ନୂଆପଡ଼ା : ସରକାର ଓ ପ୍ରଶାସନ ବିରୋଧରେ ପୁଞ୍ଜିଭୂତ କ୍ରୋଧ ଶେଷରେ ଉଗ୍ର ରୂପ ନେଇଛି। ଇନ୍ଦ୍ର ଜଳ ପ୍ରକଳ୍ପ ବିସ୍ଥାପିତମାନେ ଜିଲ୍ଲାପାଳଙ୍କ ଅଫିସ୍‌କୁ ଧ‌ସେଇ ପଶିଛନ୍ତି। ଏହି ସମୟରେ ବିସ୍ଥାପିତ ଓ ପୁଲିସ୍‌ ମଧ୍ୟରେ ଧସ୍ତାଧସ୍ତି ହୋଇଛି। ଧସ୍ତାଧସ୍ତି ବେଳେ ଜିଲ୍ଲାପାଳଙ୍କ ଅଫିସ୍‌ କାଚ ଭାଙ୍ଗିଯାଇଥିବାବେଳେ ୧୪ ଜଣ ଆନ୍ଦୋଳନକାରୀଙ୍କୁ ପୁଲିସ୍‌ ଉଠାଇନେଇଛି।

Advertisment

ଅଭିଯୋଗ ଅନୁସାରେ, ୨୦ ବର୍ଷ ଧରି ଲୋୟର ଇନ୍ଦ୍ର ଜଳ ପ୍ରକଳ୍ପ କାମ ଚାଲିଥିଲା। ଚଳିତବର୍ଷ ମାର୍ଚ୍ଚ ୧୦ ତାରିଖରେ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପର ଉଦ୍‌ଘାଟନ କରିଥିଲେ। ଏହି ସମୟରେ ଅଧିକାରୀ ଓ ନେତାମାନେ ଆସି କ୍ଷତିପୂରଣ ଦିଆଯିବ ବୋଲି କହିଥିଲେ। ସେତେବେଳେ ବିସ୍ଥାପିତଙ୍କୁ ଏକ ସ୍କୁଲରେ ରଖି ପ୍ରକଳ୍ପକୁ ଉଦ୍‌ଘାଟନ କରାଯାଇଥିଲା। ହେଲେ ଏହାପରେ କ୍ଷତିପୂରଣ ଦିଆଯାଇନାହିଁ। ଓଲଟା ବିସ୍ଥାପିତଙ୍କ ଘରକୁ ଭାଙ୍ଗାଯାଉଛି। ତେଣୁ ବିସ୍ଥାପିତଙ୍କ ଅସନ୍ତୋଷ ବଢ଼ିବାରେ ଲାଗିଛି। ସରକାର ବିସ୍ଥାପିତଙ୍କ ପାଇଁ ତ୍ରୁଟିପୂର୍ଣ୍ଣ ନୀତି ଏବଂ ମିଥ୍ୟା ପ୍ରତିଶ୍ରୁତି ଦେଉଛନ୍ତି। ଫଳରେ ସେମାନେ ଭିଟାମାଟି ହରାଇ ଅସହାୟ ଅବସ୍ଥାରେ ଦିନ ବିତାଉଥିବା ସେମାନେ ଅଭିଯୋଗ କରିଛନ୍ତି।

ଏହିଭଳି ଅବହେଳାରେ କ୍ଷୁବ୍ଧହୋଇ ବିସ୍ଥାପିତମାନେ ଆଜି ଜିଲ୍ଲାପାଳଙ୍କ ଅଫିସ୍‌କୁ ଧସେଇ ପଶିଥିଲେ। କୋନାବିରା, କୋଟାମାଲ, ରଜନା, ବେଲଗାଁ, ଦରଗାଁ, ପେଣ୍ଡରାବନ୍ଦ, ଝଲକୁସୁମର ଶତାଧିକ ବିସ୍ଥାପିତମାନେ ଏକତ୍ର ହୋଇ ଜିଲ୍ଲାପାଳଙ୍କ ଅଫିସ୍‌ର ପ୍ରଥମ ଓ ଦ୍ବିତୀୟ ଗେଟ୍‌ ଦେଇ ଧସେଇ ପଶିଥିଲେ। ଏହି ସମୟରେ ବିସ୍ଥାପିତ ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି ହେବାରୁ ଜିଲ୍ଲାପାଳଙ୍କ ଅଫିସ ଗେଟ୍‌ର କାଚ ଭାଙ୍ଗିଯାଇଛି। ପୁଲିସ କଠୋର ଆଭିମୁଖ୍ୟ ଗ୍ରହଣ କରି ୧୪ଜଣ ଆନ୍ଦୋଳନରତ ବିସ୍ଥାପିତଙ୍କୁ ଥାନାରେ ଅଟକ ରଖିଥିଲା। ଅଟକ ଆନ୍ଦୋଳନକାରୀଙ୍କୁ ନଛାଡ଼ିବା ପର୍ଯ୍ୟନ୍ତ ଜିଲ୍ଲାପାଳ ଅଫିସ୍‌ ଆଗରେ ଧାରଣା ଦେବାକୁ ଅନ୍ୟ ‌ବିସ୍ଥାପିତ ମାନେ ଜିଦ୍‌ କରିଥିଲେ। ପରେ ନୋଟିସ୍‌ ଦେଇ ସେମାନଙ୍କୁ ଛାଡ଼ିଦେଇଥିବା ଜଣାପଡ଼ିଛି। ଉତ୍ତେଜନା ସୃଷ୍ଟି ହେବାରୁ ଅଧିକ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା

ନୂଆପଡ଼ା ଗରିବ ସେନା ସଭାପତି ରବି ମଙ୍ଗରାଜ, ଅଲେଖ ଜଗତ, ପ୍ରସନ୍ନ ପଟେଲ, ବି.ପଟେଲ, ସୁଜିତ ଜଗତ, ବୈକୁଷ୍ଣ ପଟେଲ, ମୋହନ ମାଝୀ, ବନମାଳୀ ମାଝୀ ପ୍ରମୁଖ ଆନ୍ଦୋଳନରେ ସାମିଲ୍‌ ଥିଲେ। ନୂଆପଡ଼ା ଥାନା ଅଧିକାରୀ ନିର୍ମଳ ପାଣିଗ୍ରାହୀ କହିଛନ୍ତି, ଜିଲ୍ଲାପାଳ ଅଫିସ୍‌ରେ ଭଙ୍ଗାରୁଜା କରିଥିବା ଅଭିଯୋଗରେ ଏକ ମାମଲା ରୁଜୁ ହୋଇଛି। କିନ୍ତୁ ଅଟକ ରଖାଯାଇଥିବା ୧୪ ଜଣଙ୍କୁ ନୋଟିସ୍‌ ଦେଇ ଛଡ଼ାଯାଇଛି ବୋଲି ସେ କହିଛନ୍ତି।