ଯିଏ ଦଳ ଛାଡ଼ିବାକୁ ଚାହୁଛନ୍ତି, ଯାଇପାରନ୍ତି: ଚେଲ୍ଲା କୁମାର

କଂଗ୍ରେସ ଦଳରେ ବିଶୃଙ୍ଖଳାକାରୀଙ୍କୁ ଚରମବାଣୀ, ତାରା-ନିରଞ୍ଜନ ବିବାଦରେ ପୂର୍ଣ୍ଣଚ୍ଛେଦ

ଭୁବନେଶ୍ବର : ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ପାଇଁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ରାଜ୍ୟ କଂଗ୍ରେସ ପ୍ରଭାରୀ ଏ. ଚେଲ୍ଲା କୁମାର ଆଜି ବିଶୃଙ୍ଖଳାକାରୀଙ୍କୁ ଚରମବାଣୀ ଶୁଣାଇଛନ୍ତି। କହିଛନ୍ତି ଯେ ଯେଉଁମାନେ କଂଗ୍ରେସ ଦଳ ଛାଡ଼ିବାକୁ ଚାହୁଁଛନ୍ତି, ସେମାନେ ଯାଇପାରନ୍ତି। କଂଗ୍ରେସ ଦଳର ମୂଳଦୁଆ ଜଣେ କି ଦୁଇ ଜଣ ବ୍ୟକ୍ତି ନୁହନ୍ତି; କଂଗ୍ରେସ ସବୁବେଳେ ବିଚାରଧାରାକୁ ନେଇ ଚାଲିଆସିଛି ଓ ଆଗକୁ ଚାଲିବ। ଦଳରେ ରହି କେହି ବିଶୃଙ୍ଖଳା କଲେ ବରଦାସ୍ତ କରାଯିବ ନାହିଁ।

ସୋମବାର ଭୁବନେଶ୍ବରରେ ପହଞ୍ଚିବା ପରେ ଶ୍ରୀ ଚେଲ୍ଲା କୁମାର କହିଥିଲେ ଯେ କଂଗ୍ରେସ କାହାପାଇଁ ଲଞ୍ଚିଂପ୍ୟାଡ୍ ନୁହେଁ। କଂଗ୍ରେସକୁ ଛାଡ଼ି କି ଗଲା ପରେ ମଧ୍ୟ ଅନେକ ଲୋକ ଦଳରେ ସାମିଲ ହୋଇଛନ୍ତି। ବ୍ଲାକମେଲ ପଲିଟିକ୍ସ ଆଉ ଚଳିବ ନାହିଁ। ସଂଗଠନକୁ ମଜଭୁତ କରିବା ଲାଗି ଆଗକୁ ଜିଲ୍ଲା ଗସ୍ତ କରିବା ସହିତ ଜିଲ୍ଲା ସଭାପତିଙ୍କ ସହିତ ଆଲୋଚନା କରିବି। ବିଧାୟକ ତାରା ବାହିନୀପତି ମଧ୍ୟ କ୍ଷମା ମାଗି ସାରିଛନ୍ତି। ତେଣୁ ଦଳରେ ଏବେ କୌଣସି ବିବାଦ ନାହିଁ। ଅପରପକ୍ଷରେ ଗତ କିଛିଦିନ ହେବ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ବିଧାୟକ ତାରା ବାହିନୀପତିଙ୍କ ଭିତରେ ଚାଲିଥିବା ବିବାଦରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ପିସିସି ସଭାପତିଙ୍କୁ ଟାର୍ଗେଟ୍‌ କରୁଥିବା ତାରାଙ୍କ ସ୍ବର ଆଜି ବଦଳି ଯାଇଛି। ତାରା ଗଣମାଧ୍ୟମକୁ କହିଛନ୍ତି ଯେ ନିରଞ୍ଜନ ବାବୁ ମୋର ବଡ଼ ଭାଇ, ମୁଁ ତାଙ୍କ ସାନ ଭାଇ। ପୂର୍ବରୁ ମୁଁ ରାଗ ଓ ଅଭିମାନରେ ତାଙ୍କୁ ଅଯୋଗ୍ୟ ବୋଲି କହିଥିଲି। କଂଗ୍ରେସର ରାଜ୍ୟ ପ୍ରଭାରୀ ଓ ନିରଞ୍ଜନ ବାବୁଙ୍କ ସହିତ ମୋର ଦୀର୍ଘ ସମୟ ଧରି ଟେଲିଫୋନ୍‌ରେ ଆଲୋଚନା ହୋଇଛି। ପିସିସି ସଭାପତିଙ୍କ ନେତୃତ୍ବରେ ଓଡ଼ିଶାରେ ଦଳ ଆଗକୁ ଯିବ। କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଓ ଅନ୍ୟମାନଙ୍କ ସହିତ ଆଜି ଆଲୋଚନା ହେବ ବୋଲି ତାରା କହିଛନ୍ତି।

ସେହିପରି ରାଜ୍ୟ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ କହିଛନ୍ତି ଯେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଥିବା ମତାନ୍ତର ଦୂର ପାଇଁ ଉଦ୍ୟମ ଚାଲିଛି। ଜିଲ୍ଲାର ସବୁ ନେତାଙ୍କ ସହିତ ଚେଲ୍ଲା କୁମାର ଆଲୋଚନା କରୁଛନ୍ତି। ଏଇଟା ଆମର ଘରୋଇ କଳି। ତେଣୁ ସମାଧାନ ହୋଇଯିବ ବୋଲି ଆଶା କରାଯାଉଛି। ରାଜ୍ୟ କଂଗ୍ରେସ ଓବିସି ସେଲ୍‌ର ଅଧ୍ୟକ୍ଷ ଜ୍ଞାନଦେବ ବେଉରା କହିଛନ୍ତି ଯେ ପ୍ରଦୀପ ମାଝୀ, ସପ୍ତଗିରି ଉଲାକାଙ୍କ ସହିତ ତାରା ବାହିନୀପତିଙ୍କ ଥିବା ମନୋମାଳିନ୍ୟର ଅନ୍ତ ଘଟିଛି। ସପ୍ତଗିରିଙ୍କ ଘରେ ମଧ୍ୟାହ୍ନ ଭୋଜନରେ ତାରା ଓ ମୀନାକ୍ଷୀ ବାହିନୀପତି ଯୋଗ ଦେଇଥିଲେ। କେତୋଟି ବ୍ଲକ୍ ସଭାପତି ଚୟନକୁ ନେଇ ବିବାଦ ଥିଲା। ତେଣୁ ବିବାଦର ସମାଧାନ ହୋଇଯିବ ବୋଲି ଶ୍ରୀ ବେଉରା ଗଣମାଧ୍ୟମକୁ କହିଛନ୍ତି।

ସମ୍ବନ୍ଧିତ ଖବର