ବିଜେପିରେ ବିଦ୍ରୋହ : ରାଜ୍ୟ କାର୍ଯ୍ୟାଳୟରେ ୩୬ ଘଣ୍ଟା ତାଲା ଝୁଲିଲା, ଡରିଲେ ନେତା

ଉପକୂଳ, ପଶ୍ଚିମ, ଦକ୍ଷିଣ, ଉତ୍ତର ଓଡ଼ିଶା ସବୁଠି ତାତିଲେ କର୍ମୀ

କନକଙ୍କ ଘରେ ମିଶ୍ରଣ ପର୍ବ, ସାମିଲ ହେଲେ ପ୍ରତ୍ୟୁଷା
ଇସ୍ତଫା ଦେଲେ ଦୁ‌‌‌େର୍ଯ୍ୟାଧନ, ରାତିରେ ଦଳ ଛାଡ଼ିଲେ ରାଜୁ ଦାସ
ବରଗଡ଼, ଲକ୍ଷ୍ମୀପୁର, ବାସୁଦେବପୁରରେ ବି ଅସନ୍ତୋଷର ନିଆଁ

ଭୁବନେଶ୍ବର : ବହୁ ବିଳମ୍ବରେ ବି‌େଜପି ପ୍ରାର୍ଥୀ ତାଲିକା ଘୋଷଣା କଲା। କିନ୍ତୁ ତାଲିକା ଘୋଷଣା ପରେ ବିଜେପିରେ ବିଦ୍ରୋହ ଉଗ୍ର ରୂପ ଧାରଣ କରିଛି। ଅନ୍ୟ ଦଳରୁ ଆସି ପ୍ରାର୍ଥୀ ହୋଇଥିବା ଅର୍ଥାତ୍ ଆମଦାନୀ ନେତାଙ୍କୁ ଗ୍ରହଣ କରିବାକୁ ପୁରୁଣା କର୍ମୀ ନାରାଜ। ଦୁଇ ଦିନ ହେଲା ତାହାର ପ୍ରତିଫଳନ ସିଧା ରାଜ୍ୟ କାର୍ଯ୍ୟାଳୟରେ ଦେଖିବାକୁ ମିଳିଲାଣି। ଅସନ୍ତୋଷ ଏମିତି ସୀମା ଲଂଘିଛି ଯେ ୩୬ ଘଣ୍ଟା ଧରି ରାଜ୍ୟ କାର୍ଯ୍ୟାଳୟରେ ତାଲା ଝୁଲିଥିଲା। ରାଜ୍ୟ ନେତାମାନେ ଭୟରେ କାର୍ଯ୍ୟାଳୟ ଯାଇ ପାରି ନ ଥିଲେ। ଆଜି େକନ୍ଦ୍ରାପଡା ଜିଲ୍ଲାରୁ କଳାହାଣ୍ଡି ଯାଏ ଅସନ୍ତୁଷ୍ଟ ବିେଜପି କର୍ମୀ ପ୍ରାର୍ଥୀଙ୍କ ବିରୋଧରେ ସେମାନଙ୍କ ଅସନ୍ତୋଷ ଜାହିର କରିଥିଲେ। କେବଳ ସେତିକି ନୁେହଁ, ବିଭିନ୍ନ ସ୍ଥାନରେ ବିଜେପି କର୍ମୀମାନେ ଦଳୀୟ ନେତୃତ୍ବ ବିରୋଧରେ ବିଷ ଓଗାଳିଥିଲେ।

୨୧ ତାରିଖ ରାତିରେ ବିଜେପି ପ୍ରଥମ ପର୍ଯ୍ୟାୟ ତାଲିକା ଘୋଷଣା କଲା। ଏହାର କିଛି ସମୟ ମଧ୍ୟରେ ଭୁବନେଶ୍ବର ଏକାମ୍ର ଆସନରୁ ଆରମ୍ଭ େହାଇଥିଲା ବିଦ୍ରୋହ। କିଛି ଦିନ ତଳେ ବିଜେଡିରୁ ଆସି ବିଜେପିରେ ମିଶିଥିବା ବାବୁ ସିଂହଙ୍କୁ ଏଠାରେ ପ୍ରାର୍ଥୀ କରାଯିବାକୁ ନେଇ କର୍ମୀ ବିଗିଡି ଯାଇଥିଲେ। ଏକାମ୍ରରୁ ଆଶାୟୀ ପ୍ରାର୍ଥୀ ଅମୀୟ ଦାଶଙ୍କ ସମର୍ଥକମାେନ ପ୍ରଥମେ ସ୍ଥାନୀୟ ଅଞ୍ଚଳରେ ରହୁଥିବା ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ଘର ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। େଢଲା ଫିଙ୍ଗି ତାଙ୍କ କାର ଭାଙ୍ଗିଥିଲେ। ତାହା ପରେ ସେମାନେ ରାଜ୍ୟ କାର୍ଯ୍ୟାଳୟକୁ ଆସି ହୋହଲ୍ଲା କରିବା ସହ ଫା‌ଟକରେ ତାଲା ପକାଇଦେଇଥିଲେ। ଗତକାଲି ହୋଲିରେ ସବୁ ରାଜନୈତିକ ଦଳ କାର୍ଯ୍ୟାଳୟରେ ରଙ୍ଗ ଖେଳ ଚାଲିଥିଲେ ବି ବିଜେପି କାର୍ଯ୍ୟାଳୟରେ ତାଲା ଝୁଲିଥିଲା। ଅମୀୟ ସମର୍ଥକମାନେ ଏପରି ଉତ୍ତ୍ୟକ୍ତ ଥିଲେ ଯେ କୌଣସି ରାଜ୍ୟ ନେତା ସେମାନଙ୍କୁ ସାମ୍ନା କରିବାକୁ ସାହସ କରି ନ ଥିଲେ।

ଆଜି ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା। ବହୁ ସଂଖ୍ୟାରେ ଅମୀୟଙ୍କ ସମର୍ଥକ ରାଜ୍ୟ କାର୍ଯ୍ୟାଳୟ ସାମ୍ନ‌ାରେ ଧାରଣା ଦେବା ସହ ନିଷ୍ପତ୍ତି ବଦଳାଇବାକୁ ଦାବି କରିଥିଲେ। ବିଜେପିରେ ଦଲାଲିରାଜ ଚଳିବ ନାହିଁ ବୋଲି ସିଧା ସିଧା ଶୁଣାଇଥିଲେ। କିଛି ନେତା ପଇସା ନେଇ ଟିକେଟ୍ ବିକିଛନ୍ତି ବୋଲି ସଙ୍ଗିନ ଆରୋପ ବି ଲଗାଇଥିଲେ। ଆଜି ବି କେହି ରାଜ୍ୟ ନେତା ସେଠାକୁ ଆସି ନ ଥିଲେ। ମୁଖପାତ୍ର ଗୋଲକ ମହାପାତ୍ର କାର୍ଯ୍ୟାଳୟକୁ ଆସୁଥିଲା ବେଳେ ତାଙ୍କୁ ଠେଲାପେଲା କରିବାରୁ ସେ ପଳାଇଥିଲେ। ସେଠାରେ ଅସ୍ବାଭାବିକ ସ୍ଥିତି ଥିବାରୁ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ବରୀ ସିଂହଙ୍କ ବିଜେପିରେ ଯୋଗଦାନ କାର୍ଯ୍ୟକ୍ରମକୁ କେ ଭି ସିଂହଦେଓଙ୍କ ଘରେ କରାଯାଇଥିଲା। ଅପରାହ୍ନ ପ୍ରାୟ ୧ଟା ବେଳେ ନିଜେ ଅମୀୟ ଦାଶ ରାଜ୍ୟ କାର୍ଯ୍ୟାଳୟକୁ ଆସି ସମର୍ଥକମାନଙ୍କୁ ବୁଝାସୁଝା କରି ଉଠାଇଥିଲେ। ତାହା ପରେ କାର୍ଯ୍ୟାଳୟରୁ ତାଲା ଖୋଲିଥିଲା।

ଆଜି ପୂର୍ବାହ୍ନରେ ଏକାମ୍ର ବିଜେପି କର୍ମୀମାନେ ଧାରଣାରେ ବସିଥିଲା ବେଳେ ଆହୁରି ତିନିଟି ନିର୍ବାଚନମଣ୍ଡଳୀର ଅସନ୍ତୁଷ୍ଟ କର୍ମୀ ସେଠାରେ ପହଞ୍ଚିଥିଲେ। ଆଳିରୁ ଆସିଥିବା ବିଜେପି କର୍ମୀମାନେ ବିଜେପି ପ୍ରାର୍ଥୀ ଦୋଳଗୋବିନ୍ଦ ନାୟକଙ୍କୁ ବିରୋଧ କରିବା ସହ କୃଷ୍ଣଚନ୍ଦ୍ର ପଣ୍ଡାଙ୍କୁ ଟିକେଟ୍ ଦେବାକୁ ଦାବି କରିଥିଲେ। ସେହିପରି ରାଜନଗରର ଅସନ୍ତୁଷ୍ଟ ବିଜେପି କର୍ମୀ ଅଲେଖ ଜେନାଙ୍କ ପ୍ରାର୍ଥିତ୍ବ ବିରୋଧରେ ନାରାବାଜି କରିଥିଲେ। ଜି ଉଦୟଗିରିର କିଛି ବିଜେପି କର୍ମୀ ଅର୍ଚ୍ଚନା ପ୍ରଧାନଙ୍କ ପ୍ରାର୍ଥିତ୍ବକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ବ‌ିଜେପିରେ ଏହି ବିଦ୍ରୋହ କେବଳ ଭୁବନେଶ୍ବରରେ ସୀମିତ ରହି ନାହିଁ। କଳାହାଣ୍ଡି, ‌ବରଗଡ଼, ଖରିଆର, ଲକ୍ଷ୍ମୀପୁର, ବାସୁଦେବପୁରକୁ ମାଡ଼ିଯାଇଛି ଅସନ୍ତୋଷ। ଖରିଆରରେ ରୀତାରାଣି ବଗର୍ତ୍ତିଙ୍କୁ ପ୍ରାର୍ଥୀ କରାଯିବା ପ୍ରତିବାଦରେ ବର୍ତ୍ତମାନର ବିଧାୟକ ଦୁ‌‌େର୍ଯ୍ୟାଧନ ମାଝୀ ଗତକାଲି ବିଜେପିରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ଦଳର ନେତୃତ୍ବ ବିରୋଧରେ ବିଷୋଦଗାର କରିବା ସହ ତାଙ୍କ ଟିକେଟ୍‌ କାଟିବା ପଛରେ ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓଙ୍କ ଭୂମିକା ଅଛି ବୋଲି ଆରୋପ ଲଗାଇଛନ୍ତି।

ସେହିଭଳି ଲକ୍ଷ୍ମୀପୁର ବିଧାନସଭା ଆସନରେ କୁମୁଦ ଚନ୍ଦ୍ର ସାଉଁନ୍ତାଙ୍କୁ ପ୍ରାର୍ଥୀ କରାଯିବା ନେଇ ବହୁ ବିଜେପି କର୍ମୀ ଖପା ହୋଇଛନ୍ତି। ସେମାନେ ଆଜି ଲକ୍ଷ୍ମୀପୁର ବିଜେପି କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଥିଲେ। ବିଜେଡିରୁ ଦୁଇ ମାସ ତଳେ ଆସିଥିବା କୁମୁଦଙ୍କୁ କାହିଁକି ପ୍ରାର୍ଥୀ କରାଗଲା ବୋଲି ସେମାନେ ଅଭିଯୋଗ କରିଥିଲେ। ଏଥିପାଇଁ ସେମାନେ ଜୟରାମ ପାଙ୍ଗୀଙ୍କ ଉପରକୁ ଅଙ୍ଗୁଳି ଉଠାଇଛନ୍ତି। ମୂଳ ବିଜେପି ସଂଗଠନରୁ କାହାକୁ ପ୍ରାର୍ଥୀ କରାଯିବାକୁ ବିଚାର କରା ନ ଗ‌େଲ ସମୂହ ଇସ୍ତଫା ଦେବାକୁ ଧମକ ଦେଇଛନ୍ତି।

ଭଦ୍ରକ ଜିଲ୍ଲାର ବାସୁଦେବପୁର ନିର୍ବାଚନମଣ୍ଡଳୀରେ ସମାନ ସ୍ଥିତି ସୃଷ୍ଟି ହୋଇଛି। ସେଠାରେ କଂଗ୍ରେସରୁ ଆସି ପ୍ରାର୍ଥୀ ହୋଇଥିବା ମାଧବାନନ୍ଦ ମଲ୍ଲିକଙ୍କୁ ବିରୋଧ କରିଛନ୍ତି ପୁରୁଣା ବିଜେପି କର୍ମୀ। ସେମାନେ ଦଳୀୟ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଗତ ଥରର ପ୍ରାର୍ଥୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦୀନବନ୍ଧୁ ପତିଙ୍କୁ ପୁନର୍ବାର ପ୍ରାର୍ଥୀ କରିବାକୁ ଦାବି କରିଛନ୍ତି।

ବରଗଡ଼ରେ ଗତ ଥରର ସାଂସଦ ପ୍ରାର୍ଥୀ ସୁବାସ ଚୌହାନଙ୍କ ଟିକେଟ୍‌ କଟିବା ପ୍ରତିବାଦରେ ତାଙ୍କ ସମର୍ଥକମାନେ ରାସ୍ତାକୁ ଓହ୍ଲାଇବା ସହ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ। ଗତ ଥର ଶ୍ରୀ ଚୌହାନ ଖୁବ୍ କମ୍ ଭୋଟ୍‌ ବ୍ୟବଧାନରେ ଏଠାରୁ ପରାସ୍ତ ହୋଇଥିଲେ।

କଳାହାଣ୍ଡି ଲୋକସଭା ଆସନରେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ପ୍ରାର୍ଥିତ୍ବକୁ ବିରୋଧ କରିଛନ୍ତି ପ୍ରଦୀପ ନାୟକ। ତାଙ୍କୁ ଯଦିଓ ଭବାନୀପାଟଣା ବିଧାନସଭା ଆସନରେ ପ୍ରାର୍ଥୀ କରାଯାଇଛି, ତେବେ ସେ କଳାହାଣ୍ଡି ପାଇଁ ଆଶାୟୀ ଥିଲେ। ସେ ନିଜ ଅସନ୍ତୋଷ ଦଳୀୟ ନେତୃତ୍ବକୁ ଜଣାଇଦେଇଛନ୍ତି।

ଦିଗପହଣ୍ଡି ବିଧାନସଭା ଆସନରେ ପିଙ୍କି ପ୍ରଧାନଙ୍କ ପ୍ରାର୍ଥିତ୍ବ ବିରୋଧରେ ମଧ୍ୟ ସ୍ବର ଉଠିଛି। ସେଠାରେ ଆଜି କିଛି ବିଜେପି କର୍ମୀ ଏହି ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଦାବି କରିଛନ୍ତି।
ସେହିପରି ବିେଜପି ଉପସଭାପତି ରାଜ କିେଶାର ଦାସ ଆଜି ରାତିରେ ବିଜେପିରୁ ଇସ୍ତଫା େଦଇଛନ୍ତି। ଫଳରେ ମୟୂରଭଂଜ ଜିଲ୍ଲାରେ ମଧ୍ୟ ବିେଜପି ଅନ୍ତଃକନ୍ଦଳ ସାମ୍ନାକୁ ଆସିଛି।

ସମ୍ବନ୍ଧିତ ଖବର