ସଭାପତିତ୍ବକୁ ନେଇ ବିବାଦ : ସାଂସଦ ଓ ବିଧାୟକଙ୍କ ସମ୍ବର୍ଦ୍ଧନା ସଭାରେ ବିଜେଡି କର୍ମୀଙ୍କ ଧସ୍ତାଧସ୍ତି

ନାଉଗାଁ : ଜଗତସିଂହପୁରର ନବନିର୍ବାଚିତ ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ ଓ ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ଆଜି ନାଉଗାଁ ବ୍ଲକ ବିଜେଡି ତରଫରୁ ଦିଆଯାଉଥିବା‌ ସମ୍ବର୍ଦ୍ଧନା ସଭାରେ ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ଧସ୍ତାଧସ୍ତି ହୋଇଛି। ସମ୍ବର୍ଦ୍ଧନା ସଭାର ସଭାପତିତ୍ବକୁ ନେଇ ବ୍ଲକ୍‌ ବିଜେଡି ସଭାପତି ସୁଜିତ ମଲ୍ଲିକ ଓ ପଞ୍ଚାୟତ ସମିତି ଅଧ୍ୟକ୍ଷ ଜଗନ୍ନାଥ ଦାସଙ୍କ ଗୋଷ୍ଠୀ ଭିତରେ କଳହ ହୋଇଥିଲା। ଏହାକୁ ନେଇ ସଭାରେ କିଛି ସମୟ ପାଇଁ ଉ‌ତ୍ତେଜନା ଦେଖା ଦେଇଥିଲା। ତେବେ ବ୍ଲକ୍‌ ବିଜେଡି ସଭାପତି ଶ୍ରୀ ମଲ୍ଲିକଙ୍କ ସମର୍ଥକମାନେ ହୋ-ହଲ୍ଲା କରି ଘଟଣାସ୍ଥଳରୁ ଚାଲିଯିବା ପରେ ସଭା ସ୍ବାଭାବିକ ଭାବେ ଚାଲିଥିଲା।

ନିର୍ବାଚନ ପରେ ଆଜି ପ୍ରଥମ ଥର ପାଇଁ ନାଉଗାଁ ବ୍ଲକ୍‌ରେ ବିଜେଡି ପକ୍ଷରୁ ନବ ନିର୍ବାଚିତ ସାଂସଦ ଡକ୍ତର ମଲ୍ଲିକ ଓ ବିଧାୟକ ଶ୍ରୀ ମୁଦୁଲିଙ୍କ ପାଇଁ ସମ୍ବର୍ଦ୍ଧନା ସଭାର ଆ‌ୟୋଜନ କରାଯାଇଥିଲା। ସ୍ଥାନୀୟ ସୂର୍ଯ୍ୟମଣ୍ତପରେ ଆୟୋଜିତ ଏହି ଉତ୍ସବରେ ସଭାପତିତ୍ବ କରିବା ପାଇଁ ପଞ୍ଚାୟତ ସମିତି ଅଧ୍ୟକ୍ଷ ଜଗନ୍ନାଥ ଦାସଙ୍କୁ ଦାୟିତ୍ବ ଦିଆଯାଇଥିଲା। ତେବେ ବିଜେଡି ବ୍ଲକ୍‌ ସଭାପତି ସୁଜିତ ମଲ୍ଲିକ ଓ ତାଙ୍କ ସମର୍ଥକମାନେ ଏହାକୁ ନେଇ ଅସନ୍ତୁଷ୍ଟ ଥିଲେ। ଦଳୀୟ ସଭା ହୋଇଥିବାରୁ ଏଥିରେ ବ୍ଲକ୍‌ ବିଜେଡି ସଭାପତି ସୁଜିତ କାହିଁକି ସଭାପତିତ୍ବ କରିବେନି ବୋଲି ତାଙ୍କ ସମର୍ଥକମାନେ ପ୍ରଶ୍ନ କରିଥିଲେ। ତେଣୁ ସଭା ଆରମ୍ଭ ହେବା କ୍ଷଣି ସରୋଜଙ୍କ ସମର୍ଥକମାନେ ହୋ-ହଲ୍ଲା କରିଥିଲେ। ଏହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରଥମେ ଯୁକ୍ତିତର୍କ ଓ କିଛି ସମୟ ପରେ ଧସ୍ତାଧସ୍ତି ହୋଇଥିଲା। ତେବେ ଅନ୍ୟ କର୍ମୀମାନେ ହସ୍ତକ୍ଷେପ କରିବା ପରେ ବ୍ଲକ୍‌ ସଭାପତି ସରୋଜଙ୍କ ସମର୍ଥକମାନେ ଅସନ୍ତୋଷ ପ୍ରକାଶ କରି ଘଟଣାସ୍ଥଳରୁ ଚାଲି ଯାଇଥିଲେ। ଏହା ପରେ ସଭା ଠିକ୍‌‌ରେ ଚାଲିଥିଲା।

ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମସ୍ତ ୧୬ଟି ପଞ୍ଚାୟତର ଦଳ ସମର୍ଥିତ ସରପଞ୍ଚ, ସମିତି ସଭ୍ୟ ଓ କର୍ମୀମାନେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ବରିଷ୍ଠ ବିଜେଡି ନେତା ଅଜୟ ମହାନ୍ତି ସ୍ବାଗତ ଭାଷଣ ଦେବା ସହ ସାଂସଦ ଡାକ୍ତର ମଲ୍ଲିକ ଓ ବିଧାୟକ ଶ୍ରୀ ମୁଦୁଲିଙ୍କୁ ଅଭିନନ୍ଦନ ଜଣାଇ ସମ୍ବର୍ଦ୍ଧିତ କରିଥିଲେ। ସମ୍ବର୍ଦ୍ଧନାର ଉତ୍ତରରେ ସାଂସଦ ଓ ବିଧାୟକ ଅଭିଭାଷଣ ରଖି ନାଉଗାଁ ଅଞ୍ଚଳରେ କିପରି ନବୀନ ପଟ୍ଟନାୟକଙ୍କ ସମସ୍ତ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ ହେବ ସେ ନେଇ ଲୋକଙ୍କ ସହଯୋଗ ଲୋଡ଼ିଥି‌ଲେ। କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପ୍ରୟଦର୍ଶିନୀ ବିଶ୍ବାଳ, ଉପାଧ୍ୟକ୍ଷ ଲିଙ୍ଗରାଜ ସ୍ବାଇଁ, ପୂର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସ, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ପ୍ରକାଶ ବସ୍ତିଆ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଏଲିନା ଦାସ, ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷା ଅମିତା ସ୍ବାଇଁ, ଯୁବନେତା ଜ୍ୟୋତିପ୍ରକାଶ ନାୟକ, ବିସ୍ମୟାନନ୍ଦ ସ୍ବାଇଁ, ପୃଥ୍ବୀରାଜ ମହାନ୍ତି, ଓମପ୍ରକାଶ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ତେବେ, ବିଜେଡି ଜିଲ୍ଲା ସଭାପତି ଅମରେନ୍ଦ୍ର ଦାସ ଏହି ସଭାରେ ଅନୁପସ୍ଥିତ ଥିବାରୁ ତାହାକୁ ନେଇ ଚର୍ଚା ହୋଇଥିଲା। ପ୍ରଥମେ ଦୁଇ ନେତାଙ୍କୁ ନୂଆପଟଣା ଛକଠାରୁ ଏକ ବାଇକ ଶୋଭାଯାତ୍ରାରେ ସଭାସ୍ଥଳକୁ ପାଛୋଟି ନିଆଯାଇଥିଲା।

ସମ୍ବନ୍ଧିତ ଖବର