ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ୍‌ ଦେଓଗାଁ ପଞ୍ଚାୟତରେ ବାଲିଘାଟକୁ ନେଇ ବିବାଦ ଦେଖାଦେଇଛି। ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ରଙ୍କ ସମର୍ଥକମାନେ ଦେଓଗାଁର ପୂର୍ବତନ ସରପଞ୍ଚ ଅଶାନ୍ତି ବଳଙ୍କ ପରିବାରକୁ ଘେରାବନ୍ଦୀ କରି ରଖିବା ସହ ଗୁଳି କରି ହତ୍ୟା କରିବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ଖବର ପାଇ ପୁଲିସ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ଥାନାକୁ ଆଣିଛି। ଏନେଇ ପୂର୍ବତନ ସରପଞ୍ଚ ଅଶାନ୍ତି ବଳ ଓ ତାଙ୍କ ପୁତୁରା ପ୍ରକାଶ ବଳ ଥାନାରେ ଦୁଇଟି ପୃଥକ ଏତଲା ଦେଇଛନ୍ତି। ଅନ୍ୟପକ୍ଷରେ ବିପକ୍ଷ ଗୋଷ୍ଠୀ ପକ୍ଷରୁ ମଧ୍ୟ ଥାନାରେ ପାଲଟା ଏତଲା ଦିଆଯାଇଛି।

Advertisment

ଦେଓଗାଁ କୁଶେଇ ନଦୀର ବାଲିଘାଟ ରାସ୍ତା ନେଇ ବିବାଦର ସୂତ୍ରପାତ ହୋଇଛି। ପୂର୍ବତନ ସରପଞ୍ଚ ଅଶାନ୍ତି ବଳଙ୍କ ପୈତୃକ ଜମି ଦେଇ ବାଲି ବୋଝେଇ ଗାଡ଼ି ଚଳାଚଳ କରୁଥିବାରୁ ତାଙ୍କ ପରିବାର ଲୋକେ ବିରୋଧ କରିଥିଲେ। କିଛିଦିନ ତଳେ ଘସିପୁରା ତହସିଲଦାର ପତିତପାବନ ଦେବତା, ଘସିପୁରା ପୁଲିସ ବାଲିଘାଟ ରାସ୍ତା ଚିହ୍ନଟ ପାଇଁ ସେଠାକୁ ଯାଇଥିଲେ। ସେମାନଙ୍କ ପଟ୍ଟାଭୁକ୍ତ ଜମି‌ରେ ବାଲିଗାଡ଼ି ଛାଡ଼ିବା ପାଇଁ ପୂର୍ବତନ ସରପଞ୍ଚଙ୍କ ପରିବାର ଲୋକେ ରାଜି ନ ହେବାରୁ କିଛି ଅସାମାଜିକଙ୍କ ସହଯୋଗରେ ମାଡ଼ମାରି ସେମାନଙ୍କୁ ହଟାଇ ଦିଆଯାଇଥିଲା। ସେହିଦିନଠାରୁ ତାଙ୍କ ପରିବାର ଉପରେ ଜୁଲମ ଆରମ୍ଭ ହୋଇଛି। ଗତକାଲି ସନ୍ଧ୍ୟାରେ ୪୦ରୁ ଊର୍ଦ୍ଧ୍ବ ଲୋକେ ଦେଓଗାଁ ପୋଲଛକସ୍ଥିତ ପୂର୍ବତନ ସରପଞ୍ଚଙ୍କ ଘର ଆଗରେ ପହଞ୍ଚି ହଙ୍ଗାମା କରିଥି‌ଲେ।

ଖବର ପାଇ ଘସିପୁରା ପୁଲିସ ପହଞ୍ଚିବା ପରେ ସେମାନେ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ। ଆଜି ପୂର୍ବାହ୍‌ଣ ୧୦ଟାବେଳେ ପୁଣି ସେମାନେ ବିଭିନ୍ନ ମାରଣାସ୍ତ୍ର ଧରି ତାଙ୍କ ଘର ଆଗରେ ହଙ୍ଗାମା କରିବା ସହ ପୂର୍ବତନ ସରପଞ୍ଚଙ୍କ ପରିବାର ଲୋକଙ୍କୁ ଗାଳିଗୁଲଜ କରିଥି‌ଲେ। ବାହାରକୁ ବାହାରିଲେ ବୋମା ପକା‌ଇ ଉଡ଼ାଇ ଦେବାକୁ ଧମକ ଦେଇଥିଲେ ବୋଲି ଅଭିଯୋଗ ହୋଇଛି। ଖବର ପାଇ ଘସିପୁରା ଥାନା ଏସ୍ଆଇ ଅଜୟ କୁମାର ପରିଡ଼ା ପୁଲିସ ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଲିସ ଉପସ୍ଥିତିରେ ସମ୍ପୃକ୍ତ ଲୋକେ ଗାଳିଗୁଲଜ କରିଥିଲେ। ପୁଲିସ ସୁରକ୍ଷାରେ ପୂର୍ବତନ ସରପଞ୍ଚଙ୍କ ପରିବାର ଥାନାକୁ ଆସି ଏତଲା ଦେଇଛନ୍ତି। ବିପକ୍ଷ ଗୋଷ୍ଠୀ ମଧ୍ୟ ପାଲଟା ଦେଇଛନ୍ତି। ଉଭୟ ପକ୍ଷର ୧୧ଜଣକୁ ଅଟକ ରଖି ଘଟଣାର ତଦନ୍ତ କରାଯାଉଥିବା ଆନନ୍ଦପୁର ଏସ୍‌ଡିପିଓ ପ୍ରଶାନ୍ତ କୁମାର ବେହେରା କହିଛନ୍ତି। ଅନ୍ୟପକ୍ଷରେ ବିପକ୍ଷ ଗୋଷ୍ଠୀ କଣ ଅଭିଯୋଗ କରିଛନ୍ତି ସେ ସମ୍ପର୍କରେ ପୁଲିସ କିଛି କହୁନାହିଁ।

ଏ ସମ୍ପର୍କରେ ପୂର୍ବତନ ସରପଞ୍ଚଙ୍କ ବୋହୂ ପାର୍ବତୀ ଜେନା ଏହି ଘଟଣା ପାଇଁ ବିଧାୟକ ବଦ୍ରିନାରାୟଣ ପାତ୍ରଙ୍କୁ ଦାୟୀ କରିଛନ୍ତି। ବିଧାୟକଙ୍କ ଗୁଣ୍ଡାମାନେ ତାଙ୍କ ପରିବାର ଉପରେ ଜୁଲମ କରୁଥିବା ଅଭିଯୋଗ କରିଛନ୍ତି। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନାଯୋଗ୍ୟ ଯେ, କିଛିଦିନ ତଳେ ଶାଳଦେଈ ପଞ୍ଚାୟତ ନପଙ୍ଗା ବାଲିଘାଟରୁ ବାଲି ଗାଡ଼ି ଚଳାଚଳକୁ ବିରୋଧ କରିବାରୁ ମଲ୍ଲୀ ଜେନା ନାମକ ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାରେ ଘସିପୁରା ବ୍ଲକ୍‌ ଅଧ୍ୟକ୍ଷାଙ୍କ ସ୍ବାମୀ ମଦନ ମୋହନ ସାହୁ (ବାବନ)ଙ୍କ ସମେତ ୮ଜଣ ଜେଲ୍‌ରେ ଅଛନ୍ତି। ଏବେ ଦେଓଗାଁରେ ବାଲିଘାଟକୁ ନେଇ ପୁଣି ବିବାଦ ଆରମ୍ଭ ହୋଇଥିବାରୁ ପୁଲିସର ମୁଣ୍ଡବ୍ୟଥା ବଢ଼ିଛି।