ଉମରକୋଟ : ସଂରକ୍ଷିତ ଜଙ୍ଗଲ ଜମିକୁ କେନ୍ଦ୍ର କରି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍‌ରେ ଉଗ୍ର ହେଲା ବିବାଦ। ବୁର୍ଜା ପଞ୍ଚାୟତ ଅନ୍ତର୍ଗତ କପସଭଟା ଗାଁରେ ୧୦୦ ଏକକରୁ ଊର୍ଦ୍ଧ୍ବ ମକା ଫସଲକୁ ନଷ୍ଟ କରି ଦେଇଛି ବନ ସୁରକ୍ଷା ସମିତି। ଏପରିକି କିଛି ଘରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ଏହାପରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। କ୍ଷତିଗ୍ରସ୍ତ ପରିବାର ପ୍ରଶାସନ ଉପରେ ଆସ୍ଥା ହରାଇ ବିବାଦର ସମାଧାନ ପାଇଁ ଆସିଲେ ନାହିଁ। ଯାହାଫଳରେ ଏହି ବିବାଦ ଆଗକୁ ବିସ୍ଫୋରକ ରୂପ ନେଇପାରେ ବୋଲି ଅନୁମାନ କରାଯାଉଛି। ପୁଲିସ ଏବଂ ପ୍ରଶାସନ ନିକଟରେ ଏଭଳି ଅଭାବନୀୟ ଘଟଣା ଘଟିବ ବୋଲି ପୂର୍ବରୁ ସୂଚନା ରହିଥିଲା। ତଥାପି ଘଟଣାକୁ ହାଲ୍‌କା ମନେ କରି ଚୁପ୍‌ ରହିଥିଲେ। ତେଣୁ ଏତେ ବଡ଼ ଘଟଣା ଘଟିଲା ବୋଲି କୁହାଯାଉଛି।

Advertisment

ସୂଚନା ଅନୁସାର କପସାଭଟା, ସାରିଆଭଟା ଓ ଲାକଟିପକନା ଗାଁର ୫୦ରୁ ଊର୍ଦ୍ଧ୍ବ ଆଦିବାସୀ ପରିବାର ବହୁ ବର୍ଷ ହେଲା ଜଙ୍ଗଲ ଜମିକୁ ଅକ୍ତିଆର କରି ଚାଷ କରି ଆସୁଥିଲେ। ତେଣୁ ଜଙ୍ଗଲ ଜମି ଅଧିକାର ଆଇନ ଅନୁଯାୟୀ ସେହି ପରିବାରକୁ ଜମି ପଟ୍ଟା ଦିଆଯାଇଥିଲା। କିନ୍ତୁ ସମୟକ୍ରମେ ଏହି ପରିବାର ପଟ୍ଟା ଜମି ବ୍ୟତୀତ ଆଉ କିଛି ଜଙ୍ଗଲ ଜମିକୁ ମଧ୍ୟ ନିଜ ଅକ୍ତିଆରକୁ ନେଇ ସେଥିରେ ଚାଷ କରୁଥିଲେ। ଯାହାକୁ କୁସୁମଗୁଡ଼ା, ସିର୍ଲିଗୁଡ଼ା, ସିର୍ଲିଗୁଡା (ଆଦିବାସୀ), ବାମନଦେଇଭଟା, ପଲବେଡ଼ା, କସରାଭଟା ଓ ଚିଚନାଗୁଡ଼ା ଗାଁର ବନ ସୁରକ୍ଷା ସମିତି ବିରୋଧ କରି ଆସୁଥିଲା। ଏପରିକି ଅନାଧିକାର ଭାବେ ଅକ୍ତିଆର ହୋଇଥିବା ଜଙ୍ଗଲ ଜମିକୁ ନିଜ ଅଧୀନକୁ ଆଣିଥିଲା। ତେଣୁ ବହୁ ବର୍ଷ ହେଲା ବନ ସୁରକ୍ଷା ସମିତି ଏବଂ ଉପରୋକ୍ତ ତିନୋଟି ଗାଁର ଲୋକଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଏଭଳି ବିବାଦୀୟ ପରିସ୍ଥିତିରେ ବି ଚଳିତ ବର୍ଷ କପସାଭଟା, ସାରିଆଭଟା ଓ ଲାକଟିପକନା ଗାଁର ଲୋକ ବିବାଦୀୟ ଜମିରେ ମକା ଚାଷ କରିଥିଲେ।

ତାଗିଦ୍‌ ସତ୍ତ୍ବେ ବେଖାତିର କରି ଚାଷ କରିଥିବାରୁ ଉତ୍‌କ୍ଷିପ୍ତ ହୋଇଯାଇଥିଲା ବନ ସୁରକ୍ଷା ସମିତି। ଶହ ଶହ ସଂଖ୍ୟାରେ ପୁରୁଷ, ମହିଳା ଆଜି ଗାଈଗୋରୁଙ୍କୁ ନେଇ ମକା ଫସଲ ନଷ୍ଟ ଉଦ୍ଦେଶ୍ୟରେ ଜମିରେ ଛାଡ଼ି ଦେଇଥିଲେ। ରାସ୍ତାରେ ଗଛ କାଟି ପକାଇ ରାସ୍ତ ଅବରୋଧ କରିଥିଲେ। ଜମିକୁ ଲାଗି ରହିଥିବା କିଛି ଘରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ଖବର ପାଇ କପସାଭଟା, ସାରିଆଭଟା ଓ ଲାକଟିପକନା ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ଉମରକୋଟ ତହସିଲଦାର ଏନ୍‌. ଜଗତ ଜୀବନ ଚୌଧୁରୀ, ଉମରକୋଟ ଥାନା ଆଇଆଇସି ଦୀପକ କୁମାର ଜେନା, ଉମରକୋଟ ରେଞ୍ଜର ପୂର୍ଣ୍ଣଚନ୍ଦ୍ର ନାୟକ ଏବଂ ପୁଲିସ ଫୋର୍ସ ପହଞ୍ଚିଥିଲେ। ଆଲୋଚନା ପାଇଁ ଡାକିଥିଲେ ସୁଦ୍ଧା କପସାଭଟା, ସାରିଆଭଟା ଓ ଲାକଟିପକନା ଗ୍ରାମବାସୀ ଆସି ନଥିଲେ। ପୁଲିସ ଏବଂ ବ୍ଲକ୍‌ ପ୍ରଶାସନ ଉପରେ ସେମାନଙ୍କ ଆସ୍ଥା ନଥିବା ଜଣାଇଥିଲେ। ଆଉ ଗାଁରେ ରହିବେ ନାହିଁ ଏବଂ ଜିଲ୍ଲାପାଳଙ୍କୁ ଘଟଣା ସଂକ୍ରାନ୍ତରେ ଅବଗତ କରାଇବେ ବୋଲି ଗାଁ ଛାଡ଼ି ଚାଲି ଯାଇଥିଲେ। ବହୁ ସମୟ ଧରି ପ୍ରଶାସନ ଏବଂ ପୁଲିସ ଅପେକ୍ଷା କରି ସେଠାରୁ ଚାଲି ଆସିଥିଲେ। କୌଣସି ଗୋଷ୍ଠୀ ପକ୍ଷରୁ ଶେଷ ଖବର ସୁଦ୍ଧା ଲିଖିତ ଅଭିଯୋଗ ହୋଇନଥିବା ଉମରକୋଟ ଥାନା ଆଇଆଇସି ଦୀପକ କୁମାର ଜେନା ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ବନ ସୁରକ୍ଷା ସମିତି ସଦସ୍ୟ ଗଙ୍ଗାଧର ମାଝୀ ଓ ସିର୍ଲିଗୁଡ଼ା ୱାର୍ଡସଭ୍ୟ ପୂର୍ଣ୍ଣ ଗଣ୍ଡ ଜମିରେ ଗାଈ ଚରାଇ ମକା ଫସଲ ନଷ୍ଟ ଘଟଣାକୁ ସ୍ବୀକାର କରିଛନ୍ତି। କିନ୍ତୁ ଘର ପୋଡିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି।