ବାଧକ ହେଲା ଧର୍ମାନ୍ତରୀକରଣ : ଗାଁ ମଶାଣିରେ ମିଳିଲାନି ଜାଗା

କେନ୍ଦୁଝର : ଧର୍ମ ପରିବର୍ତ୍ତନ କରିଥିବାରୁ ଶବ ସତ୍କାର କରିବାକୁ ଗାଁ ମଶାଣିରେ ଜାଗା ଟିକେ ମିଳିଲାନି। ସାହିଭାଇ କେହି ଆସିଲେନି। କାନ୍ଧ ଦେଲେନି। ପାଖାପାଖି ୩୦ ଘଣ୍ଟା ଘରେ ପଡ଼ିରହିଲା ଶବ। ତଥାପି ଗାଁ ଲୋକେ ସେମାନଙ୍କ ଜିଦ୍‌ରେ ଅଟଳ ରହିଲେ। ଶେଷରେ ପୁଲିସ ହସ୍ତକ୍ଷେପ ପରେ ନିଜ ବାଡ଼ିରେ ଶେଷକୃତ୍ୟ ସଂପନ୍ନ ହୋଇଥିଲା। କେନ୍ଦୁଝର ସଦର ବ୍ଲକ ମହାଦେଇଯୋଡ଼ା ପଞ୍ଚାୟତ ରନ୍ଥମରା ଗ୍ରାମରେ ଏଭଳିି ଅଭାବନୀୟ ଘଟଣା ଘଟିଛି।

ଗାଁର ପର୍ଶୁରାମ ହାଇବୁରୁ (୪୦)ଙ୍କ ସମେତ ପ୍ରାୟ ୧୫ ପରିବାର ଖ୍ରୀଷ୍ଟ ଧର୍ମରେ ଦୀକ୍ଷିତ ହୋଇଥିଲେ। ପର୍ଶୁରାମ କିଡ୍‌ନି ରୋଗରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ ଅର୍ଥାଭାବରୁ ଚିକିତ୍ସିତ ହୋଇପାରି ନଥିଲେ। ଗତକାଲି ସକାଳେ ତାଙ୍କର ମୃତ୍ୟୁ ହୋଇଥିଲା। ହେଲେ ତାଙ୍କ ଶବକୁ ଗାଁରେ ପୋତିବାକୁ ଗାଁଲୋକ ବାରଣ କରିଥିଲେ। କହିଥିଲେ, ଧର୍ମ ପରିବର୍ତ୍ତନ କରିଥିବାରୁ ଶବ ଆମ ଗାଁରେ ପୋତା ହୋଇପାରିବ ନାହିଁ। ଗାଁ ଅପବିତ୍ର ହୋଇଯିବ। ଶବକୁ ଅନ୍ୟତ୍ର ନେଇ ପୋତିବାକୁ କୁହାଯାଇଥିଲା। ଏହାକୁ ନେଇ ଗ୍ରାମରେ ଚାପା ଉତ୍ତେଜନା ଲାଗିରହିଥିଲା। ବିରୋଧ କରୁଥିବା ଗାଁ ଲୋକ ଆଜି କାମଧନ୍ଦାକୁ ନଯାଇ ଗାଁରେ ଜଗି ରହିଥିଲେ। ଖବର ପାଇ ସଦର ଥାନା ଅଧିକାରୀ ସ୍ମୃତିପ୍ରଭା ପ୍ରଧାନ, ଏସ୍‌ଆଇ ଜିନିମା ସାମଲଙ୍କ ନେତୃତ୍ୱରେ ପୁଲିସ ପହଞ୍ଚି ଗାଁ ଲୋକଙ୍କୁ ବୁଝାସୁଝା କରିଥିଲେ। ତଥାପି ସେମାନେ କିଛି ଶୁଣି ନଥିଲେ।

ସମାଜସେବୀ ସଂଜୟ କୁମାର ସାହୁ ଓ ପୁଲିସ ମିଳିତ ଭାବେ ବୁଝାସୁଝା କରିବା ପରେ ଗ୍ରାମବାସୀ ସର୍ତ୍ତ ରଖି ଶବ ପୋତିବାକୁ ଅନୁମତି ଦେଇଥିଲେ। ସର୍ତ୍ତ ଅନୁସାରେ ଗାଁ ମଶାଣିରେ ଶବ ପୋତା ନହୋଇ ମୃତକଙ୍କ ପରିବାରର ବାଡ଼ିରେ ପୋତା ଯାଇଥିଲା।

ପ୍ରକାଶ ଥାଉକି ରନ୍ଥମରା ଓ ଏହାର ପଡ଼ୋଶୀ ଗ୍ରାମର ୧୫ଟି ପରିବାର ଧର୍ମ ପରିବର୍ତ୍ତନ କରିଛନ୍ତି। ସ୍ୱର୍ଗତ ପର୍ଶୁରାମଙ୍କ ପତ୍ନୀ ସୁନୀତା ହାଇବୁରୁଙ୍କର ଦୁଇଟି ଛୋଟ ଛୁଆ ଅଛନ୍ତି। ଅତ୍ୟନ୍ତ ଗରିବ ହୋଇଥିବାରୁ ସେ ଅସହାୟ ହୋଇପଡ଼ିଛନ୍ତି।

ସମ୍ବନ୍ଧିତ ଖବର