କଂଗ୍ରେସକୁ ଘରଭଙ୍ଗା ରୋଗ ଛାଡ଼ୁନି!

ଶୃଙ୍ଖଳାକୁ ମାନୁନାହାନ୍ତି ଅସନ୍ତୁଷ୍ଟ ଗୋଷ୍ଠୀ

ଦଳୀୟ କାର୍ଯ୍ୟକ୍ରମକୁ ଭଣ୍ଡୁର ଲାଗି ଚକ୍ରାନ୍ତ
ବ୍ରହ୍ମପୁର ସଭା ଦିନ ଦିଲ୍ଲୀରେ, କେନ୍ଦ୍ରାପଡ଼ା ବେଳକୁ ଭୁବନେଶ୍ବରରେ
ପଛରେ କୁଚକ୍ରୀ, ଫେରିବାକୁ କସରତ

ଭୁବନେଶ୍ବର : ୨୦୦୦ ମସିହାରୁ ଦଳ କ୍ଷମତାରେ ନାହିଁ। ବିଧାନସଭାରେ ସଂଖ୍ୟା କମିବାରେ ଲାଗିଛି। ଦୁଇ ନମ୍ବରରୁ ତିନି ନମ୍ବର ସ୍ଥାନରେ ଯାଇ ପହଞ୍ଚିଲାଣି। ତଥାପି କଂଗ୍ରେସ ଦଳକୁ ପୁରୁଣା ରୋଗ ଛାଡୁନି। ପିସିସି ପରିବର୍ତ୍ତନ ଲାଗି ଗତ କିଛି ଦିନ ମଧ୍ୟରେ ହାତଗଣତି କିଛି ନେତାଙ୍କର ଦୁଇ ଦୁଇଟି ପଦକ୍ଷେପ ପୁଣି ଏଭଳି ଚର୍ଚ୍ଚା ପାଇଁ ଖୋରାକ ଯୋଗାଇଛି।

ଜାନୁଆରି ୩୦ ତାରିଖ ଦିନ ବ୍ରହ୍ମପୁରରେ କଂଗ୍ରେସ ଏକ ବିଶାଳ କାର୍ଯ୍ୟକ୍ରମ ହାତକୁ ନେଇଥିଲା। ଅନ୍ୟ ରାଜନୈତିକ ଦଳ ଏହି ସଭାର ପ୍ରଭାବକୁ ନେଇ ହିସାବନିକାସ ଚଳାଇଛନ୍ତି। ଠିକ୍ ଏମିତି ସମୟରେ କଂଗ୍ରେସର ହାତଗଣତି ଚାରି ପାଞ୍ଚଜଣ ନେତା ନୂଆଦିଲ୍ଲୀରେ ଯାଇ ନେତୃତ୍ବ ବଦଳ କସରତ ଚଳାଇଥିଲେ। ହାଇକମାଣ୍ଡ ଦେଖାଦେଲେନି, ଦଳର ବରିଷ୍ଠ ନେତା କେ ସି ଭେନୁଗୋପାଳଙ୍କୁ ଭେଟି ପିସିସି ପରବର୍ତ୍ତନ ଲାଗି ଏମାନେ ଦାବି ଜଣାଇ ଫେରିଆସିଥିଲେ।

ଆଜି କେନ୍ଦ୍ରାପଡ଼ାରେ କଂଗ୍ରେସ ପୁଣି ଏକ ବଡ଼ କାର୍ଯ୍ୟକ୍ରମ ହାତକୁ ନେଇଥିଲା। ମେଡ଼ିକାଲ କଲେଜ ପ୍ରସଙ୍ଗକୁ ନେଇ ଜିଲ୍ଲାରେ ଏକ ବଡ଼ ଅସନ୍ତୋଷ ରହିଛି। କେନ୍ଦ୍ରାପଡ଼ା ବିକାଶ ପରିଷଦ ସମେତ ଅନ୍ୟ ସାମାଜିକ ସଂଗଠନ ଏହି ପ୍ରସଙ୍ଗରେ ମେଳି ହେଲେଣି। ରାଜ୍ୟ ସରକାର ଏହା ଉପରେ ଠୋସ୍ ପଦକ୍ଷେପ ନେଇପାରିନାହାନ୍ତି। ଖୋଦ୍ ବିଜେଡି ନେତାମାନେ ବି ଅସନ୍ତୋଷ ଟାଳିବା କସରତରେ ଅଛନ୍ତି। ଜନଅସନ୍ତୋଷ ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ କଂଗ୍ରେସ ଏହି ପ୍ରସଙ୍ଗ ହାତକୁ େନଇଛି। ପୂର୍ବତନ ମନ୍ତ୍ରୀ ଗଣେଶ୍ବର େବହେରା ଏହାର ଆୟୋଜନ କରିଥିଲେ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ବରିଷ୍ଠ ନେତାମାନେ ଏକାଠି ହୋଇ ଏହି ପ୍ରସଙ୍ଗରେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଏକ ସଭା କରିଥିଲେ। କଂଗ୍ରେସର ‘ମାଟି ପାଇଁ ପାଟି ଖୋଲ’ ସ୍ଲୋଗାନ ଆଜି ଜିଲ୍ଲା ରାଜନୀତିରେ କମ୍ପନ ସୃଷ୍ଟି କରିଛି।

ଠିକ୍ ସେହି ସମୟରେ କଂଗ୍ରେସର ମହାଆନ୍ଦୋଳନରେ ସାମିଲ ନହୋଇ କେନ୍ଦ୍ରାପଡ଼ାର ପୂର୍ବତନ କଂଗ୍ରେସ ଜିଲ୍ଲା ସଭାପତି ତଥା ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା, ପୂର୍ବତନ ବିଧାୟକ ଚିନ୍ମୟ ବେହୁରା ପ୍ରମୁଖ ରାଜଧାନୀରେ ପିସିସି ନେତୃତ୍ବ ବିରୋଧରେ ବୈଠକ କରିବା ଘଟଣା ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି। କଂଗ୍ରେସ ପାଇଁ ଲଢ଼ିବା ବଦଳରେ ନେତୃତ୍ବ ବଦଳ ଲଢେଇରେ ଏହି ନେତାମାନେ ମାତିବା ଘଟଣାକୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲାବାସୀ ବି ଗ୍ରହଣ କରିିପାରିନାହାନ୍ତି।

ତେବେ ମିଳିଥିବା ସୂଚନା ଅନୁସାରେ, ହାତଗଣତି କିଛି ଅସନ୍ତୁଷ୍ଟ ନେତା ବୈଠକ ସ୍ଥଳରୁ ଭିଡ଼ିଓ କଲ୍ କରି କଂଗ୍ରେସର ଓଡ଼ିଶା ପ୍ରଭାରୀ ଚେଲ୍ଲାକୁମାରଙ୍କ ସହିତ ଯୋଗାଯୋଗ କରିଥିଲେ। ଦାବି କରିଥିଲେ ଯେ ପିସିସି ସଭାପତିଙ୍କୁ ବଦଳାଇବା ପାଇଁ ସେମାନେ ଏକାଠି ହୋଇଛନ୍ତି ଓ ପ୍ରଭାରୀଙ୍କୁ ଭେଟିବାକୁ ଚାହାନ୍ତି। ମାତ୍ର ଚେଲ୍ଲାକୁମାର ଖୁବ୍ ଶୀଘ୍ର ଓଡ଼ିଶା ଆସୁଛନ୍ତି ଓ ସେବେ ଏହି ଗୋଷ୍ଠୀ ସହିତ ଆଲୋଚନା କରିବେ ବୋଲି ସୂଚନା ଦେଇଥିବା ବୈଠକରେ ଯୋଗଦେଇଥିବା ନେତାମାନେ ଗଣମାଧ୍ୟମକୁ କହିଛନ୍ତି। କେବଳ ସେତିକି ନୁହେଁ, ମାର୍ଚ୍ଚ ୧୫ ତାରିଖ ମଧ୍ୟରେ ରାହୁଲ ଗାନ୍ଧୀଙ୍କୁ ଏହି ଅସନ୍ତୁଷ୍ଟ ଗୋଷ୍ଠୀ ଭେଟିବେ ବୋଲି ସମୟ ମାଗିଥିବା ସୂଚନା ଦେଇଛନ୍ତି। ବୈଠକରେ ଯୋଗଦେଇଥିବା ନେତାମାନେ ଗଣମାଧ୍ୟମକୁ କହିଛନ୍ତି ଯେ କଂଗ୍ରେସ ନେତୃତ୍ବ ଏବେ ଦୁର୍ବଳ ହୋଇଯାଇଛି। ଦଳର ପ୍ରଦର୍ଶନ ଉତ୍ସାହଜନକ ନଥିବା ପରିପ୍ରେକ୍ଷୀରେ ପିସିସି ପରିବର୍ତ୍ତନ ନିହାତି ଦରକାର।

ସେପଟେ କେନ୍ଦ୍ରାପଡ଼ାରେ ପିସିସି ସଭାପତି ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି, ଏମିତି ବୈଠକ ସଂପର୍କରେ ସେ କିଛି ବି ଜାଣନ୍ତି ନାହିଁ। କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି, ଏମିତି ଯେତେ ମେଳି ହେଲେ ବି ତାର କିଛି ପ୍ରଭାବ ରହିବ ନାହିଁ। କଂଗ୍ରେସ ହାଇକମାଣ୍ଡ ଯେତେବେଳେ ଯାହା ନିଷ୍ପତ୍ତି ନେବେ, ତାହା ହିଁ ଚୂଡ଼ାନ୍ତ।

ତେବେ କଂଗ୍ରେସ ଶିବିରରେ ଗୋଟିଏ ଆଲୋଚନା ଇତିମଧ୍ୟରେ ଜୋର ଧରିଛି। ଦଳରୁ ତଡ଼ା ଖାଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଏହି ଅସନ୍ତୋଷ ପଛର ଖଳନାୟକ ବୋଲି କୁହାଯାଉଛି। ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଥିବା ପର୍ଯ୍ୟନ୍ତ ଯେହେତୁ ଶ୍ରୀକାନ୍ତ ଦଳକୁ ଫେରିପାରିବେ ନାହିଁ, ତେଣୁ ଏଭଳି ଷଡ଼୍‌ଯନ୍ତ୍ର ରଚନା କରି କଂଗ୍ରେସରେ ବିଶୃଙ୍ଖଳା ସୃଷ୍ଟି ଉଦ୍ୟମ କରୁଛନ୍ତି ବୋଲି କୁହାଯାଉଛି।

ତେବେ ରାଜନୈତିକ ପର୍ଯ୍ୟବେକ୍ଷକ ମହଲ କହିବା କଥା ହେଉଛି, କଂଗ୍ରେସର ବିଶୃଙ୍ଖଳ ଆଚରଣ ହିଁ ତା ପ୍ରତି ଆସ୍ଥା କମିବାର ବଡ଼ କାରଣ। କୋ଼ଡ଼ିଏ ବର୍ଷ ଧରି କ୍ଷମତାରୁ ଦୂରେଇ ରହିବା ପରେ ବି ଏହି ନେତାମାନେ ଏକଥା ଏଯାଏ ହେଜିନାହାନ୍ତି। ବରଂ ଏୟା ହୋଇଛି ଯେ ବିଜେପିର ଶକ୍ତି ବୃଦ୍ଧି ପଛରେ ଏହି ବିଶୃଙ୍ଖଳ ନେତାମାେନ ସବୁଠାରୁ ବଡ଼ ଅସ୍ତ୍ର ପାଲଟିଛନ୍ତି। କଂଗ୍ରେସ ହାଇକମାଣ୍ଡ େଯତେବେଳେ ବି ଦଳର ଯେଉଁ ବରିଷ୍ଠ ନେତାଙ୍କୁ ଓଡ଼ିଶା ପ୍ରଭାରୀ ଦାୟିତ୍ବ ଦେଇଛନ୍ତି, ପିସିସି ପରିବର୍ତ୍ତନ ଆଳରେ ଅସନ୍ତୁଷ୍ଟ ନେତାମାନେ ସେମାନଙ୍କୁ ମଧ୍ୟ ଓଡ଼ିଶାରେ ବିଫଳତାର ସ୍ବାଦ ଚଖାଇବାରେ ରେକର୍ଡ କରିଛନ୍ତି। ଏହାର ଏକାଧିକ ଉଦାହରଣ ରହିଛି।

ଉଲ୍ଲେଖଯୋଗ୍ୟ ଯେ ପିପିଲି ଉପନିର୍ବାଚନ ପାଇଁ କଂଗ୍ରେସ ଜୋରଦାର କସରତ ଆରମ୍ଭ କରିଛି। କେବଳ ସେତିକି ନୁହେଁ, ପେଟ୍ରୋଲ, ଡିଜେଲ ବୃଦ୍ଧି ପ୍ରସଙ୍ଗରେ ଓଡ଼ିଶାରେ ଶାସକ ବିଜେଡି ଦଳ ଯେବେ ନିରବ ରହିଛି, ସେବେ କଂଗ୍ରେସ ଏହି ପ୍ରସଙ୍ଗକୁ ହାତକୁ ନେଇ ଆସନ୍ତା ୧୫ ତାରିଖରେ ଓଡିଶା ବନ୍ଦ ଡାକରା ରହିଛି। ସବୁଠାରୁ ବଡ଼ କଥା ହେଉଛି, କଂଗ୍ରେସ ପ୍ରଭାରୀ ଦାୟିତ୍ବ ହାତକୁ ନେବା ପରେ ଅସନ୍ତୁଷ୍ଟ ନେତାଙ୍କୁ ଏକାଠି କରି ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଦଳ ସୋସିଆଲ ମିଡ଼ିଆରେ ମଧ୍ୟ ବିଜେପି ବିରୋଧରେ ଯୁଦ୍ଧ ଘୋଷଣା କରିଛି। ଠିକ୍ ଏମିତି ସମୟରେ କୁଚକ୍ରୀ ଦଳ ବାହାରେ ସକ୍ରିୟ ହେବା ଘଟଣା ଅଧିକାଂଶ କଂଗ୍ରେସ ନେତାଙ୍କୁ ମଧ୍ୟ ଆଚମ୍ବିତ କରିଛି।

ସମ୍ବନ୍ଧିତ ଖବର