ବିସ୍ଥାପିତଙ୍କୁ ଉଚିତ କ୍ଷତିପୂରଣ ମିଳୁ: ବିଧାୟକ

ଲୋୟର ସୁକତେଲ ପ୍ରକଳ୍ପସ୍ତରୀୟ ଥଇଥାନ ଓ ପୁନର୍ବାସ ବୈଠକ

ବଲାଙ୍ଗୀର: ଆଜି ସ୍ଥାନୀୟ ଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପସ୍ତରୀୟ ଥଇଥାନ ଓ ପୁନର୍ବାସ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅନ୍ତପାଲି ଗ୍ରାମକୁ ନେଇ ଥଇଥାନ ଓ ପୁନର୍ବାସ ବୈଠକରେ କମିଟିର ଅଧ୍ୟକ୍ଷ ଜିଲ୍ଲାପାଳ ଚଞ୍ଚଳ ରାଣା, ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର, ଲୋକସଭା ସଦସ୍ୟାଙ୍କ ପ୍ରତିନିଧି ଦୀନେଶ ଶର୍ମା, ଲୋଇସିଂହା, ପାଟଣାଗଡ଼ ବିଧାୟକଙ୍କ ପ୍ରତିନିଧି, ଲୋୟର ସୁକତେଲ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ, ଅଧୀକ୍ଷଣ ଯନ୍ତ୍ରୀ, ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ କୁମାର ନାଗଭୂଷଣ, ଥଇଥାନ ଓ ପୁନର୍ବାସ ପ୍ରକଳ୍ପ ନିର୍ଦ୍ଦେଶକ ମହେନ୍ଦ୍ର ମହାପାତ୍ର ଏବଂ ପ୍ରଭାବିତ ଅଂଚଳର ଜନପ୍ରତିନିଧି ଓ ମହିଳା ପ୍ରତିନିଧିମାନେ ଉପସ୍ଥିତଥିଲେ। ଅନ୍ତପାଲି ଗାଁର ବିସ୍ଥାପିତଙ୍କ ସମସ୍ୟା ସେମାନଙ୍କୁ ଯେଉଁଠାରେ ଥଇଥାନ କରାଯାଉଛି ସେଠାକାର ମୌଳିକ ସୁବିଧା ତଥା ବିସ୍ଥାପନ ପରେ ଯେଉଁଠାରେ ସେମାନେ ଥଇଥାନ ହେଉଛନ୍ତି ସେଠାରେ ତାଙ୍କ ଜୀବନ ଜୀବିକାକୁ ନେଇ ପ୍ରଶାସନ ତରଫରୁ କରାଯାଇଥିବା ବ୍ୟବସ୍ଥା ଉପରେ ଆଲୋଚନା ହୋଇଥିଲା।

ପୁନର୍ବାସ କଲୋନିରେ ପାଣି ଓ ବିଜୁଳି ଉପରେ ଗୁରୁତ୍ୱ ଦେବେ ଜିଲ୍ଲାପାଳ

ଆଲୋଚନାରେ ବିଧାୟକ ନରସିଂହ ମିଶ୍ର ପ୍ରକଳ୍ପ ଦ୍ୱାରା ଯେମିତି ଜଣେ ବି ଲୋକଙ୍କ କୌଣସି ପ୍ରକାର କ୍ଷତି ନହେଉ ସେ ଉପରେ ଧ୍ୟାନ ଦେବାକୁ ଅଧିକାରୀମାନଙ୍କୁ କହିଥିଲେ। ବିଜୁଳି, ଫଳନ୍ତି ବୃକ୍ଷର କ୍ଷତିପୂରଣ ତଥା କ୍ଷତିପୂରଣ ରାଶି ପ୍ରଦାନକୁ ନେଇ ପ୍ରତ୍ୟେହ ଅନେକ ସଂଖ୍ୟାରେ ଦରଖାସ୍ତ ଲୋକଙ୍କ ପାଖରୁ ତାଙ୍କ ପାଖକୁ ପହଞ୍ଚୁଥିବା ସେ ସୂଚନା ଦେବା ସହ ଏ ସବୁକୁ ପ୍ରକଳ୍ପ ଅଧିକାରୀମାନେ ପୁଙ୍ଖାନୁପୁଙ୍ଖ ଭାବରେ ପରୀକ୍ଷା କରି ସେ ସବୁକୁ ସମାଧାନ କରନ୍ତୁ ବୋଲି କହିଥିଲେ।

ଲୋକଙ୍କ ଅଭିଯୋଗ ଆକାରରେ ସେମାନଙ୍କର ସମସ୍ତ ପ୍ରକାର ସମସ୍ୟା ସମାଧାନ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ରାଣା ଏବଂ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ମହାପାତ୍ର ଉପସ୍ଥିତ ଥିବା ପ୍ରଭାବିତ ଅଂଚଳର ଜନ ପ୍ରତିନିଧିମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ବିଶେଷ କରି ଆଗକୁ ଗ୍ରୀଷ୍ମମାସ ଆସୁଥିବାରୁ ନିଜେ ନିଜେ ବସତି ସ୍ଥାପନ କରିଥିବା ଏବଂ ସରକାର ତରଫରୁ ନିର୍ମାଣ ହୋଇଥିବା ପୁନର୍ବାସ କଲୋନିଗୁଡ଼ିକରେ ପାନୀୟ ଜଳ ଓ ବିଜୁଳିର ଯେମିତି କୌଣସି ସମସ୍ୟା ନରହିବ ସେ ଉପରେ ନିଷ୍ଠାର ସହ ପଦକ୍ଷେପ ନିଅନ୍ତୁ ବୋଲି ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଶେଷରେ ଉପସ୍ଥିତ ଜନ ପ୍ରତିନିଧିମାନଙ୍କର ସମସ୍ତ ପ୍ରକାର ଅଭିଯୋଗର ପରୀକ୍ଷା କରି ସେସବୁ ଉପରେ ଉଚିତ ପଦକ୍ଷେପ ନିଆଯିବ ବୋଲି ନିଷ୍ପତ୍ତି ହୋଇଥିଲା। ପ୍ରକଳ୍ପ ନିର୍ଦ୍ଦେଶକ ମହେନ୍ଦ୍ର ମହାପାତ୍ର ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର