ଆରଏସପି ପ୍ରଶାସନିକ ଗେଟ ପରିବର୍ତ୍ତନ ମସୁଧା, ତେଜୁଛି ବିବାଦ

ରାଉରକେଲା : ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି) ଆରମ୍ଭ ହେବା ଠାରୁ କର୍ତ୍ତୃପକ୍ଷ ଓଡ଼ିଆ ମାରଣ ନୀତି ଆପଣାଇଛନ୍ତି। ବର୍ତମାନ ସବୁ ସୀମାପାର କରିଛନ୍ତି ଆର୍‌ଏସ୍‌ପି ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ। ଏମିତି ଅଭିଯୋଗ କରିଛି ଉତ୍କଳ ସମ୍ମିଳନୀ। ଆର୍‌ଏସ୍‌ପି କର୍ତ୍ତୃପକ୍ଷ ଏଭଳି ନୀତିକୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି ସମ୍ମିଳନୀର ରାଉରକେଲା ଶାଖା ସାଧାରଣ ସମ୍ପାଦକ ଅକ୍ଷୟ ଦାସ, ସୁଦାମ ଦାଶ, ବିଚିତ୍ରାନନ୍ଦ ସାହୁ ପ୍ରମୁଖ ଚେତାବନୀ ଦେଇଛନ୍ତି।

ସମ୍ମିଳନୀ ପକ୍ଷରୁ କୁହାଯାଇଛି କାରଖାନାର ସମସ୍ତ ପ୍ରମୁଖ ବିଭାଗରେ ଯଥା ନ୍ୟୁ ପ୍ଲେଟ ମିଲ, ହଟଷ୍ଟ୍ରୀପ ମିଲ, କୋଲ୍‌ଡ ରୋଲିଙ୍ଗ ମିଲ, ଆର୍ ଏମ୍ ଏଚ ପି, ସି ଆଣ୍ଡ ଆଇ.ଟି, ଅଟୋମେସିନ,ଏଚ୍‌ ଆର୍ ଡି ସି, ଆର୍ ଏଣ୍ଡ ସି ଲାବ, ସର୍ଭିସେସ, ମେଣ୍ଟନାନ୍ସରେ ବିଭାଗୀୟ ମୁଖ୍ୟ ଭାବରେ କେବଳ ଅଣ ଓଡ଼ିଆ ଅଧିକାରୀମାନଙ୍କୁ ଅବସ୍ଥାପିତ କରାଯାଇଛି। ସେମାନଙ୍କ ମଧ୍ୟରୁ ବହୁ ଅଧିକାରୀଙ୍କ କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏମାନଙ୍କ ମଧ୍ୟରୁ ଜଣେ ଅଧିକାରୀ ଯୌନ ନିର୍ଯାତନା ଅଭିଯୋଗ ମାମଲାରେ ଛନ୍ଦି ହୋଇଥିଲେ। ଏବେ ତାଙ୍କୁ ବିଭାଗୀୟ ମୁଖ୍ୟ ଭାବରେ ଅବସ୍ଥାପିତ କରାଯାଇଛି । ଉଦ୍ଦେଶ୍ୟମୂଳକ ଭାବରେ ଜଣେ ଅଧିକାରୀଙ୍କୁ ଦୁର୍ଗାପୁରରୁ ଆଣି ଏଠାରେ ଜବାହର ପୁରସ୍କାର ଓ ମୁଖ୍ୟ ମହାପ୍ରବନ୍ଧକ ଭାବେ ପଦୋନ୍ନତି ଦିଆଯାଇଛି।

ଅନ୍ୟପକ୍ଷରେ ଦକ୍ଷ ଓଡ଼ିଆ ଅଧିକାରୀମାନଙ୍କୁ ବିଭିନ୍ନ ପ୍ରକାରର ହଇରାଣ ହରକତ ତଥା ନିର୍ଯାତନା ଦିଆଯାଉଛି। ଓଡ଼ିଆ ଅସ୍ମିତାର ନିଦର୍ଶନ ତଥା ରୁଗଣ ଇସ୍ପାତ କାରଖାନାର ପୁନରୁଦ୍ଧାର କରିଥିବା ସେତେବେଳେର ପରିଚାଳନା ନିର୍ଦ୍ଦେଶକ ଡ଼ଃ ସନକ ମିଶ୍ରଙ୍କ ନାମଫଳକକୁ ହଟାଇ ନିଜ ନାମଫଳକୁ ବସାଇବାକୁ ସୁଚିନ୍ତିତ ଯୋଜନା ମୁତାବକ ପ୍ରଶାସନିକ ଭବନ ଗେଟ୍କୁ ପରିବର୍ତ୍ତନ କରାଯାଉଛି। ଏହା ପୂର୍ବରୁ ନିଜ କାର୍ଯ୍ୟାଳୟ ସମେତ ସମସ୍ତ ନିର୍ବାହୀ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଗୁଡିକର ବିକଶିତ କରାଯାଇ କୋଟି କୋଟି ଟଙ୍କା ବିନିଯୋଗ କରିବାର ଉଦ୍ଦେଶ୍ୟ କଣ ବୋଲି ଉତ୍କଳ ସମ୍ମିଳନୀ ତରଫରୁ ପ୍ରଶ୍ନ କରାଯାଇଛି। ପ୍ରଶାସନିକ ଭବନ ଗେଟ୍ ଆଗରେ ଥିବା ଡଃ ସନକ ମିଶ୍ରଙ୍କ ନାମଫଳକକୁ ନ ହଟାଇ ନୂତନ ଗେଟ୍ ସ୍ଥାପନା କରନ୍ତୁ। ନଚେତ୍ ଉତ୍କଳ ସମ୍ମିଳନୀ ତରଫରୁ ଆର୍ ଏସ ପି ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବାସଭବନକୁ ଘେରାଉ କରିବାକୁ ଉତ୍କଳ ସମ୍ମିଳନୀ ବାଧ୍ୟ ହେବ ବୋଲି ଚେତାବନୀ ଦିଆଯାଇଛି।

ସମ୍ବନ୍ଧିତ ଖବର