କଳାହାଣ୍ଡି କଂଗ୍ରେସରେ ବଡ଼ ଧରଣର ଫାଟ : ୩ ପୂର୍ବ ବିଧାୟକଙ୍କ ଇସ୍ତଫା

ଭବାନୀପାଟଣା/ଜୁନାଗଡ଼ : କଳାହାଣ୍ଡି ଜିଲ୍ଲା କଂଗ୍ରେସରେ ଏକ ବଡ଼ଧରଣର ଫାଟ ସୃଷ୍ଟି ହୋଇଛି। ଚଳିତ ନିର୍ବାଚନରେ ଟିକଟ ବଣ୍ଟନକୁ ବିରୋଧ କରି ପୂର୍ବ ବିଧାୟକ ଗୋବର୍ଦ୍ଧନ ଦାଶ, କୁମରମଣି ଶବର, ଯୋଗୀରାମ ବେହେରାଙ୍କ ସମେତ କଳାହାଣ୍ଡି କଂଗ୍ରେସର ଆଗଧାଡ଼ିର ପଦାଧିକାରୀ ଓ ସେମାନଙ୍କ ଶତାଧିକ ସମର୍ଥକ ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟରେ ବୁଧବାର ଇସ୍ତଫା ଦେଇଛନ୍ତି। ଏହି ଘଟଣା କଳାହାଣ୍ଡି ରାଜନୀତିରେ ଆଲୋଡ଼ନ ସୃଷ୍ଟି କରିଛି।

ପୂର୍ବ ବିଧାୟକ ଶ୍ରୀ ଦାଶ, ଶ୍ରୀ ଶବର, ଶ୍ରୀ ବେହେରା, ରାଜ୍ୟ ପିସିସି ସାଧାରଣ ସମ୍ପାଦକ ହିମାଂଶୁ ଦାଶ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ପର୍ଶୁରାମ ପାଢ଼ୀ, ସାୱନ ଅଲ୍ଲୀ ଖାଁ, ପୂର୍ବ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଜୟଦେବ ନାଏକ, ଉଦିଆ ସୁନାନୀ, ଜୟରାମ ‌ସାହୁ ଓ ତାଙ୍କର ଶତାଧିକ ସମର୍ଥକ ବୁଧବାର ଭୁବନେଶ୍ବର ଠାରେ ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟରେ ଟିକଟ ବଣ୍ଟନରେ ଅନିୟମିତତାର ପ୍ରତିବାଦ କରିବା ସହିତ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ଏହି ବଡ଼ଧରଣର ଇସ୍ତଫା ପରେ ଜିଲ୍ଲା କଂଗ୍ରେସରେ ଭକ୍ତ ଦାସଙ୍କ ବିରୋଧରେ ପୁରୁଣା କଂଗ୍ରେସ କର୍ମୀମାନଙ୍କ ଖୋଲାଖୋଲି ପ୍ରତିବାଦ ସାମ୍ନାକୁ ଆସିଛି।

ଜୁନାଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀର ପୂର୍ବ ବିଧାୟକ ତଥା କଂଗ୍ରେସର ପୂର୍ବ ଜିଲ୍ଲା ସଭାପତି ଗୋବର୍ଦ୍ଧନ ଦାଶ ବୁଧବାର କଂଗ୍ରେସ ଦଳରୁ ଇସ୍ତଫା ଦେବା ପରେ ତାଙ୍କର ଶତାଧିକ ସମର୍ଥକ ବିଜେଡିରେ ଯୋଗ ଦେଇଛନ୍ତି। ଦାଶଙ୍କୁ ଦଳୀୟ ଟିକଟ ଦିଆନଯାଇ ତାଙ୍କ ବଦଳରେ ବିଜେପିରୁ ଆସିଥିବା ଅନିଲ ସିଂହଦେଓଙ୍କୁ କଂଗ୍ରେସ ଟିକଟ ଦିଆଯାଇଛି।

ଏହି ଘୋଷଣା ପରେ ଦଳୀୟ କର୍ମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ନର୍ଲାର ପୂର୍ବ ବିଧାୟକ ଶ୍ରୀ ଶବରଙ୍କୁ ଟିକଟ ଦିଆ ନଯାଇ ଭକ୍ତ ଦାସଙ୍କ ଏକାନ୍ତ ଅନୁଗତ ଚିତ୍ତରଞ୍ଜନ ମଣ୍ଡଳଙ୍କୁ ଦଳୀୟ ଟିକଟ ଦିଆଯିବା ପରେ ଆଶାୟୀ ଥିବା ଶ୍ରୀ ଶବର ଓ ପିସିସି ସାଧାରଣ ସମ୍ପାଦକ ଶ୍ରୀ ଦାଶ ଏହାକୁ ନେଇ ଖୋଲାଖୋଲି ଅସନ୍ତୋଷ ଜାହିର କରିଥିଲେ।

ସେହିଭଳି ଧର୍ମଗଡ଼ ବିଧାନସଭା ପାଇଁ ଭକ୍ତଙ୍କ ଅନୁଗତ ଦିଗମ୍ବର ଦୁରିଆଙ୍କୁ କଂଗ୍ରେସ ଟିକଟ ଦେଇଛି। ଏଥିରେ ଅସନ୍ତୋଷ ଜାହିର କରି ପୂର୍ବ ବିଧାୟକ ଶ୍ରୀ ବେହେରା ଦଳରୁ ଇସ୍ତଫା ଦେଇଛନ୍ତି। ସେହିଭଳି ଭବାନୀପାଟଣା ସଦର ନିର୍ବାଚନମଣ୍ଡଳୀରେ ଭକ୍ତ ତାଙ୍କ ପୁଅ ସାଗର ଚରଣ ଦାସଙ୍କୁ କଂଗ୍ରେସ ଟିକଟ ଦେଇଛି। ଏଥି‌ନେଇ ତୀବ୍ର ପ୍ରତିବାଦ କରି ପୂର୍ବ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଜୟଦେବ ନାଏକ ଓ ଉଦିଆ ସୁନାନୀ ଇସ୍ତଫା ଦେଇଛନ୍ତି। ଭକ୍ତ ତାଙ୍କ ଅନୁଗତମାନଙ୍କୁ ନିର୍ବାଚନମଣ୍ଡଳୀ ଗୁଡ଼ିକରେ କଂଗ୍ରେସ ଟିକଟ ପ୍ରଦାନରେ ସକ୍ଷମ ହୋଇଥିବା ବେଳେ ପୁରୁଣା କଂଗ୍ରେସ ଉପେକ୍ଷିତ ହେବାରୁ କଂଗ୍ରେସ ବିରୋଧରେ ବଡ଼ଧରଣର ଏକଜୁଟ ହେବା ନେଇ ଦଳ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଏଭଳି ସ୍ଥିତିରେ ବିଜେଡି ବିଜେପି ସହିତ ଟକ୍କର ଦେବା ପରିବର୍ତ୍ତେ କଂଗ୍ରେସରେ ଆଭ୍ୟନ୍ତରୀଣ କନ୍ଦଳ ଏବେ‌ ପଦାକୁ ଆସିବାରୁ କଂଗ୍ରେସ କର୍ମୀମାନଙ୍କୁ ଅଡୁଆରେ ପକାଇଛି। କଂଗ୍ରେସର ସମାନ୍ତରାଳ ଗୋଷ୍ଠୀ କନ୍ଦଳର ଫାଇଦା ଉଠାଇବାକୁ ଉଭୟ ବିଜେଡି ଓ ବିଜେପି ଅଣ୍ଟା ଭିଡିଛନ୍ତି। କଂଗ୍ରେସର ଅସନ୍ତୁଷ୍ଟ ନେତାମାନଙ୍କୁ ନିଜ ସପକ୍ଷକୁ ଆଣିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। ଗୋଷ୍ଠୀ କନ୍ଦଳକୁ ସଳଖିବାରେ କଂଗ୍ରେସ କେତେଦୂର ସମର୍ଥ ହେବ ସେ ନେଇ ବିଭିନ୍ନ କଳ୍ପନା ଜଳ୍ପନା ପ୍ରକାଶ ପାଇଛି।

ଏ ସଂପର୍କରେ ସାଂସଦ ପ୍ରାର୍ଥୀ ପୂର୍ବ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସଙ୍କୁ ପଚରାଯିବାରୁ ଏହି ଇସ୍ତଫା ଦ୍ବାରା ଦଳ ପାଇଁ କୌଣସି ପ୍ରଭାବ ପଡ଼ିବ ନାହିଁ। ଆଜି ଗୋଟିଏ ଦିନରେ ଗୋଲାମୁଣ୍ଡା, ଜୁନାଗଡ଼, ଧର୍ମଗଡ଼ରେ ବିଜେପି ଓ ବିଜେଡିର ୩ଶହରୁ ଅଧିକ କର୍ମୀ କଂଗ୍ରେସରେ ସାମିଲ ହୋଇଛନ୍ତି। ତେଣୁ ଆଗ ଅପେକ୍ଷା କଂଗ୍ରେସ ଅଧିକ ଶକ୍ତିଶାଳୀ ହୋଇଛି ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର