କୋରେଇ : ପାଣିକୋଇଲି ଥାନା ଶଙ୍ଖଚିଲା ଫାଣ୍ଡି ତଣ୍ଡରା ପଞ୍ଚାୟତର ବରେଇ ଗ୍ରାମରେ ବେଆଇନ ବାଲିଘାଟକୁ ବିରୋଧ କରିବାରୁ ଗଣ୍ଡଗୋଳ ହୋଇଛି। ବାଲିଘାଟ ଚଳାଉଥିବା ଯୁବକଙ୍କ ଆକ୍ରମଣରେ ଗ୍ରାମର ପ୍ରଶାନ୍ତ ସାହୁ ଆହତ ହୋଇଛନ୍ତି। ଏନେଇ ସେ ପ୍ରଥମେ ଶଙ୍ଖଚିଲା ଫାଣ୍ଡି ଓ ଆଜି ସନ୍ଧ୍ୟାରେ ପାଣିକୋଇଲି ଥାନାରେ ଅଭିଯୋଗ କରିଛନ୍ତି।
ତଣ୍ଡରା ଗ୍ରାମର କିଛି ଯୁବକ ତଣ୍ଡରା-ବରେଇ ଗ୍ରାମ ନିକଟରେ ଥିବା ଖରସ୍ରୋତା ନଦୀରୁ ବହୁ ଦିନ ଧରି ବେଆଇନ ବାଲି ଉତ୍ତୋଳନ କରୁଥିଲେ। ଏହାକୁ ବରେଇ ଗ୍ରାମବାସୀ ବିରୋଧ କରିଆସୁଥିଲେ। ନଦୀକୂଳରେ ଫସଲ ହାନି ହେଉଥିବାରୁ ବେଆଇନ ବାଲି ଉତ୍ତୋଳନ ବନ୍ଦ କରିବାକୁ ​ବରେଇର ଲୋକମାନେ କହିଥିଲେ। ଏହାପରେ ସେଠାରେ ବେଆଇନ ବାଲି ଉତ୍ତୋଳନ କରୁଥିବା ଯୁବକମାନେ ମେସିନ ନେଇ ପଳାଇ ଯାଇଥିଲେ। ମଧ୍ୟାହ୍ନରେ ବରେଇ ଗ୍ରାମର ମହିଳାମାନଙ୍କୁ ତଣ୍ଡରା ଗ୍ରାମର କେତେଜଣ ବ୍ୟକ୍ତି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଏହାକୁ ପ୍ରଶାନ୍ତ ବିରୋଧ କରିଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ସେମାନେ ପ୍ରଶାନ୍ତଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ। ଏହାକୁ ନେଇ ତଣ୍ଡରା-ବରେଇ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା।
ଶଙ୍ଖଚିଲା ଫାଣ୍ଡି ଅଧିକାରୀ ଅମିୟ କୁମାର ବେହେରା ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିବା ଜଣାପଡ଼ିଛି। ଗ୍ରାମବାସୀଙ୍କ ପକ୍ଷରୁ ଆଜି ପୁଣି ପାଣିକୋଇଲି ଥାନାରେ ଲିଖିତ ଅଭିଯୋଗ ହୋଇଛି। ଉଭୟ ପକ୍ଷଙ୍କ ସହିତ ଆଲୋଚନା କରାଯିବା ସହିତ ଘଟଣାର ତଦନ୍ତ ଜାରିରହିଛି ବୋଲି ପାଣିକୋଇଲି ଥାନାଧିକାରୀ ଚିନ୍ମୟୀ ବେହେରା ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/korei.jpg)