ପୁରୀ : ପୁରୀ ହିଂସା ଘଟଣାରେ ପୁଲିସ ଗିରଫଦାରୀର ସିଧା ପ୍ରଭାବ ମହାପ୍ରଭୁଙ୍କ ସେବାରେ ପଡିଛି। ଗତକାଲି ରାତିରେ ଶ୍ରୀମନ୍ଦିରରେ ଜଣେ ବିମାନବଡୁ ସେବକ ନୀଳକଣ୍ଠ ଦାସ (୨୧)ଙ୍କୁ ପୁଲିସ ଗିରଫ କରିବା ପରେ ଆଜି ମହାପ୍ରଭୁଙ୍କ ନୀତି ୪ ଘଣ୍ଟା ବିଳମ୍ବିତ ହୋଇଛି। ବିମାନବଡୁ ସେବକଙ୍କ ପାଲିଙ୍କି ଉଠାଇ ନଥିବାରୁ ଦୁର୍ଗାମାଧବ ବିମଳା ମନ୍ଦିରକୁ ବିଳମ୍ବରେ ବିଜେ କରିଥିଲେ। ଦୁର୍ଗାମାଧବ ପ୍ରାୟ ୪ ଘଣ୍ଟା କାଳ ମୁକ୍ତି ମଣ୍ଡପ ସମ୍ମୁଖରେ ଅସହାୟ ହୋଇ ପାଲିଙ୍କି ଉପରେ ବସି ରହିଥିଲେ। ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ବିଳମ୍ବିତ ହୋଇଥିବା ବେଳେ ଅପରାହ୍ନ ପ୍ରାୟ ୫ଟା ବେଳେ ଦ୍ବିପ୍ରହର ଧୂପ ନୀତି ହୋଇଥିବା ଜଣାପଡ଼ିଛି। ସେବାୟତଙ୍କୁ ଗିରଫ କଲେ ମହାପ୍ରଭୁଙ୍କ ସେବାରେ ଯେ ଭୟଙ୍କର ସଙ୍କଟ ଉପୁଜିବ ତାହା ଆଜି ସ୍ପଷ୍ଟ ହୋଇଯାଇଛି। ଖାଲି ସେତିକି ନୁହେଁ, ସେବା ବନ୍ଦ କରିବାକୁ ମଧ୍ୟ ଧମକ ମିଳିଛି। ବିମାନବଡୁ ସେବକଙ୍କ ଏ ପ୍ରକାର ଚେତାବନୀକୁ ନେଇ ବର୍ତ୍ତମାନ ମନ୍ଦିର ପ୍ରଶାସନ ଅଡୁଆରେ ପଡିଛି। ପୁଲିସ ଅନ୍ୟ କିଛି ନିଯୋଗ ସେବାୟତଙ୍କ ନାମରେ ମାମଲା ରୁଜୁ କରିଥିଲେ ହେଁ ସେମାନଙ୍କୁ ଗିରଫ କରିବ କି ଛାଡିବ ସେ ନେଇ ସନ୍ଦେହ ଉପୁଜିଛି।
ସୂଚନାଯୋଗ୍ୟ, ଗତ ୩ ତାରିଖ ବନ୍ଦ ଘଟଣାରେ ପୁଲିସ ଗତକାଲି ବିମାନବଡୁ ସାହିର ନୃସିଂହଙ୍କୁ ତାଙ୍କୁ ଘରୁ ଉଠାଇ ଆଣିଥିଲା। ଏହି ଘଟଣାକୁ ନେଇ ବିମାନବଡୁ ସେବକ ପୁଲିସ ଉପରେ କ୍ଷୁବ୍ଧ ଥିଲେ। ଆଜି ସକାଳ ଧୂପ ପରେ ବିମାନବଡୁ ସେବକ ଦୁର୍ଗାମାଧବଙ୍କୁ ପାଲିଙ୍କିରେ ବିଜେ କରାଇବାକୁ ମନା କରିଦେଇଥିଲେ। ତାଙ୍କର ଜଣେ ସେବକଙ୍କୁ ଗିରଫ ପ୍ରତିବାଦରେ ସମସ୍ତ ବିମାନ ବଡୁ ସେବକ ଏକାଠି ହୋଇ ସେବାରେ ଅସହଯୋଗ କରିଥିଲେ। ମନ୍ଦିର ପ୍ରଶାସନ ପକ୍ଷରୁ କମାଣ୍ଡର ଯାଇ ବିମାନବଡୁ ସେବକଙ୍କୁ ପାଲିଙ୍କି ନେବାକୁ କହିଥିଲେ। ମାତ୍ର ସେବକମାନେ ନେଇନଥିଲେ। ଦୁର୍ଗାମାଧବ ଦୀର୍ଘ ସମୟ ଧରି ପାଲିଙ୍କି ଉପରେ ମୁକ୍ତି ମଣ୍ଡପ ସମ୍ମୁଖରେ ବସି ରହିଥିଲେ। ପ୍ରତିଦିନ ବିମାନବଡୁମାନେ ଦୁର୍ଗାମାଧବଙ୍କୁ ବିମଳାଙ୍କ ମନ୍ଦିରରେ ବିଜେ କରାଇବା ପରେ ସେଠାରେ ନୀତି ହୋଇଥାଏ। ମହାପ୍ରଭୁଙ୍କ ନୀତି ସହିତ ଏହାର ସଂପର୍କ ରହିଛି। ବିମାନବଡୁ ନିଯୋଗ ସହିତ ଆଲୋଚନା କରିବା ପରେ ସେବକ ବିଳମ୍ବରେ ପାଲିଙ୍କି ବିଜେ କରାଇଥିଲେ। ତେବେ ଏ ନେଇ ମନ୍ଦିର ପ୍ରଶାସନକୁ ଚେତାବନୀ ଦେଇଛନ୍ତି ବିମାନବଡୁ ସେବକ। କହିଛନ୍ତି, ପୁଲିସ ଯଦି ସେବକଙ୍କ ଘରକୁ ଯାଇ ହଇରାଣ କରେ ଆସନ୍ତାକାଲି ସେମାନେ ପାଲିଙ୍କି ଉଠାଇବେ ନାହିଁ। ଏଭଳି ପରିସ୍ଥିତିରେ ଅନ୍ୟ ନିଯୋଗର ସେବାୟତଙ୍କୁ ପୁଲିସ ଗିରଫ କଲେ ମହାପ୍ରଭୁଙ୍କ ସେବାରେ ଅଚଳାବସ୍ଥା ଉପୁଜିବ ବୋଲି ଏବେଠୁ ଜଳଜଳ ଦେଖାଦେଲାଣି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/jaga-4.jpg)