ଏସ୍‌ପିଙ୍କୁ ପୁଲିସ ଡିଜିଙ୍କ କଡ଼ା ନିର୍ଦେଶ: ମାଲଖାନା ଖାଲି କର

ଜବତ ବାଇକ୍‌ ଓ ମୋବାଇଲ ଫୋନ୍‌ ତୁରନ୍ତ ଫେରାଅ

ଭୁବନେଶ୍ୱର : ଦୀର୍ଘ ବର୍ଷ ଧରି ରାଜ୍ୟର ବିଭିନ୍ନ ଥାନା ସମ୍ମୁଖରେ ହଜାର ହଜାର ସଂଖ୍ୟାରେ ବାଇକ୍‌ ଗଦା ହୋଇ ରହିଛି। ସେହିଭଳି ଲକ୍ଷଲକ୍ଷ ସଂଖ୍ୟାରେ ଚୋରା ମୋବାଇଲ୍‌ ଫୋନ୍‌ ମଧ୍ୟ ଜବତ କରଯାଇଛି। ଥାନା ସମ୍ମୁଖରୁ ବାଇକ ହଟାଇବା ସହିତ ଚୋରା ମୋବାଇଲ୍‌ଗୁଡ଼ିକୁ ତୁରନ୍ତ ପ୍ରକୃତ ମାଲିକମାନଙ୍କୁ ଫେରାଇବାକୁ ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ଜିଲ୍ଲା ଏସ୍‌ପିମାନଙ୍କୁ କଡ଼ା ନିର୍ଦେଶ ଦେଇଛନ୍ତି। ମାସକ ମଧ୍ୟରେ ଜବତ ବାଇକ, ମୋବାଇଲ୍‌ ଫୋନ୍‌, ଲାପଟପ୍‌, ସୁନାଗହଣା ଆଦିକୁ ଫେରାଇବାକୁ କୁହାଯାଇଛି। ଡିଜିଙ୍କ ଏଭଳି ନିର୍ଦେଶ ପରେ ଏବେ ଜିଲ୍ଲା ପୁଲିସ ଚଳଚଞ୍ଚଳ ହୋଇ ଉଠିଛି।

ପୁଲିସ ଡିଜି ଶର୍ମାଙ୍କ ସୂଚନା ମୁତାବକ, ବିଭିନ୍ନ ଥାନା ଅଞ୍ଚଳରେ ବାଇକ୍‌ ଓ ମୋବାଇଲ୍‌ ଫୋନ୍‌ ଚୋରି ହେଉଛି। ଏ ନେଇ ବିଭିନ୍ନ ଥାନା ପୁଲିସ ମାମଲା ରୁଜୁ କରିବା ସହିତ ଅପରାଧୀଙ୍କୁ ଗିରଫ କରୁଛି। ସେମାନଙ୍କ ନିକଟରୁ ପୁଲିସ ମୋବାଇଲ୍‌ ଫୋନ୍‌ ଓ ଚୋରା ବାଇକ୍‌ ଜବତ କରୁଛି। ଶହ ଶହ ସଂଖ୍ୟାରେ ଚୋରା ବାଇକ୍‌ ଓ ମୋବାଇଲ୍‌ ଫୋନ୍‌ ଜବତ ହେବା ପରେ ଥାନାରେ ଗଦା ହୋଇ ରହୁଛି। ଏହାଦ୍ୱାରା ଥାନା ପରିସରରେ ଜାଗା ସଂକୁଚିତ ହେଉଛି। ଖରା, ବର୍ଷା ଓ କାକରରେ ପଡ଼ି ବାଇକ୍‌ଗୁଡ଼ିକ ନଷ୍ଟ ବି ହେଉଛି।

ପୁଲିସ ଡିଜି ଶର୍ମାଙ୍କ କହିବା ଅନୁଯାୟୀ, ବାଇକ୍‌ରେ ଥିବା ନମ୍ବର, ଚେଚିସ ନମ୍ବରକୁ ଆଧାର କରି ମାଲିକମାନଙ୍କୁ ଖୋଜ। ଆବଶ୍ୟକ ପଡ଼ିଲେ ଆର୍‌ଟିଓ କର୍ତୃପକ୍ଷଙ୍କ ସହଯୋଗ ନେଇ ସେମାନଙ୍କୁ ଚିଠି କର। ସେହିପରି ଜବତ ହୋଇଥିବା ମୋବାଇଲ୍‌ ଫୋନ୍‌ର ଇଏମ୍‌ଆଇ ନମ୍ବର ଯାଞ୍ଚକରି ମାଲିକମାନଙ୍କୁ ଖବର ଦିଅ। ତୁରନ୍ତ ସେମାନେ ଆବଶ୍ୟକୀୟ କାଗଜପତ୍ର ଥାନାରେ ଦେଖାଇ ବାଇକ୍‌ ଓ ମୋବାଇଲ୍‌ ଫୋନ୍‌ ନେବେ। ମାସକ ମଧ୍ୟରେ ଏହି କାମ ସାରିବାକୁ ଡିଜି ନିର୍ଦେଶ ଦେଇଛନ୍ତି।

ଏହା ଛଡ଼ା ଏହି ମାସ ଆରମ୍ଭରୁ ଯେଉଁ ସବୁ ମୋବାଇଲ୍‌ ଫୋନ୍‌ ଓ ବାଇକ ଜବତ ହେଉଛି ସେଗୁଡ଼ିକ ତୁରନ୍ତ ମାଲିକମାନଙ୍କୁ ଫେରାଇବାକୁ ମଧ୍ୟ କୁହାଯାଇଛି। ଯେଉଁ ବାଇକ୍‌ର ମାଲିକ ଓ ମୋବାଇଲ୍‌ ଫୋନ୍‌ର ମାଲିକାନା ଚିହ୍ନଟ ହୋଇ ପାରୁନାହିଁ, ଯେଉଁମାନେ ଇନ୍ସୁରାନ୍ସ କରି ବାଇକ୍‌ ଓ ମୋବାଇଲ ଫୋନ୍‌ ବାବଦ ଟଙ୍କା ପାଇଛନ୍ତି ସେମାନଙ୍କୁ ଚିହ୍ନଟ କରି ସେମାନଙ୍କ ବାଇକ୍‌ ଓ ମୋବାଇଲ୍‌ ଫୋନ୍‌ ନିଲାମ କରିବାକୁ ନିର୍ଦେଶ ହୋଇଛି।

ବିଶେଷସୂତ୍ରରୁ ଯାହା ସୂଚନା ମିଳିଛି ଗତ ଦେଢ଼ ବର୍ଷ ମଧ୍ୟରେ ସାରା ରାଜ୍ୟରେ ପାଖାପାଖି ୧୦ ହଜାର ମୋବାଇଲ୍‌ ଫୋନ୍‌ ଓ ୪ ହଜାର ଚୋରା ବାଇକ୍‌ ଜବତ ହୋଇଛି। ଏହ ପୂର୍ବରୁ ମଧ୍ୟ ଥାନାଗୁଡିକରେ ଶହଶହ ସଂଖ୍ୟାରେ ବାଇକ୍‌ ଓ ମୋବାଇଲ ଫୋନ୍‌ ଜବତ ହୋଇ ପଡ଼ି ରହିଛି।

ଏଠାରେ ପ୍ରକାଶଥାଉକି, ବିଭିନ୍ନ ସମୟରେ ଜବତ ହେଉଥିବା ବାଇକ୍‌ର ଯନ୍ତ୍ରାଂଶ ଥାନାରେ ଖୋଲି ନିଆଯାଉଥିବା ଅଭିଯୋଗ ହୋଇଥାଏ। ବାଇକ୍‌ ମାଲିକମାନେ ବାଇକ୍‌ ନେବାବେଳେ ଦର୍ପଣ, ବ୍ୟାଟେରି, ଚକା, ସାଇଲେନ୍ସର ଆଦି ଯନ୍ତ୍ରାଂଶ ନ ଥାଏ। ମୋବାଇଲ୍‌ ଫୋନ୍‌ରେ ମଧ୍ୟ ବ୍ୟାଟେରି ନ ଥିବାବେଳେ, ଅଚଳ ହୋଇଥିବା ମୋବାଇଲ୍‌ ଫୋନ୍‌ ଧରାଇ ଦିଆଯାଇଥାଏ। ଏହାକୁ ନେଇ ବିଭିନ୍ନ ସମୟରେ ବାଇକ୍‌ ଓ ମୋବାଇଲ୍‌ ଫୋନ୍‌ ମାଲିକମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥାନ୍ତି।

ସମ୍ବନ୍ଧିତ ଖବର