ଗାନ୍ଧୀଛକ: ଦିନେ ନୁହେଁ କି ଦୁଇଦିନ ନୁହେଁ, ୭୦ ଦିନ ହେଲା କୁନି କୁନି ପିଲାମାନେ ଅଙ୍ଗନବାଡ଼ିରୁ ଭୋକିଲା ପେଟରେ ଫେରୁଛନ୍ତି। କାରଣ ବି ତାଜୁବ୍ କଲାଭଳି। ୱାର୍ଡସଭ୍ୟା ତଥା ପରିଚାଳନା କମିଟି ସଭାପତି ଏବଂ ଅଙ୍ଗନବାଡ଼ି କର୍ମୀଙ୍କ ମଧ୍ୟରେ ବିବାଦ ଯୋଗୁଁ ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ୍ରେ ଏହିଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ସୂଚନା ଅନୁସାରେ, ବସ୍ତା ବ୍ଲକ୍ ଅନ୍ତର୍ଗତ ତାଡ଼ଦା ପଞ୍ଚାୟତ ପାଣିଶୁଳିଆଠାରେ ରହିଛି ଏକ ଅଙ୍ଗନବାଡ଼ି କେନ୍ଦ୍ର। ଗତ ସେପ୍ଟେମ୍ବର ମାସ ଏହି କେନ୍ଦ୍ରରେ ପଢ଼ୁଥିବା ଜଣେ ଛାତ୍ର ଘରକୁ ସିଝା ଅଣ୍ଡା ନେଇଯାଇଥିଲେ। ମାତ୍ର ଅଣ୍ଡାଟି ଖରାପ (ପଚା) ଥିବାରୁ ତାଙ୍କ ବାପା ସୁଜିତ କୁମାର ଦାସ ଓ ୱାର୍ଡସଭ୍ୟା ତଥା ଅଙ୍ଗନବାଡ଼ି ପରିଚାଳନା କମିଟିର ସଭାପତି ଥିବା ମାଆ ରଶ୍ମିରଂଜିତା ଦଳାଇ ପରଦିନ ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଇ ଘଟଣା ସମ୍ପର୍କରେ ପଚାରିଥିଲେ। ଏହି ସମୟରେ ସୁଜିତ, ରଶ୍ମିରଂଜିତା ଏବଂ ଅଙ୍ଗନବାଡ଼ି କର୍ମୀ ବୀଣାପାଣି ଦାସ ଏବଂ ତାଙ୍କ ଝିଅ ଶୁଭଲକ୍ଷ୍ମୀ ଗିରିଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା।
ବୀଣାପାଣି ସିଂଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସେହିପରି ବସ୍ତା ସିଡିପିଓ ଦୀପ୍ତିରାଣୀ ସିଂହ ମଧ୍ୟ ସିଂଲା ଥାନାରେ ଏତଲା ଦେଇଥିଲେ। ଫଳରେ ପୁଲିସ ୧୬୪/୨୪ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଅଙ୍ଗନବାଡ଼ି କର୍ମୀ ବୀଣାପାଣି ଅଭିଯୋଗ କରିଛନ୍ତି, ୱାର୍ଡସଭ୍ୟ ତଥା ଅଙ୍ଗନବାଡ଼ି ପରିଚାଳନା କମିଟିର ସଭାପତି ରଶ୍ମିରଂଜିତା ଦସ୍ତଖତ କରୁ ନଥିବା ଯୋଗୁଁ କେନ୍ଦ୍ରକୁ ଆସୁଥିବା ସରକାରୀ ଅନୁଦାନ ଟଙ୍କା ବ୍ୟାଙ୍କରୁ ଉଠାଯାଇ ପାରୁନି କି ପିଲାମାନଙ୍କ ପାଇଁ ରାସନ୍ କିଣା ଯାଇପାରୁନି। ଯାହାଦ୍ବାରା ୭୦ ଦିନ ହେଲା ସେମାନେ ଅଙ୍ଗନବାଡ଼ି କେନ୍ଦ୍ରରୁ ଭୋକିଲା ପେଟରେ ଘରକୁ ଫେରୁଛନ୍ତି। ଅନ୍ୟପଟେ ୱାର୍ଡସଭ୍ୟ ତଥା ଅଙ୍ଗନବାଡ଼ି ପରିଚାଳନା କମିଟିର ସଭାପତି ରଶ୍ମିରଂଜିତା କହିଛନ୍ତି, ଅଙ୍ଗନବାଡ଼ି କର୍ମୀ ବୀଣାପାଣି ପିଲାଙ୍କ ଖାଦ୍ୟ ସାମଗ୍ରୀ ହଡ଼ପ କରୁଛନ୍ତି। କୌଣସି ହିସାବ ଦେଉନାହାନ୍ତି। ତେଣୁ ମୁଁ ବ୍ୟାଙ୍କରୁ ଟଙ୍କା ଉଠାଣ ଫର୍ମରେ ଦସ୍ତଖତ କରୁନି। ଏ ନେଇ ବସ୍ତା ସିଡିପିଓ ଦୀପ୍ତିରାଣୀ ସିଂ’ଙ୍କ ସହ ଯୋଗାଯୋଗ କରାଯାଇଥିଲା। ତାଙ୍କ କହିବା କଥା ହେଲା, ଘଟଣାଟି ବେଶ୍ ସମ୍ବେଦନଶୀଳ। ସ୍ଥାନୀୟ ସରପଞ୍ଚଙ୍କ ସହ ଆଲୋଚନା ଚାଲିଛି। ଖୁବ୍ଶୀଘ୍ର ସମସ୍ୟାର ସମାଧାନ ହୋଇଯିବ।