ସାଂସଦ ସଂଗୀତାଙ୍କ ବିରୋଧରେ ମୁହଁ ଖୋଲିଲେ ଅନୁଗତ! ବିଧାୟକଙ୍କ ସହ ବୈଠକର ଭିଡିଓ ଭାଇରାଲ

ବଲାଙ୍ଗୀର/ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ବିଜେପି ଶିବିରରେ ଏବେ ହଇଚଇ। ପାଟଣାଗଡ଼ ବିଜେଡି ବିଧାୟକ ସରୋଜ ମେହେରଙ୍କ ସହ ଜିଲ୍ଲା ବିଜେପିର ତିନିଜଣ ମୁଣ୍ଡିଆଳ ନେତାଙ୍କ କଥୋପକଥନର ତିନିଟି ଭିଡିଓ ଏବେ ଭାଇରାଲ ହୋଇଛି। ବ୍ଲକ ବିକାଶ ପ୍ରସଙ୍ଗରେ କଥା ହେଉ ହେଉ ଏହି ତିନି ନେତା ସାଂସଦ ସଂଗୀତା କୁମାରୀ ସିଂହଦେଓଙ୍କ ବିରୋଧରେ ବି କିଛି ଚର୍ଚ୍ଚା କରୁଥିବାର ଭିଡିଓରେ ଦେଖିବାକୁ ମିଳୁଛି। ଗୋଟିଏ ଭିଡିଓ କଣ୍ଟାବାଞ୍ଜିର ଏକ ହୋଟେଲରେ ହୋଇଥିବା ‌କଥୋପକଥନର ବୋଲି ଜଣାପଡ଼ିଛି। ଆଉ ଏକ ଭିଡିଓରେ ବିଡିଓ ଓ ଯନ୍ତ୍ରୀ ବି ଥିବା ଜଣାପଡ଼ୁଛି। ଭିଡିଓରେ ବିଧାୟକ ଶ୍ରୀ ମେହେରଙ୍କ ଚେହେରା ଜଣାପଡ଼ୁନଥିଲେ ମଧ୍ୟ ତାଙ୍କ ସ୍ୱର ସ୍ପଷ୍ଟ ବାରି ହୋଇପଡ଼ୁଛି। ଭିଡିଓ କ୍ଲିପ୍‌ଗୁଡ଼ିକ ଗଣମାଧ୍ୟମ ହାତରେ ପଡ଼ିବା ପରେ ଜିଲ୍ଲା ରାଜନୀତିରେ ଆଲୋଡ଼ନ ଖେଳିଯାଇଛି। ଏହାପରେ ଉପରୋକ୍ତ ତିନି ବିଜେପି ନେତା ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି ବିଧାୟକଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ଆଣିଛନ୍ତି। ବ୍ଲକର ବିକାଶ ପ୍ରସଙ୍ଗରେ କଥା ହେବାକୁ ବିଧାୟକ ସେମାନଙ୍କୁ ଡାକିଥିଲେ ଓ ସେଠାରେ ହୋଇଥିବା କଥାବାର୍ତ୍ତାରୁ ନିଜେ କହିଥିବା ଅଂଶକୁ କାଟି ଏଭଳି ଭିଡିଓ ଭାଇରାଲ କରିଛନ୍ତି ବୋଲି ଏହି ତିନି ବିଜେପି ନେତା ଗଣମାଧ୍ୟମକୁ କହିଛନ୍ତି।

ଏହି ତିନି ବିଜେପି ନେତା ହେଲେ ଦଳର ଜିଲ୍ଲା ସଭାପତି ତଥା ପାଟଣାଗଡ଼ ବ୍ଲକ୍‌ ଅଧ୍ୟକ୍ଷ ଭକ୍ତବନ୍ଧୁ ନାଏକ, ଜିଲ୍ଲା ବିଜେପି ଉପସଭାପତି ତଥା ବେଲପଡ଼ା ବ୍ଲକ ଅଧ୍ୟକ୍ଷା ବୈଜୟନ୍ତୀ ପାଣିଗ୍ରାହୀଙ୍କ ସ୍ୱାମୀ ନୀଳ ପାଣିଗ୍ରାହୀ ଓ ଖପ୍ରାଖୋଲ ବ୍ଲକ ଅଧ୍ୟକ୍ଷା ପୂର୍ଣ୍ଣମାସୀ ବରିହାଙ୍କ ସ୍ୱାମୀ ରଘୁବୀର ସିଂ ବରିହା। ଏମାନେ ସାଂସଦ ଶ୍ରୀମତି ସଂଗୀତା ସିଂହଦେଓ ଓ ପୂର୍ବତନ ବିଧାୟକ କନକ ବର୍ଦ୍ଧନ ସିଂହଦେଓଙ୍କ ଅନୁଗତ ଭାବେ ଜିଲ୍ଲାରେ ପରିଚିତ। କିନ୍ତୁ ଭାଇରାଲ ହୋଇଥିବା ଭିଡିଓରେ ସେମାନେ ସାଂସଦଙ୍କ ବିରୋଧରେ ଚର୍ଚ୍ଚା କରୁଛନ୍ତି। ଦଳରେ ସେମାନେ କଷ୍ଟରେ ଅଛନ୍ତି ଏବଂ ଖୁବ୍‌ଶୀଘ୍ର ଜିଲ୍ଲା ବିଜେପିରେ କିଛି ଘଟଣା ଘଟିପାରେ ବୋଲି ମଧ୍ୟ ସୂଚନା ଦେଉଛନ୍ତି, ଯାହାକି ଏବେ ଆଲୋଚନାର ବିଷୟ ହୋଇଛି। ବିଜେପିରେ ଅନୁଗତମାନେ ବି ଏବେ ସାଂସଦଙ୍କ ବିରୋଧରେ ମେଳି କଲେଣି ଓ ଏହି ଭିଡିଓ ତା’ଣ ପ୍ରମାଣ ବୋଲି ଜିଲ୍ଲାର ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି।

ଭିଡିଓ ଭାଇରାଲ ହେବା ପରେ ଶ୍ରୀ ନାଏକ, ଶ୍ରୀ ପାଣିଗ୍ରାହୀ ଓ ଶ୍ରୀ ବରିହା ପୂର୍ବ ବିଧାୟକ କନକ ବର୍ଦ୍ଧନ ସିଂହଦେଓଙ୍କ ଘରକୁ ଯାଇଥିଲେ। ଏହା ପରେ ଏକ ପ୍ରେସ ନୋଟ୍‌ରେ ନିଜର ସଫେଇ ଦେଇଛନ୍ତି। ଉକ୍ତ ତିନିଜଣଙ୍କ ଦସ୍ତଖତ ଥିବା ପ୍ରେସ ନୋଟରେ ଉଲ୍ଲେଖ ରହିଛି ଯେ, କିଛିମାସ ତଳେ ବିଧାୟକ ସରୋଜ ମେହେର ସେମାନଙ୍କୁ ବ୍ଲକର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର ଆଲୋଚନା କରିବା ପାଇଁ ଡାକିଥିଲେ। ବ୍ଲକରେ ଉନ୍ନୟନ କାର୍ଯ୍ୟ ସବୁ ବାଧା ହେଉଥିବା ଯୋଗୁଁ ଆମେ ମଧ୍ୟ ଆଲୋଚନା କରିବାକୁ ଯାଇଥିଲୁ। ତେବେ ଆଲୋଚନା ହେବା ପରେ କିଛି ‌ଦିନ ହେବ ବିଧାୟକ ଶ୍ରୀ ମେହେର ସେମାନଙ୍କୁ ବ୍ଲାକ୍‌ମେଲ୍‌ କରି ଭିଡିଓ ଭାଇରାଲ କରିଥିବା ସେମାନେ ଉଲ୍ଲେଖ କରିଛନ୍ତି। ଏ ସଂପର୍କରେ ବିଧାୟକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

ଭିଡିଓରେ କ’ଣ ଅଛି?

ଭିଡିଓ-୩
ବିଧାୟକ: ବଲାଙ୍ଗୀର ଜିଲ୍ଲାରେ ତାଙ୍କର ଆଉ କିଛି ନାହିଁ।
ଭକ୍ତ: ଆମେ ଦଳରେ ଅଛୁ ଯେ କଣ ହେଲା… ଆମେ ବି ବହୁତ କଷ୍ଟ ଭିତରେ ଅଛୁ…। ଏହା ଜେନୁଇନ୍‌ କଥା ଭାଇ।
ଭକ୍ତ: ବ୍ଲକ କାମଧାମରେ ଆମ ଭିତରେ ଠିକ୍‌ ରହିଲେ ହେଲା…। ଆପଣ (ବିଧାୟକ) ବ୍ଲକକୁ ଯେତିକି କାମ ଆଣିବେ ଆଣନ୍ତୁ।

ଭିଡିଓ-୨
ନୀଳ ପାଣିଗ୍ରାହୀ: ପାଟଣାଗଡ଼ ଓ ଖପ୍ରାଖୋଲ ବିଡିଓଙ୍କୁ ଡାକିଥିଲା, ଆଉ ଗାଳିଗୁଲଜ କରିଥିଲା। ଶିବାଜୀ ଫିବାଜୀ କିଛି ଲୋକ ଏମ୍‌ପିଙ୍କ ମୁଣ୍ଡକୁ ୱାସ୍‌ କରୁଛନ୍ତି। ଗତ କିଛିଦିନ ତଳେ, ଆମେ ତିନି ଚେୟାରମ୍ୟାନ ବସିଥିଲୁ। ଗୋଟିଏ ସିକ୍ରେଟ କଥା କହିଦେଉଛି। ଖୁବ ଶୀଘ୍ର ବଡ଼ ଜିନିଷଟିଏ ଘଟିବ। ସବୁ ଜିନିଷକୁ ଏମ୍‌ପି ମୋର କହିଲେ କେମିତି ହେବ। ଏମ୍‌ପି କହିଲେ ମେରା ୬ ପରସେଣ୍ଟ। ମୁଁ କହିଲି, ସେମିତି କେମିତି ହେବ। ବିଧାୟକ.. ଆପଣ ଓ ଆମେ ସମାନ ଭାଗ କରିବା। କାରଣ ବିଧାୟକ ହଁ କହିବେ ନାହିଁ। ବିଡିଓକୁ ଗାଳି କରିବେ। ଆପଣ(ଏମପି) କହିବେ ବ୍ଲକ ମୋର। ଏମଏଲଏ କହିବେ ବ୍ଲକ ମୋର, କେମିତି ଚାଲିବ ବ୍ଲକ?
ବିଧାୟକ: ଏମିତି ଚାଲୁ, ଦୁଇବର୍ଷ ଯାଉ.. ଅସୁବିଧା କଣ ଅଛି। ସେ ତାଙ୍କର କୁହନ୍ତୁ.. ଆମେ ଆମର କହିବୁ.. ତୁମେ ତୁମର କୁହ। ଏମପିଙ୍କ ଆଗରେ କେହି ମୁଣ୍ଡ ତଳ କରନାହିଁ। ମୁଁ ତ କରିବି ନାହିଁ।
ନୀଳ: ଆମକୁ ..ତାକୁ ଦରକାର ନାହିଁ। ଅଧିକ ହେଲେ ତୋ ରାସ୍ତାରେ ତୁ… ମୋ ରାସ୍ତାରେ ମୁଁ ବୋଲି କହିଦେବି। ମୁଁ ଏତିକି ରିଜିଡ୍‌ ଅଛି। ସୀମା ପର୍ଯ୍ୟନ୍ତ ସହିବି।
ବିଧାୟକ: ଭକ୍ତ ବିଚରା କ’ଣ ନକରିଛି। ଆଜି କ’ଣ ତାର ଅବସ୍ଥା? ଭକ୍ତ ଯେମିତି ପରିଶ୍ରମ କରିଛି, ସାରା ଜିଲ୍ଲା ଭିତରେ….।
ନୀଳ: ଆପଣ ପରିଶ୍ରମ କଲେ। ଲୋକଙ୍କ ସହିତ ରହିଲେ, ଭଗବାନ ଫଳ ଦେଲେ। … କିଛି କରିବେ ନାହିଁ। ସବୁବେଳେ, ଖାଲି ପାୱାର ଦେଖାଇବେ!

ଭିଡିଓ ୧-
ରଘୁବୀର ସିଂବରିହା: ଆମକୁ ଦରକାର, ବ୍ଲକ୍‌ ଠିକସେ ଚାଲୁ।
ବିଧାୟକ: ଆମେ ବି ଚାହୁଛୁ ବ୍ଲକ ଠିକ୍‌ ଚାଲିଲେ, ଠିକ୍‌ ହେବ। ନହେଲେ ମଜା ଆସିବ ନାହିଁ। ଆଜ୍ଞା ବହୁତ ସେବା କଲେଣି।
ରଘୁବୀର: ଦଳ ହିସାବରେ ଚଳେଇଲେ, ଚଳେଇ ପାରିବା ନାହିଁ। ଡିସିସନ୍‌ ତ ଦୁଇଜଣ ନେବେ ନା..। କେବଳ ଏହି ଦୁଇଜଣ, ଏ.ଇ, ଜେ.ଇଙ୍କୁ ଏକ୍‌ଜିକ୍ୟୁସନ କରିବା ପାଇଁ କହିବା କଥା। ଆମ ଭିତରେ ଠିକ୍‌ ରହିଲେ ଠିକ୍‌ ହେବ।
ବିଧାୟକ: କେମିତି କଲେ ଠିକ୍‌ ରହିବ କୁହ? ଭକ୍ତ ଆଜ୍ଞା, କେମିତି କଲେ ସୁବିଧା ହେବ? ନାଇଁ ନାଇଁ କେମିତି କଲେ ସୁବିଧା ହେବ?
ଭକ୍ତବନ୍ଧୁ: ମୁଁ ହଣ୍ଡ୍ରେଡ୍‌ ପର୍‌ସେଣ୍ଟ୍‌ ମୋ ପଟୁ ଦେବି। ମୁଁ ରଜାଘର କଥାରେ ପଡ଼ିବି ନାହିଁ।

ସମ୍ବନ୍ଧିତ ଖବର