ସୁନ୍ଦରଗଡ଼ ବିଜେଡିରେ ବିବାଦ : ଯୋଗେଶଙ୍କ ରୋଡ୍‌ ସୋ’ ବନାମ କୁସୁମଙ୍କ ରାଲି

ସୁନ୍ଦରଗଡ଼ : ଯୋଗେଶ ସିଂ ବିଜେଡିରେ ଯୋଗ ଦେବାପରେ ସୁନ୍ଦରଗଡ଼ ରାଜନୀତିରେ ଏକ ବିଚିତ୍ର ସ୍ଥିତି ସୃଷ୍ଟି ହୋଇଛି। ଗୋଟିଏ ପଟେ ଯୋଗେଶ ରୋଡସୋ’ କରିଥିବାବେଳେ ଅନ୍ୟପଟେ ବି‌ଜେଡି ନେତ୍ରୀ ତଥା ନବନିଯୁକ୍ତ ସୁନ୍ଦରଗଡ଼ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା କୁସୁମ ଟେଟେ ରାଲି‌ କହିଛନ୍ତି। ନିଜ ସମର୍ଥକଙ୍କ ସହିତ କେହି କାହାରି କାର୍ଯ୍ୟକ୍ରମରେ ସାମିଲ୍‌ ହୋଇନଥିବା ଦେଖିବାକୁ ମିଳିଛି।

ଗତ ୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ପୂର୍ବତନ ବିଧାୟକ ଯୋଗେଶ ସିଂ ବିଧିବଦ୍ଧ ଭାବେ ବିଜେଡିରେ ‌ଯୋଗ ଦେବା ପରେ ୮ ତାରିଖରେ ତାଙ୍କୁ ଏକ ରୋଡ୍‌ ସୋ’ରେ ସୁନ୍ଦରଗଡ଼ ସହରରେ ସ୍ବାଗତ କରାଯାଇଥିଲା। କିନ୍ତୁ ଏଥିରେ ବି‌ଜେଡି ନେତ୍ରୀ ତଥା ନବନିଯୁକ୍ତ ସୁନ୍ଦରଗଡ଼ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା କୁସୁମ ଟେଟେ ଓ ତାଙ୍କ ସମର୍ଥକ ସାମିଲ ହୋଇ ନ ଥିଲେ। ଏପରିକି ଦଳର ଜିଲ୍ଲାସ୍ତରୀୟ ବରିଷ୍ଠ ନେତାମାନଙ୍କୁ ମଧ୍ୟ ଦେଖିବାକୁ ମିଳି ନ ଥିଲା। ପୂର୍ବରୁ ଯୋଗେଶଙ୍କ ବିଜେଡି ଆଗମନକୁ ଖୋଲାଖୋଲି ବିରୋଧ କରୁଥିବା କୁସୁମ ଗଣମାଧ୍ୟମ ଆଗରେ ତାଙ୍କୁ ଯୋଗେଶଙ୍କ ସ୍ବାଗତ ଉତ୍ସବକୁ ଡକାଯାଇ ନ ଥିବା ପ୍ରକାଶ କରିଥିଲେ।

ଆଜି ସୁନ୍ଦରଗଡ଼ ସ୍ବତନ୍ତ୍ର ଉନ୍ନୟନ ପରିଷଦର ନବ ନିର୍ମିତ କାର୍ଯ୍ୟାଳୟର ଉଦ୍‌ଘାଟନ ଅବସରରେ ଜିଲ୍ଲା ବିଜେଡି ସଭାପତି ତଥା ରାଜଗାଙ୍ଗପୁର ବିଧାୟକ ମଙ୍ଗଳା କିଷାନ ଓ ଦଳୀୟ କର୍ମକର୍ତ୍ତାଙ୍କ ଉପସ୍ଥିତିରେ କୁସୁମଙ୍କୁ ପ୍ରାୟ ୫ ହଜାର ଲୋକଙ୍କର ଏକ ଶୋଭାଯାତ୍ରାରେ ସ୍ବାଗତ କରାଯାଇଥିଲା। ଏହା କୁସୁମଙ୍କ ଶକ୍ତି ପ୍ରଦର୍ଶନ ଓ ଯୋଗେଶଙ୍କୁ ପାଲଟା ଜବାବ ବୋଲି ଜିଲ୍ଲାରେ ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର