ସୁନ୍ଦରଗଡ଼/ହେମଗିର: ନିଯୁକ୍ତି, କ୍ଷତିପୂରଣ, ପୁନର୍ବାସ ଓ ଥଇଥାନ ଦାବି ନେଇ ବେଦାନ୍ତର ଜାମକାନି ଖଣି ପ୍ରଭାବିତ ୪ ଗାଁ ଜାମକାନି, ଗିରିସିମା, ଝରପଲମ ଓ ମେଣ୍ଡ୍ରା ବିସ୍ଥାପିତଙ୍କ ଆନ୍ଦୋଳନ ଜାରି ରହିଛି। ଯେଉଁଥିପାଇଁ ମାସେ ହେଲା ଖଣିରୁ କୋଇଲା ପରିବହନ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଏସ୍ଥିତିରେ ଜୁଲାଇ ୪ ତାରିଖରେ ପୁଲିସ ବଳରେ ଧାରଣାରତ ବିସ୍ଥାପିତଙ୍କୁ ଉଠାଇ ନେଇ କୋଇଲା ପରିବହନ ପାଇଁ ଉଦ୍ୟମ କରି ବିଫଳ ହୋଇଥିବା ଜିଲ୍ଲା ପ୍ରଶାସନ ଓ କମ୍ପାନି ଦାବି ପୂରଣ ଦିଗରେ ତ୍ବରିତ ପଦକ୍ଷେପ ନନେଇ ନିରବ ରହିବା ସମସ୍ତଙ୍କୁ ବିସ୍ମିତ କରିଛି।
ଉଲ୍ଲେଖଯୋଗ୍ୟ, ବିସ୍ଥାପିତ ପରିବାରର ୧୮ ବର୍ଷରୁ ଊର୍ଦ୍ଧ୍ବ ପୁଅ,ଝିଅଙ୍କୁ ବେଦାନ୍ତରେ ପ୍ରତ୍ୟକ୍ଷ ନିଯୁକ୍ତି, ନହେଲେ ଚାକିରି ବାବଦକୁ ଏକକାଳୀନ ୧୭.୫ ଲକ୍ଷ ପ୍ରଦାନ, ନୂଆ ଘରକୁ ସର୍ବେକ୍ଷଣରେ ସ୍ଥାନ ଦେଇ କ୍ଷତିପୂରଣ ଦେବା, ଭୂମିହିନଙ୍କୁ ଚିହ୍ନଟ କରି ଉପଯୁକ୍ତ ଥଇଥାନ ସୁବିଧା, ଗାଁଗୁଡ଼ିକ ବିସ୍ଥାପିତ ନହେବା ବା ସମସ୍ତଙ୍କୁ ପୁନର୍ବାସ ସୁବିଧା ନମିଳିବା ପର୍ଯ୍ୟନ୍ତ ଖଣି ଖନନ ବନ୍ଦ, ମେଣ୍ଡ୍ରା ଥଇଥାନ ଓ ପୁନର୍ବାସ କଲୋନିର ଜମି ପଟ୍ଟା ପ୍ରଦାନ ଦାବିରେ ଦାବିରେ ଜୁନ୍ ୧୪ରୁ ଜାମକାନି, ଗିରସୀମା, ଝାରପଲମ ଓ ମେଣ୍ଡ୍ରା ବିସ୍ଥାପିତ ଖଣି ବନ୍ଦ ଆନ୍ଦୋଳନ ଚଲାଇଛନ୍ତି। ଏହି ପରିପ୍ରେକ୍ଷୀରେ ଜୁନ୍ ୨୫ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରସ୍ଥ ସଦଭାବନା ଗୃହରେ ସୁନ୍ଦରଗଡ଼ ବିଧାୟକ ଯୋଗେଶ କୁମାର ସିଂ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଅଭିମନ୍ୟୁ ମାଝୀ, ଉପଜିଲ୍ଲାପାଳ ଦାଶରଥି ସରାବୁ, ଉପଖଣ୍ଡ ପୁଲିସ ଅଧିକାରୀ ହିମାଂଶୁ ବେହେରାଙ୍କ ଉପସ୍ଥିତିରେ ବିସ୍ଥାପିତଙ୍କ ଦାବି ଉପରେ କମ୍ପାନି ଅଧିକାରୀଙ୍କ ସହ ତ୍ରିପାକ୍ଷିକ ଆଲୋଚନା ହୋଇଥିଲା। ବେଦାନ୍ତରେ ସିଧାସଳଖ ନିଯୁକ୍ତି ଦାବିକୁ ଅଗ୍ରାହ୍ୟ କରି ଦେଇଥିଲା କମ୍ପାନି। ଆଉ ଚାକିରି ବଦଳରେ ଯୁବକଯୁବତୀଙ୍କୁ ୧୭.୫ ଲକ୍ଷ ପ୍ରଦାନ ସମ୍ପର୍କରେ ନିଷ୍ପତ୍ତି ନେବାକୁ ୧୫ ଦିନ ସମୟ ମାଗିଥିଲା।
ବୈଠକରେ ବିଧାୟକ ଯୋଗେଶ ବିସ୍ଥାପିତଙ୍କ ତୁରନ୍ତ ନ୍ୟାୟ ପ୍ରଦାନ ପାଇଁ ଦାବି କରିଥିଲେ। କିନ୍ତୁ କିଛି ନିଷ୍କର୍ଷ ବାହାରି ପାରି ନଥିଲା। ଏହା ପରେ ବିସ୍ଥାପିତ ଆନ୍ଦୋଳନ ଜାରି ରଖିଥିବାବେଳେ ଜୁଲାଇ ୪ ତାରିଖରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ, ସୁନ୍ଦରଗଡ଼ ଉପଜିଲ୍ଲାପାଳ ଦାଶରଥି ସରାବୁ ଓ ଉପଖଣ୍ଡ ପୁଲିସ ଅଧିକାରୀ ହିମାଂଶୁ ବେହେରାଙ୍କ ନେତୃତ୍ବରେ ୩ ପ୍ଲାଟୁନ୍ ପୁଲିସ ଫୋର୍ସ ଖଣି ଅଞ୍ଚଳରେ ପହଞ୍ଚି କୋଇଲା ପରିବହନ କାର୍ଯ୍ୟ ଆରମ୍ଭ କରାଇବାକୁ ଜୋର୍ ଲଗାଇ ଥିଲେ। ଯାହାକୁ ଆନ୍ଦୋଳନକାରୀଙ୍କୁ ପ୍ରବଳ ବିରୋଧ କରିଥିଲେ। ପୁଲିସ ସହାୟତାରେ ଖଣି ଭିତରକୁ ପଶିବାକୁ ଉଦ୍ୟମ କରୁଥିବା ଟ୍ରକ୍ ଆଗରେ ମହିଳାମାନେ ଶୋଇଗଲେ। ସେମାନଙ୍କୁ ଉଠାଇ ନେଇଥିଲା ପୁଲିସ। ଏହି ସମୟରେ ମହିଳା ଆନ୍ଦୋଳନକାରୀଙ୍କ ସହ ପୁଲିସର ଧସ୍ତାଧସ୍ତି ହୋଇଥିଲା। ପୁଲିସ ହେମଗିର ଥାନାରେ ୨୦ ଜଣଙ୍କୁ କିଛି ଘଣ୍ଟା ଅଟକ ରଖି ବ୍ୟକ୍ତିଗତ ମୁଚାଲିକାରେ ଛାଡ଼ି ଦେଇଥିଲା। ପୁଲିସ କାର୍ଯ୍ୟାନୁଷ୍ଠାନ ସତ୍ତ୍ବେ ବିସ୍ଥାପିତ ଆନ୍ଦୋଳନରୁ ହଟି ନାହାନ୍ତି। ତେବେ ଏତେ ଦିନ କୋଇଲା ପରିବହନ ବନ୍ଦ ରହିବା ଫଳରେ ବହୁତ କ୍ଷତିର ସମ୍ମୁଖୀନ ହୋଇଥିବା କମ୍ପାନି ସହ ଜିଲ୍ଲା ପ୍ରଶାସନ ଆଲୋଚନା କରି ବିସ୍ଥାପିତଙ୍କ ଦାବି ପୂରଣ ଦିଗରେ ତତ୍ପରତା ଦେଖାଇବା ଜରୁରୀ ବୋଲି ବିଭିନ୍ନ ମହଲରେ ମତପ୍ରକାଶ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/jggjjgjg.jpg)