କେସିଙ୍ଗା : କଳାହାଣ୍ଡି ଜିଲ୍ଲା କେସିଙ୍ଗା ଏନ୍ଏସିରେ ବିବାଦ ବଢ଼ିବାରେ ଲାଗିଛି। କଲ୍ୟାଣ ମଣ୍ଡପ ଟେଣ୍ଡର ଫିକ୍ସିଂ ଘଟଣା ବାଟରେ ଯାଇ ଦାଣ୍ଡରେ ଗଡୁଥିବାବେଳେ ଗୁରୁବାର ଅନୁଷ୍ଠିତ କାଉନ୍ସିଲ ବୈଠକରେ କଂଗ୍ରେସ କାଉନସିଲର ରୋହିତ ଜୈନ ଓ ଏନଏସି ଅଧ୍ୟକ୍ଷ ନୃପରାଜ ଯାଦବ ସ୍ଲଟର ହାଉସ ପ୍ରସଙ୍ଗକୁ ନେଇ କଥା କଟାକଟି, ଧସ୍ତାଧସ୍ତି ଏବଂ ମାମଲା ଥାନାରେ ପହଞ୍ଚିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ପୁଲିସ୍ ପୃଥକ୍ ଭାବେ ଦୁଇଟି ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ବୈଠକ ଅଧାରୁ ବନ୍ଦ ହୋଇଥିବା ବେଳେ ଏହି ଗଣ୍ଡଗୋଳର ଭିଡିଓ ବର୍ତ୍ତମାନ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।
ପ୍ରକାଶ ଯେ, ଗୁରୁବାର ଏନ୍ଏସି ସଦ୍ଭାବନା ଗୃହରେ ପାରିଷଦବର୍ଗ ବୈଠକ ଅନୁଷ୍ଠିତ ହୋଇଥିଲା। ନିର୍ବାହୀ ଅଧିକାରୀ ଅନୁପସ୍ଥିତ ଥିବାବେଳେ ଅଧ୍ୟକ୍ଷ ନୃପ ଯାଦବଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା। ବୈଠକରେ ୩୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ସ୍ଲଟର ହାଉସ ରିନୋଭେସନ ଟେଣ୍ଡର ପ୍ରକ୍ରିୟା ନେଇ କାଉନସିଲର ରୋହିତ ଜୈନ ପ୍ରଶ୍ନ ଉଠାଇଥିଲେ। ବାରମ୍ବାର ଟଙ୍କା ଖର୍ଚ୍ଚକରି ଦୋକାନ ନିର୍ମାଣ କରାଯାଉଥିଲେ ବି ମାଛ ଦୋକାନ ଯାଉ ନଥିବାରୁ ଏହି ଟଙ୍କାକୁ ବ୍ୟର୍ଥ ନକରାଯାଉ ବୋଲି ଦାବି କରିଥିଲେ। ହେଲେ ଏନଏସି ଅଧ୍ୟକ୍ଷ ଏହି କାର୍ଯ୍ୟ ହେବ, ଏହା ବନ୍ଦ ହୋଇପାରିବ ନାହିଁ ବୋଲି କହିଥିଲେ। ପରେ ଏହାକୁ ନେଇ ଯୁକ୍ତିତର୍କ ହୋଇଥିଲା। ପରେ ଏନଏସି ଅଧ୍ୟକ୍ଷ ଚପଲ ଧରି ରୋହିତଙ୍କୁ ବାଡ଼େଇବାକୁ ଆସିବା ସହ ଧସ୍ତାଧସ୍ତି କରିଥିବା ଥାନାରେ ଅଭିଯୋଗ ହୋଇଛି। ସିସିଟିଭି ଯାଞ୍ଚ କଲେ ଘଟଣାଟି ଜଣାପଡ଼ିଯିବାରୁ ସିସିଟିଭି ଖରାପ ବୋଲି ବନ୍ଦ କରାଯାଇଥିବା ଅଭିଯୋଗ କରିଛନ୍ତି।
ଅନ୍ୟପଟେ ଏନଏସି ଅଧ୍ୟକ୍ଷ ତାଙ୍କ ଦଳର ୧୦ କାଉନସିଲରକୁ ଧରି କାଉନସିଲର ରୋହିତ ଜୈନ ତାଙ୍କୁ ଜୀବନରୁ ମାରିଦେବା ଏବଂ ବାରମ୍ବାର ଉନ୍ନୟନ କାର୍ଯ୍ୟରେ ବାଧା ଦେଉଥିବା ନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ତେବେ ପୁଲିସ୍ ଉଭୟ ପକ୍ଷରୁ ମାମଲା ରୁଜୁକରି ତଦନ୍ତ ଜାରି ରଖିଛି। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ କଂଗ୍ରେସ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି। ପରେ କଂଗ୍ରେସ କର୍ମୀ ଥାନାକୁ ନେଇ ଘଟଣାର ବିହିତ ତଦନ୍ତ କରିବାକୁ ଦାବି କରିଛନ୍ତି। ସେହିପରି ଘଟଣାକୁ ନେଇ ଜିଲ୍ଲାପାଳଙ୍କୁ ଭେଟି ତଦନ୍ତ ଦାବି କରାଯିବ ଏବଂ ଆଗାମୀ ଦିନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଦଳ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଟାଉନ ସଭାପତି ସୁବାସ ଜୈନ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/kesinga.jpg)