କୋଭିଡ୍‌ ମୃତ୍ୟୁକୁ ନେଇ ପୁଣି ଦ୍ୱନ୍ଦ୍ୱ: ୮୬୯୮ ମୃତ, ୧୦୬୨୧ ଜଣଙ୍କୁ ଅନୁକମ୍ପା ରାଶି

ଭୁବନେଶ୍ବର : କରୋନା ଆରମ୍ଭ କାଳରୁ କୋଭିଡ୍‌ ମୃତ୍ୟୁକୁ ନେଇ ଦ୍ବନ୍ଦ୍ବ ରହିଆସିଛି। ଏବେ ଯେଉଁ ତଥ୍ୟ ସାମ୍‌ନାକୁ ଆସିଛି ତାହା ପ୍ରକୃତ ମୃତ୍ୟୁ ସଂଖ୍ୟାକୁ ନେଇ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସବୁଠାରୁ ଗୁରୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, କାହାର ଅଭିଯୋଗ ଭିତ୍ତିରେ ନୁହେଁ ଖୋଦ୍‌ ରାଜ୍ୟ ସରକାରଙ୍କ ପରିସଂଖ୍ୟାନରେ ହିଁ ଏହି ଦ୍ବନ୍ଦ୍ବ ଛପିରହିଛି। ରାଜ୍ୟ ସରକାର ବର୍ତମାନ ସୁଦ୍ଧା ୮୬୮୯ କୋଭିଡ ମୃତ୍ୟୁ ଘୋଷଣା କରିଛନ୍ତି। ଅଥଚ, ରାଜ୍ୟରେ ଗତ ୨ମାସରେ ୧୦,୬୨୧ଜଣ କୋଭିଡ ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ କରାଯାଇଛି। ଅର୍ଥାତ୍‌ ମୃତ୍ୟୁଠାରୁ ଅଧିକ ୧,୯୩୨ ଜଣଙ୍କୁ ଅନୁକମ୍ପା ରାଶି ମିଳିଛି।

ଏହି ଅନୁକମ୍ପା ରାଶି ପାଇଥିବା ବ୍ୟକ୍ତିମା‌ନଙ୍କର କୋଭିଡ୍‌ ମୃତ୍ୟୁ ସହିତ କିଭଳି ସମ୍ପର୍କ ରହିଛି, ତାହା ଏବେ ତଦନ୍ତ ସାପେକ୍ଷ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ମୃତକଙ୍କ ପରିବାରକୁ ୫୦ହଜାର ଟଙ୍କା ଲେଖାଏ କ୍ଷତିପୂରଣ ପ୍ରଦାନ କରାଯାଉଛି। ତେଣୁ, ମୃତକଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ମୃତ୍ୟୁର ସଠିକ୍‌ ହିସାବ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ତେବେ, ଆରମ୍ଭରୁ ରାଜ୍ୟରେ କୋଭିଡ ମୃତ୍ୟୁ ବିବାଦରେ ରହିଆସିଛି। ପ୍ରକୃତ କୋଭିଡ ମୃତ୍ୟୁ ତୁଳନାରେ ରାଜ୍ୟ ସରକାର କମ୍ ମୃତ୍ୟୁ ଘୋଷଣା କରୁଥିବା ଉଭୟ ପ୍ରଥମ ଓ ଦ୍ବିତୀୟ ଲହରରେ ଅଭିଯୋଗ ହୋଇଥିଲା। ଏପରିକି କେବଳ ୨୦୨୦ ମସିହାରେ ରାଜ୍ୟରେ ଅତିରିକ୍ତ ୨୦ହଜାର ମୃତ୍ୟୁ ପଞ୍ଜୀକୃତ ହୋଇଥିବା ସାମ୍ନାକୁ ଆସିଥିଲା। ଯାହାକୁ ନେଇ ରାଜ୍ୟ ସରକାରଙ୍କ କୋଭିଡ ମୃତ୍ୟୁ ଘୋଷଣା ଅଧିକ ‌ସନ୍ଦେହ ଘେରକୁ ଆସିଥିଲା। ପରବର୍ତୀ ସମୟରେ ସୁପ୍ରିମକୋର୍ଟ କୋଭିଡ ମୃତ୍ୟୁର ପରିସୀମାକୁ ବଢ଼ାଇ ଦେଇଥିଲେ। ଯାହାଫଳରେ କୋଭିଡରେ ଆକ୍ରାନ୍ତ ହୋଇ ଅନ୍ୟ ରୋଗରେ ପ୍ରାଣ ହରାଇଲେ ମଧ୍ୟ ଏହାକୁ କୋଭିଡ ମୃତ୍ୟୁ ବୋଲି ବିବେଚନା କରାଯାଉଛି। ଏହି ଆଧାରରେ କୋଭିଡ କ୍ଷତିପୂରଣ ପ୍ରଦାନ କରୁଛନ୍ତି ବୋଲି କିଛି ଅଧିକାରୀ କହିଛନ୍ତି।

Bangalore Mirror

ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ସରକାରଙ୍କ ନିକଟରେ ୧୩ହଜାର ଆବେଦନ ପହଞ୍ଚିଛି। ତହିଁରୁ ୧୨,୩୩୮ ଆବେଦନକୁ ମଞ୍ଜୁରୀ ମିଳିଥିବା ବେଳେ ୧୦,୬୨୧ଜଣଙ୍କୁ ଅନୁକମ୍ପା ରାଶି ପ୍ରଦାନ କରାଯାଇଛି। ବଳକା ଅଢ଼େଇ ହଜାର ଆବେଦନ ମଧ୍ୟରୁ ହଜାର ଆବେଦନ କେବଳ ଖୋର୍ଧା ଜିଲ୍ଲାରେ ପଡ଼ି ରହିଛି। ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୧୧୩୧ ଅନୁକମ୍ପା ରାଶି ପ୍ରଦାନ କରାଯାଇଛି। ଏହାସହ କଟକ ୮୪୮, ସୁନ୍ଦରଗଡ଼ ୭୭୮, ଗଞ୍ଜାମ ୭୨୭, ପୁରୀ ୫୮୨, ବାଲେଶ୍ବର ୫୨୫, ଜଗତସିଂହପୁର ୪୮୫, ଅନୁଗୁଳ ୪୫୮, ବରଗଡ଼ ୪୩୩, ମୟୂରଭଞ୍ଜ ୪୨୬, ଯାଜପୁର ୩୪୬, କଳାହାଣ୍ଡି ୩୩୩, ସମ୍ବଲପୁର ୩୩୧, ନୟାଗଡ଼ ୩୧୭ ଓ ଝାରସୁଗୁଡ଼ାରୁ ୩୦୧ଜଣଙ୍କୁ ଏହି ରାଶି ପ୍ରଦାନ କରାଯାଇଛି। ୩୨୭ ଆବେଦନକୁ ଖାରଜ କରି ଦିଆଯାଇଛି।

 

ରାଜ୍ୟ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ, ଖୋର୍ଧା ଜିଲ୍ଲାରେ ଥିବା କୋଭିଡ ହସ୍ପିଟାଲରେ ଅନ୍ୟ ଜିଲ୍ଲାରୁ ବହୁ ସଂଖ୍ୟାରେ ରୋଗୀ ଚିକିତ୍ସା ପାଇଁ ଆସିଥିଲେ। ତେଣୁ ଏସବୁ ଆବେଦନ ଗୁଡ଼ିକର ଅନୁଧ୍ୟାନ ଜାରି ରହିଥିବା ସେ କହିଛନ୍ତି। ଅପରପକ୍ଷରେ ଏବେ ରାଜ୍ୟରେ କରୋନାର ତୃତୀୟ ଲହର ଚାଲିଛି। ଏହାସହ ପ୍ରତ୍ୟେକ ଦିନ ପ୍ରାୟ ୨୦ଜଣଙ୍କ ମୃତ୍ୟୁ ସଂପର୍କରେ ସରକାର ଘୋଷଣା କରୁଛନ୍ତି। ତେଣୁ ଆଗକୁ ରାଜ୍ୟର ସମୁଦାୟ ଅନୁକମ୍ପା ରାଶି ସଂଖ୍ୟା ୧୫ହଜାର ଛୁଇଁପାରେ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର