦଲାଲମାନଙ୍କ ପ୍ରଭାବରେ ପଡ଼ି ଦୁର୍ନୀତିଗ୍ରସ୍ତ ପଦାଧିକାରୀଙ୍କ କାର୍ଯ୍ୟକଳାପ ଯୋଗୁଁ ଉଚିତ ବିସ୍ଥାପିତଙ୍କୁ ବାଦ୍‌ ଦେଇ ଜାଲିଆତି କରି ନକଲି ବିସ୍ଥାପିତମାନଙ୍କ ନାମରେ କୋଟି କୋଟି ଟଙ୍କା ଆତ୍ମସାତ୍‌ ହଇଥିବା ଜାଣିପାରି ଆରମ୍ଭରୁ ବିସ୍ଥାପିତମାନଙ୍କ ଦ୍ୱାରା ଗଠିତ ବିସ୍ଥାପିତ ସହାୟତା ସମିତି ପକ୍ଷରୁ ଏହାକୁ ନେଇ ପ୍ରତିବାଦ କରିବା ସହ ହଜାର ହଜାର ବିସ୍ଥାପିତମାନଙ୍କୁ ନେଇ ବିଗତ ଦିନରେ ପ୍ରତିବାଦ କରିବା ସହ ବିଭାଗୀୟ କାର୍ଯ୍ୟାଳୟ ସମ୍ମୁଖରେ ୧୦୫ ଦିନ ଧରି ଆନ୍ଦୋଳନ କରାଯାଇଥିଲା।

ବିସ୍ଥାପିତମାନଙ୍କ ଆନ୍ଦୋଳନ ପାଖକୁ ରାଜନେତା ଆସି ସମର୍ଥନ ଜଣାଇବାରୁ ବିସ୍ଥାପିତମାନଙ୍କୁ ସନ୍ତୋଷ କରିବା ପାଇଁ ତଦନ୍ତ ହେଲା। ଦୁର୍ନୀତି ଧରାପଡ଼ିବା ପରେ ପୂର୍ବ ବିଭାଗୀୟ ପଦାଧିକାରୀଙ୍କୁ ଗିରଫ କରାଗଲା। ବାଦ୍‌ ପଡ଼ିଥିବା ଯୋଗ୍ୟ ବିସ୍ଥାପିତମାନଙ୍କୁ ଚିହ୍ନଟ କରିବା ପାଇଁ ପଦକ୍ଷେପ ନିଆଗଲା। ହେଲେ ପୂର୍ବ ପରି ମୃତ ଓ ଅନ୍ୟ ଗାଁର ଲୋକଙ୍କୁ ସାମିଲ କରି କୋଟି କୋଟି ଟଙ୍କା ଲୁଟି ଚାଲିଥିବା ନେଇ ଵାରମ୍ୱାର ଅଭିଯୋଗ ହେଉଛି। ତଥାପି ତଦନ୍ତରେ ଶିଥିଳତା ଯୋଗୁଁ ବାଦ୍‌ ପଡ଼ିଥିବା ଶତାଧିକ ବିସ୍ଥାପିତ ଦୟନୀୟ ଅବସ୍ଥାରେ ରହିଛନ୍ତି। ଏନେଇ ବିସ୍ଥାପିତ ସହାୟତା ସମିତି ତରଫରୁ ଗତ ଡିସେମ୍ୱର ମାସରେ ହୋଇଥିବା ଆର୍‌ପିଡିଏସି ବୈଠକରେ ଦାବି କରାଯାଇଥିଲା। କ୍ଷତିଗ୍ରସ୍ତ ବିସ୍ଥାପିତଙ୍କ ପ୍ରତି ବିଭାଗୀୟ ପଦାଧିକାରୀଙ୍କ ଏପରି ମନୋଭାବକୁ ନେଇ ବିସ୍ଥାପିତ ମହଲରେ କ୍ଷୋଭ ପ୍ରକାଶ କରି ଆଗାମୀ ଦିନରେ ଆମରଣ ଆନ୍ଦୋଳନ କରିବାକୁ ଚେତାବନୀ ଦିଆଯାଇଛି।