କୋରାପୁଟ ଜିଲ୍ଲା କଂଗ୍ରେସରେ ତୁମ୍ବିତୋଫାନ: ଅସନ୍ତୋଷ ଝାଡ଼ିଲେ ମୀନାକ୍ଷୀ

‘କଂଗ୍ରେସକୁ ମୂଳପୋଛ ପାଇଁ ଚାଲିଛି ଉଦ୍ୟମ’, ଯିଏ ବି ସଭାପତି ହୁଅନ୍ତୁ ଦଳ ପାଇଁ କାମ କରିବେ : ସପ୍ତଗିରି

କୋରାପୁଟ : ବହୁ ଦିନ ଧରି କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି ପଦବିକୁ ନେଇ ଲାଗି ରହିଥିବା ବିବାଦର ଅନ୍ତ ଘଟିଛି। କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି ଭାବେ ଜୟପୁର ନିର୍ବାଚନମଣ୍ଡଳୀର ଦୁର୍ଗା ଶଙ୍କର ସାହୁ(ବୁଲୁ)ଙ୍କୁ ନିଯୁକ୍ତ କରିଛି ଏଇଆଇସିସି। ଏଆଇସିସି ସାଧାରଣ ସମ୍ପାଦକ କେ.ସି ବେଣୁଗୋପାଳ କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତିଙ୍କୁ ବଦଳାଇଛନ୍ତି। ଆଜି ବିଧିବଦ୍ଧ ଭାବେ ଶ୍ରୀ ସାହୁଙ୍କୁ ସଭାପତି ଭାବେ ନିଯୁକ୍ତି ଦେଇଥିବା ବେଳେ ବହୁଦିନ ହେଲା ଏହି ପଦବିକୁ ନେଇ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଓ ସାଂସଦ ସପ୍ତଗିରି ଉଲ୍ଲାକା ଗୋଷ୍ଠୀଙ୍କ ମଧ୍ୟରେ ରହିଥିବା ବିବାଦରେ ଉଲ୍ଲାକା ଗୋଷ୍ଠୀ ବିଜୟୀ ହୋଇଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ତେବେ, ଅସନ୍ତୋଷ ଛାଡ଼ିଛନ୍ତି ବିଦାୟୀ ସଭାପତି ମୀନାକ୍ଷୀ ବାହିନୀପତି।

ଜିଲ୍ଲା କଂଗ୍ରେସ ସଭାପତି ଭାବେ ଦାୟିତ୍ବ ନେବାପରେ ଶ୍ରୀ ସାହୁ ତୁରନ୍ତ ପ୍ରତିକ୍ରିୟା ରଖି କହିଛନ୍ତି। ସେ କହିଛନ୍ତି ଯେ, ସର୍ବଦା କଂଗ୍ରେସ ପାଇଁ କାମ କରିଛି ଜୀବନ ଥିବା ଯାଏ କାମ କରିବି। ଏପରିକି ଆସନ୍ତା ସାଧାରଣ ନିର୍ବାଚନରେ ଦଳୀୟ ପ୍ରାର୍ଥୀ କିଭଳି ଜିଲ୍ଲାର ୫ଟି ବିଧାନସଭା ଆସନରେ ବିଜୟୀ ହେବେ ସେନେଇ କାର୍ଯ୍ୟପନ୍ଥା ସ୍ଥିର ହୋଇଥିବା କହିଛନ୍ତି। ଏଥିସହିତ, କଂଗ୍ରେସ ସର୍ବଦା ଲୋକଙ୍କ ସହିତ ରହିଛି ଆଉ ରହିଥିବ। ଏହାକୁ ନେଇ କେହି ରାଜନୀତି କରିବା ଅନୁଚିତ ବୋଲି ଶ୍ରୀ ସାହୁ କହିଛନ୍ତି। କୋରାପୁଟ ସାଂସଦ ଶ୍ରୀ ଉଲ୍ଲାକା କହିଛନ୍ତି , ମୀନାକ୍ଷୀ ବାହିନୀପତି ହୁଅନ୍ତି କିମ୍ବା ଦୁର୍ଗା ପ୍ରସାଦ ସାହୁ ହୁଅନ୍ତୁ ସମସ୍ତେ ଦଳ ପାଇଁ କାମ କରିବେ। ଆଗାମୀ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ଯେଭଳି ବିଜୟୀ ହେବେ, ସେନେଇ ଉଦ୍ୟମ ଜାରି ରହିଥିବା କହିଛନ୍ତି।

ଅନ୍ୟପକ୍ଷରେ, କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି ପରିବର୍ତ୍ତନ ନେଇ ମୀନାକ୍ଷୀ ବାହିନୀପତି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସାଂସଦ କୋରାପୁଟରେ କଂଗ୍ରେସକୁ ମୂଳପୋଛ କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ କରିବା ସହ କଂଗ୍ରେସ ଦଳ ଓ କର୍ମୀଙ୍କ ସହ ସେ ନାହାନ୍ତି ବୋଲି କହିଛନ୍ତି। ସେ କହିଛନ୍ତି ଯେ ସେ କର୍ମୀଙ୍କ ସହ ରହିଛନ୍ତି ଓ ରହିବେ । କର୍ମୀମାନଙ୍କ ପରାମର୍ଶ ଓ ନିଷ୍ପତ୍ତିକୁ ନେଇ ଭବିଷ୍ୟତ ପଦକ୍ଷେପ ସମ୍ପର୍କରେ ଚିନ୍ତା କରିବ। ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି, ‘ କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲ୍ଲାକା ବହୁ ଦିନ ଧରି ସଭାପତି ପରିବର୍ତ୍ତନ ପାଇଁ ଉଦ୍ୟମ କରି ଆସୁଥିଲେ। ସଭାପତି ପରିବର୍ତ୍ତନ ନେଇ ମୋ ନିକଟରେ କୌଣସି ସୂଚନା ନାହିଁ। ଯଦି ଜିଲ୍ଲା ସଭାପତି ପରିବର୍ତ୍ତନ କରାଯାଇଛି ତେବେ ମୋର କିଛି କହିବାର ନାହିଁ। ମୋ ସଭାପତିତ୍ବ ସମୟରେ ଜିଲ୍ଲାରେ କଂଗ୍ରେସ ଦଳକୁ ମଜବୁତ କରି ଆସିଛି। ମୋ କାର୍ଯ୍ୟକାଳ ସମୟରେ ହିଁ ଅତୀତରେ ଜିଲ୍ଲାର ୫ଟି ବିଧାନସଭା ଆସନରୁ ୪ଟିରେ ଦଳୀୟ ପ୍ରାର୍ଥୀ ବିଜୟୀ ହୋଇ ଆସିଥିଲେ। ଗତ ସାଧାରଣ ନିର୍ବାଚନରେ ଜୟପୁରରୁ ବିଧାୟକ ଭାବେ ତାରାପ୍ରସାଦ ବାହିନୀପତି ଓ କୋରାପୁଟ ଲୋକସଭାରୁ ସାଂସଦ ଭାବେ ସପ୍ତଗିରି ଉଲ୍ଲାକା ବିଜୟୀ ହୋଇଛନ୍ତି। ଜୟପୁର ପୌରପରିଷଦ କଂଗ୍ରେସ ହାତେଇଛି। ଯଦି ମୋତେ ଦାୟିତ୍ବରୁ ହଟାଇଦେଲେ ଦଳ ଆଗକୁ ଶକ୍ତିଶାଳୀ ହୋଇପାରିବ ବୋଲି ଭାବୁଛନ୍ତି, ସେଥିରେ ମୋର କିଛି କହିବାର ନାହିଁ।

ସମ୍ବନ୍ଧିତ ଖବର