ବିକାଶ ପାଇଁ ଆଦିବାସୀଙ୍କୁ ବିସ୍ଥାପନ: କେନ୍ଦ୍ର ପାଖରେ ତଥ୍ୟ ନାହିଁ
ବିକାଶ ପାଇଁ ବଳିଦାନ ମାଗିଲେ, ନ୍ୟାୟ ଦେବାକୁ ଭୁଲିଗଲେ
ପ୍ରକଳ୍ପ ନୁହେଁ ମାଓବାଦୀ ଗତିବିଧିରେ କ୍ଷତିଗ୍ରସ୍ତଙ୍କୁ ନେଇ ବି ଅଜ୍ଞ
ଓଡ଼ିଶାର ପରଜା, କନ୍ଧ, କୋଣ୍ଡାଦୋରା ସମସ୍ତେ ଅନ୍ୟାୟର ଶିକାର
Sambad is now on WhatsApp
Join and get latest news updates delivered to you via WhatsApp
ଭୁବନେଶ୍ବର : ବିକାଶ ପାଇଁ ଆଦିବାସୀମାନେ ବଳିଦାନ ଦେଉଛନ୍ତି। କଳ କାରଖାନା, ଜଳଭଣ୍ଡାର, ରେଳପଥ, ରାଜପଥ, ବନ୍ଦରଠାରୁ ଆରମ୍ଭ କରି ଅଭୟାରଣ୍ୟ ପର୍ଯ୍ୟନ୍ତ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିକାଶ ନାମରେ ଅନେକ ପ୍ରକଳ୍ପ ନିର୍ମାଣ ହୋଇଛି। ଏଥିଯୋଗୁଁ ବିସ୍ଥାପିତ ହୋଇଥିବା ଲୋକଙ୍କ ମଧ୍ୟରେ ୪୦ ପ୍ରତିଶତ ଆଦିବାସୀ। କିନ୍ତୁ କେତେ ଲୋକ ବିସ୍ଥାପିତ ହେଲେ, ସେ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ପାଖରେ କୌଣସି ତଥ୍ୟ ନାହିଁ।
ମାଓବାଦୀ ଗତିବିଧିକୁ ନେଇ କେନ୍ଦ୍ର ସରକାର ଶୂନ୍ୟ ସହନଶୀଳ ଆଭିମୁଖ୍ୟ ପ୍ରଦର୍ଶନ କରୁଥିବା ଦାବି କରୁଛନ୍ତି। ମାତ୍ର ତାକୁ ନେଇ ମଧ୍ୟ କେନ୍ଦ୍ର ଆଦିବାସୀ ମନ୍ତ୍ରାଳୟ ଗମ୍ଭୀର ନୁହେଁ। ଆଦିବାସୀ ବହୁଳ (ସମୁଦାୟ ଜନସଂଖ୍ୟାର ୨୨ ପ୍ରତିଶତ) ଓଡ଼ିଶା ଭଳି ରାଜ୍ୟ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ହୀରାକୁଦ ଜଳଭଣ୍ଡାରରେ ବିସ୍ଥାପିତଙ୍କୁ ଥଇଥାନର ଅପରାଧିକ ଅବହେଳାଠାରୁ ଆରମ୍ଭ କରି କୋରାପୁଟର ମାଳି ପର୍ବତ ଖନନ, ମାଲକାନଗିରିରେ ମାଓବାଦୀ ଗତିବିଧି ଯୋଗୁଁ ଏଠାକାର ବିସ୍ଥାପିତ ଆଦିବାସୀ ବାରମ୍ବାର ଅନ୍ୟାୟ ଏବଂ ଶୋଷଣର ଶିକାର ହୋଇଛନ୍ତି। ମାତ୍ର ଏଥିପ୍ରତି କେନ୍ଦ୍ର କେବେ ମଧ୍ୟ ଦୃଷ୍ଟି ଦେଇ ନାହିଁ।
୨୦୨୨ ମସିହା ଫେବ୍ରୁଆରି ୯ ତାରିଖରେ ସାଂସଦ ଅଖିଲେଶ ପ୍ରସାଦ ସିଂ ପ୍ରଶ୍ନ କରିଥିଲେ ଯେ ମାଓବାଦୀ ଗତିବିଧି ଯୋଗୁଁ ୩ ବର୍ଷ ମଧ୍ୟରେ କେତେ ପରିବାର ବିସ୍ଥାପିତ ହୋଇଛନ୍ତି। ଏହାର ଉତ୍ତରରେ ରାଜ୍ୟ ଆଦିବାସୀ କଲ୍ୟାଣ ମନ୍ତ୍ରୀ ବିଶେଶ୍ବର ଟୁଡୁ କହିଥିଲେ, ସ୍ଥାନୀୟ ଗୋଳମାଳ ଯୋଗୁଁ ଆଦିବାସୀ କଲ୍ୟାଣ ମନ୍ତ୍ରାଳୟ ଏହି ତଥ୍ୟ ସଂଗ୍ରହ କରିପାରିନାହିଁ। ୨୦୨୧ ମସିହା ଡିସେମ୍ବର ୮ ତାରିଖରେ ରାଜ୍ୟସଭାରେ ଉନ୍ନୟନ ପ୍ରକଳ୍ପ ଯୋଗୁଁ ହୋଇଥିବା ବିସ୍ଥାପିତଙ୍କ ସଂଖ୍ୟା, ଏଥିରୁ କେତେ ପ୍ରତିଶତ ଆଦିବାସୀ, ୨୦୧୯-୨୦, ୨୦୨୦-୨୧ରେ ଥଇଥାନ ସମ୍ପର୍କରେ ପ୍ରଶ୍ନ କରାଯାଇଥିଲା। ଏହାର ଉତ୍ତରରେ କେନ୍ଦ୍ର ଆଦିବାସୀ ମନ୍ତ୍ରାଳୟ କହିଥିଲା, ଜମି ଅଧିଗ୍ରହଣ ରାଜ୍ୟ ସରକାରଙ୍କ ବ୍ୟାପାର ହୋଇଥିବାରୁ କେନ୍ଦ୍ର ସରକାର ଏ ସମ୍ପର୍କରେ ତଥ୍ୟ ରଖୁନାହାନ୍ତି। ୨୦୨୦ ମସିହା ସେପ୍ଟେମ୍ବର ମାସ ୧୪ ତାରିଖରେ ଲୋକସଭାରେ ପ୍ରଶ୍ନ ହୋଇଥିଲା, ଅନେକ ସଂଖ୍ୟାରେ ଆଦିବାସୀମାନେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଯୋଗୁଁ ବିସ୍ଥାପିତ ହେଉଛନ୍ତି। ସେମାନଙ୍କ ସମ୍ପର୍କରେ ତଥ୍ୟ ଦିଅନ୍ତୁ। ଏ ସମ୍ପର୍କିତ ଉତ୍ତର ରାଜ୍ୟସୂଚୀ ଅନ୍ତର୍ଭୁକ୍ତ ଆସୁଥିବାରୁ ସୂଚନା ଦିଆଯାଇପାରିବ ନାହିଁ ବୋଲି ବିଭାଗୀୟ ମନ୍ତ୍ରୀ କହିଥିଲେ।
ଦେଶରେ ହେଉଥିବା ପ୍ରକଳ୍ପ ମଧ୍ୟରୁ କାରଖାନା, ରାଜ୍ୟ ରାଜପଥ ରାଜ୍ୟ ସରକାର ନିର୍ମାଣ କରୁଥିବା ବେଳେ ରେଳପଥ, ଜାତୀୟ ରାଜପଥ, ଅଭୟାରଣ୍ୟ, ବନ୍ଦର ନିର୍ମାଣ କେନ୍ଦ୍ର ସରକାରଙ୍କ କାମ। ସବୁ ପ୍ରକଳ୍ପର ଜମି ଅଧିଗ୍ରହଣ ରାଜ୍ୟ ସରକାରଙ୍କ ଦାୟିତ୍ବ କିନ୍ତୁ ପରିବେଶ ମଞ୍ଜୁରି କେନ୍ଦ୍ର ଦେଇଥାଏ। ସାମାଜିକ ସଙ୍ଗଠନ ବସୁନ୍ଧରାର ଗିରି ରାଓଙ୍କ କହିବାନୁସାରେ, ବିସ୍ଥାପନ ଯୋଗୁଁ ଆଦିବାସୀଙ୍କ ଗୋଟିଏ ପିଢ଼ି ନୁହେଁ, ପରବର୍ତ୍ତୀ କେତେ ଯେ ପିଢ଼ି କ୍ଷତିଗ୍ରସ୍ତ ହୋଇଛନ୍ତି, ତା’ର ଠିକଣା ନାହିଁ। ତାଙ୍କର ସାମାଜିକ, ସାଂସ୍କୃତିକ ଜୀବନ ପ୍ରଭାବିତ ହେବା ସହିତ ଖାଦ୍ୟ ସୁରକ୍ଷା ବିପନ୍ନ ହୋଇଛି, ସେମାନେ ଭୂମିହୀନ ହୋଇଛନ୍ତି, ଟ୍ରାଫିକିଂ, ମାଇଗ୍ରେସନ୍ ବଢ଼ୁଛି। ସେମାନଙ୍କ ସମ୍ପର୍କରେ କେନ୍ଦ୍ର ପାଖରେ ତଥ୍ୟ ନଥିବା ଯୋଗୁଁ ବିସ୍ଥାପିତ ଥଇଥାନ ଦିଗରେ ରାଜ୍ୟ ସରକାରଙ୍କ ଅପରାଧିକ ଅବହେଳାର ନ୍ୟାୟ ମିଳିପାରୁ ନାହିଁ।
ସାମାଜିକ କର୍ମକର୍ତ୍ତା ଦେବରଞ୍ଜନ ଅନୁସାରେ, ରିପୋର୍ଟ ଅନୁସାରେ ୧୯୯୫ ମସିହା ପର୍ଯ୍ୟନ୍ତ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଯୋଗୁଁ ୪ ଲକ୍ଷ ଆଦିବାସୀ ବିସ୍ଥାପିତ ହୋଇଛନ୍ତି। ଏହାପରେ କୌଣସି ଉପଯୁକ୍ତ ସର୍ଭେ ହୋଇନଥିବାରୁ ଆଜି ପର୍ଯ୍ୟନ୍ତର ତଥ୍ୟ ନାହିଁ।
ଓଡ଼ିଶାରେ କୋରାପୁଟର ପରଜା, ରାୟଗଡ଼ାର କନ୍ଧ, ମାଲକାନଗିରିର କୋଣ୍ଡାଦୋରା, କଦବା, ସୁନ୍ଦରଗଡ଼ର ବିଭିନ୍ନ ସମ୍ପ୍ରଦାୟର ଆଦିବାସୀ ବିଶେଷ ଭାବେ ବିସ୍ଥାପିତ ହେବା ସହିତ କ୍ଷତିଗ୍ରସ୍ତ ହୋଇଛନ୍ତି। ହୀରାକୁଦ ଜଳଭଣ୍ଡାରର ବିସ୍ଥାପିତ ଆଦିବାସୀଙ୍କ ପ୍ରତି ଅନ୍ୟାୟ ସମ୍ପର୍କରେ ସମସ୍ତେ ଜାଣନ୍ତି। ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ ଯୋଗୁଁ ୩୩୬ରୁ ୪୦୦ ସୁନ୍ଦରଗଡ଼, ରାଉରକେଲାର ବିସ୍ଥାପିତ ଆଦିବାସୀ ପରିବାର ଚାକିରି ପାଇଁ ଆଜି ବି ଲଢ଼େଇ କରୁଛନ୍ତି। ମାଛକୁଣ୍ଡ ପ୍ରକଳ୍ପ ପାଇଁ ବିସ୍ଥାପିତ ୫୦୦ ପରିବାରକୁ ସରକାର ଆଜି ପର୍ଯ୍ୟନ୍ତ ବିସ୍ଥାପିତ ବୋଲି ସ୍ବୀକାର କରିନାହାନ୍ତି। ହୀରାକୁଦ, ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ (ହାଲ)ରେ ଆବଶ୍ୟକତାଠାରୁ ଅଧିକ ଜମି ଅଧିଗ୍ରହଣ ହୋଇ ଅବ୍ୟବହୃତ ଜମି ଆଦିବାସୀଙ୍କୁ ଫେରାଯାଇ ନାହିଁ।
ଆଉ ଜଣେ ସାମାଜିକ କର୍ମକର୍ତ୍ତାଙ୍କ କହିବାନୁସାରେ, ମାଓବାଦୀ ଗତିବିଧି ଯୋଗୁଁ ଛତିଶଗଡ଼ରେ ସଲଓ୍ବା ଜୁଡୁମ ଏବଂ ମାଓବାଦୀ ଲଢ଼େଇ ବେଳେ ଅନେକ ଆଦିବାସୀ ବିସ୍ଥାପିତ ହୋଇଥିଲେ। ମାଲକାନଗିରିରେ କିଛି ଆଦିବାସୀ ପରିବାର ମାଓବାଦୀଙ୍କ ଧମକ ଯୋଗୁଁ ବର୍ତ୍ତମାନ ସେମାନେ ନିଜ ଗାଁ ଛାଡ଼ି ଚିତ୍ରକୋଣ୍ଡାରେ ରହୁଛନ୍ତି। ଆଦିବାସୀ ବିସ୍ଥାପନର ଏହି ସମସ୍ୟାକୁ ଦୃଷ୍ଟିରେ ରଖି ସାମାଜିକ ସଙ୍ଗଠନ ଏନ୍ଏପିଏମ୍ ପକ୍ଷରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ବିସ୍ଥାପନ ମନ୍ତ୍ରଣାଳୟ ଖୋଲିବା ପାଇଁ ଦାବି କରାଯାଇଥିଲା। ସ୍ବାଧୀନତା ପରଠାରୁ ଆଜି ପର୍ଯ୍ୟନ୍ତ ହୋଇଥିବା ବିସ୍ଥାପିତଙ୍କୁ ନ୍ୟାୟ ପାଇଁ ଦାବି କରାଯାଇଥିଲା। ମାତ୍ର ସରକାର ଏହାକୁ କେବେ ବି ଗୁରୁତ୍ବ ଦେଇନାହାନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ପୁଞ୍ଜି ପ୍ରତ୍ୟାହାର ମନ୍ତ୍ରଣାଳୟ ଖୋଲାଯାଇଥିଲା। ପୋସ୍କୋ ଭଳି ବଡ଼ ପ୍ରକଳ୍ପ ରାଜ୍ୟରୁ ଚାଲିଗଲେ କେନ୍ଦ୍ର ସରକାର ବିଚଳିତ ହୋଇପଡ଼ନ୍ତି, କିନ୍ତୁ ଏହି ପ୍ରକଳ୍ପ ପାଇଁ ତ୍ୟାଗ କରୁଥିବା ଆଦିବାସୀଙ୍କୁ ପଚାରିବାକୁ କେହି ନାହିଁ।