ଭୀମଭୋଇଙ୍କ ଜନ୍ମସ୍ଥାନକୁ ନେଇ ବିବାଦ ପ୍ରସଙ୍ଗ :ମନ୍ତ୍ରୀଙ୍କୁ ଭେଟିଲେ ମଧୁପୁର ଗ୍ରାମବାସୀ

ରେଢ଼ାଖୋଲ: ଭୀମଭୋଇଙ୍କ ଜନ୍ମସ୍ଥାନକୁ ନେଇ ବିଦାଦ ଲାଗିରହିଛି। ଏହି ବିବାଦର ଖୋରାକ ଯୋଗାଇଛି ସ୍ଥାନୀୟ ବିଧାୟକ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କ ଏକ ସୁପାରିସ ଚିଠି। ଯାହାକୁ ନେଇ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ୍‌ ମଧୁପୁର ଗ୍ରାାମବାସୀ ସମେତ ଅଞ୍ଚଳବାସୀମାନଙ୍କ ମନରେ ଗଭୀର ଆଘାତ ଦେଇଛି। ହେଲେ ଏହାର ପ୍ରତିବାଦ କରି ମଧୁପୁର ଭୀମଭୋଇ ଜନ୍ମପୀଠ ଓ ସ୍ମୃତିରକ୍ଷା କମିଟି ପକ୍ଷରୁ ଏକ ପ୍ରତିନିଧି ଦଳ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କୁ ସାକ୍ଷାତ କରି ଦାବିପତ୍ର ଦେବା ସହ ସୁପାରିସ ପତ୍ରରେ ସଂଶୋଧନ କରିବାକୁ ନିବେଦନ କରିଛନ୍ତି। ଦାବିରେ ଉଲ୍ଲେଖ ରହିଛି ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଗତ ଜୁଲାଇ ୧୯ତାରିଖରେ କନ୍ଧରା (ଭୀମଭେଇ ଜନ୍ମପୀଠ )ଉନ୍ନତି ପାଇଁ ଓଡିଶା ସରକାରଙ୍କ ପ୍ରସ୍ତାବ ଗ୍ରହଣ କରାଯାଇଛି।

ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ପୂଜାରୀଙ୍କ ସୁପାରିସ ବଳରେ ପର୍ଯ୍ୟଟନ ବିଭାଗ ଏହି ପଦକ୍ଷେପ ନେଇଥିବା ଜଣାପଡିଛି। ବହୁତ ଗବେଷଣା ପରେ ମଧୁପୁର ଗ୍ରାମକୁ ଭୀମଭୋଇଙ୍କ ଜନ୍ମସ୍ଥାନ ବୋଲି ଅଞ୍ଚଳବାସୀ ମାନି ନେଇଛନ୍ତି। ମାତ୍ର ମନ୍ତ୍ରୀ କନ୍ଧରାକୁ ଜନ୍ମସ୍ଥାନ ବୋଲି ଉଲ୍ଲେଖ କରିଥିବାରୁ ରେଢ଼ାଖୋଲ ଅଞ୍ଚଳରେ ରହୁଥିବା ମହିମାଧର୍ମୀ ସାଧୁସନ୍ଥ ସମେତ ମଧୁପୁର ଗ୍ରାମବାସୀଙ୍କ ମଧ୍ୟରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଆଲୋଚନା ବେଳେ ମଧୁପୁର ଭୀମଭୋଇଙ୍କ ଜନ୍ମପୀଠ ଓ ସ୍ମୃତିରକ୍ଷା କମିଟିର ସଭାପତି ପୂର୍ଣ୍ଣଚନ୍ଦ୍ର ପ୍ରଧାନ ସମେତ ଅଞ୍ଚଳର ବହୁ ଭୀମଭୋଇଙ୍କ ଭକ୍ତ ଉପସ୍ଥିତ ଥିଲେ। ତେବେ ଚିଠିର ସଂଶୋଧନ ପାଇଁ ପଦକ୍ଷେପ ନେବେ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା କମିଟିର ସଭାପତି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର