ବାରିପଦା : ବିଶ୍ୱପ୍ରସିଦ୍ଧ ଶିମିଳିପାଳ ପାଇଁ ଭିଟାମାଟି ଛାଡ଼ିଲେ। ମାତ୍ର କ୍ଷତିପୂରଣ ଓ ଥଇଥାନ ମିଳିବା ବେଳକୁ ଫେଲ୍ ମାରୁଛି ପ୍ରଶାସନିକ ବ୍ୟବସ୍ଥା। ଫଳରେ ବାଧ୍ୟହୋଇ ଜିଲ୍ଲାପାଳଙ୍କୁ ଭେଟିଛନ୍ତି ପ୍ରଭାବିତ ଗ୍ରାମବାସୀ। ଶିମିଳିପାଳ ଅଭୟାରଣ୍ୟର ଯଶୀପୁର ରେଞ୍ଜ କୋର୍ ଏରିଆରେ ଥିବା ଖେଜୁରୀ ଗ୍ରାମରୁ ୧୧୦ ପରିବାରକୁ ଠାକୁରମୁଣ୍ଡା ବ୍ଲକ୍ ସାଲେଇବେଢ଼ାକୁ ଗତ ୨୦୨୦ ଜାନୁଆରୀ ମାସରେ ବିସ୍ଥାପନ କରାଗଲା । ଏହି ସମୟରେ ସରକାରଙ୍କ ବିସ୍ଥାପନ ଓ ଥଇଥାନ ଆଇନ ଅନୁସାରେ ସେମାନଙ୍କର କାଗଜପତ୍ରକୁ ଯାଞ୍ଚ କରାଯାଇ ପ୍ରତେକ ପରିବାରକୁ ୧୦ ଲକ୍ଷ ଟଙ୍କା ୫ ବର୍ଷିଆ ମିଆଦି କିସ୍ତି ଭାବେ ବ୍ୟାଙ୍କ ଜମାଖାତାକୁ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ବ୍ୟାଙ୍କ ଖାତାକୁ ୪୦ ହଜାର ଟଙ୍କା ଦେଇଥିବା ବେଳେ ଅବଶିଷ୍ଟ ଟଙ୍କା ଦେଇ ନାହାନ୍ତି । ଉକ୍ତ ୪୦ ହଜାର ଟଙ୍କା କରୋନାକୁ ନେଇ ଲକ୍ ଡ଼ାଉନ ସମୟରେ ଧାର ଉଧାର ପରିଶୋଧରେ ଖର୍ଚ୍ଚ ହୋଇଗଲା । ଖେଜୁରି ଗ୍ରାମରେ ରହୁଥିବା ବେଳେ ଜଙ୍ଗଲରୁ ମହୁ, ଝୁଣା, ଚେରମୂଳ ଆଦି ସଂଗ୍ରହ କରି ବିକ୍ରି କରି ପରିବାର ଚଳାଉଥିଲେ । ସାଲେଇବେଢ଼ାକୁ ଆସିବା ପରେ ନୂଆ ଯାଗା ହୋଇଥିବାରୁ କାମଧନ୍ଦା କିଛି ମିଳୁ ନାହିଁ । ଫଳରେ ପରିବାର ମୁହଁରେ ଦୁଇ ବେଳା ଆହାର ଜୁଟାଇବା ସମ୍ଭବ ହେଉ ନାହିଁ ।

Advertisment

ସାଲେଇବେଢ଼ାକୁରେ ବାସଗୃହ, ରାସ୍ତାଘାଟ, ବିଜୁଳି, ପିଇବା ନିମନ୍ତେ ପାଣି ସମସ୍ୟା ରହିଛି । ଚଳିବାରେ ବହୁ ଅସୁବିଧା ହେଉଛି । ଏହି ସମୟରେ ବ୍ୟାଙ୍କ ଜମାଖାତାକୁ ଟଙ୍କା ଆସିଛି କି ନାହିଁ ଜାଣିବା ନିମନ୍ତେ ବାରମ୍ବାର ବ୍ୟାଙ୍କକୁ ଦୌଡ଼ିବା ପରେ ଆଜି ଅଯଥାରେ ଖର୍ଚ୍ଚାନ୍ତ ହୋଇ ୪ ଚକିଆ ଗାଡ଼ି ଭଡ଼ା କରି ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେବା ନିମନ୍ତେ ବାରିପଦାରେ ପହଁଞ୍ଚିଥିଲେ। ଜିଲ୍ଲାପାଳ ବିନୀତ ଭରଦ୍ୱାଜ ସମସ୍ତ ବିଷୟ ଅବଗତ ହେବା ପରେ କିପରି ଶୀଘ୍ର ଟଙ୍କା ପାଇପାରିବେ ସେ ବିଷୟରେ ପଦକ୍ଷେପ ଗ୍ରହଣ କରିବାର ପ୍ରତିଶ୍ରୁତି ଦେବା ପରେ ଫେରିଯାଇଥିଲେ ।

publive-image

ଜିଲ୍ଲାପାଳଙ୍କୁ ଭେଟିବାକୁ ଆସିଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ସାଲେଇବେଢ଼ା ସରପଞ୍ଚ ଶୁକୁଲାଲ ହୋ, ରାମଚନ୍ଦ୍ର ସୋରେନ, ସିଧୁ ଦେହୁରୀ, ଗିରୀଶ ଦେହୁରୀ, ମଦନ ଦେହୁରୀ, କୁନୁ ଦେହୁରୀ, ଅନାମ ଦେହୁରୀ, ଭାବ ଦେହୁରୀ, ବିଲନ ଦେହୁରୀ, ପ୍ରଦୀପ ଦେହୁରୀ, ଶ୍ରୀକାନ୍ତ ଦେହୁରୀ, ଚିନ୍ତାମଣି ଦେହୁରୀ, ନରେନ୍ଦ୍ର ଦେହୁରୀସୁରେଶ ଦେହୁରୀ, କୁମ୍ଭ ଦେହୁରୀ, ମନୋହର ଦେହୁରୀ, ବିଭିଷଣ ଦେହୁରୀ ପ୍ରମୁଖ ଶତାଧିକ ବିସ୍ଥାପିତ ଆସିଥିଲେ । ପ୍ରକାଶ ଥାଉକି, ପୂର୍ବତନ ଅବୈତନିକ ବନ୍ୟ ପ୍ରାଣୀ ତତ୍ୱାବଧାରକ ଭାନୁମିତ୍ର ଆଚାର୍ଯ୍ୟଙ୍କ ଉଦ୍ୟମକ୍ରମେ ଶିମିଳିପାଳ କୋର ଏରିଆରେ ରହିଥିବା ଏହି ଖେଜୁରୀ ଗ୍ରାମବାସୀମାନେ ବିସ୍ଥାପିତ ହେବା ପାଇଁ ସହମତି ପ୍ରକାଶ କରିଥିଲେ । ବକୁଆ ଗ୍ରାମ ଓ ଜମୁନା ଗ୍ରାମରେ ରହିଯାଇଥିବା ୬ ପରିବାରଙ୍କୁ ବିସ୍ଥାପନ କରାଯାଇ ପାରିଲେ ଶିମିଳିପାଳ ଅଭୟାରଣ୍ୟ ଜାତୀୟ ପାର୍କରେ ସାମିଲ ହେବାର ପଥ ପରିଷ୍କାର ହୋଇଯିବ।