ଭୁବନେଶ୍ବର : ଆମ ପାଖରେ ନୂଆ ରେଳ ପ୍ରକଳ୍ପ ଓ ଲାଇନ୍ ବିଛାଇବାକୁ ଇଚ୍ଛା ଶକ୍ତି, ଅର୍ଥ ଅଛି। ରାଜ୍ୟ ସରକାର ଜମି ଦେଲେ ଆମେ କରିବୁ। ଅର୍ଥର ଅଭାବ ନାହିଁ। ଓଡ଼ିଶାେର ରେଲୱେର ବିକାଶ ଲାଗି ରାଜନୀତିରୁ ଉପରକୁ ଉଠି କାର୍ଯ୍ୟ କରିବାକୁ ହେବ। କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହିପରି ଢଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିବା ପରେ ବିଜେଡି ଏହାର ଜବାବ୍ ରଖିଛି।
ବିଜେଡି ସାଂସଦ ମୁନ୍ନା ଖାଁ କହିଛନ୍ତି ଯେ, ରେଳ ପାଇଁ ରାଜ୍ୟ ସରକାର ସବୁଠି ଜମି ଯୋଗାଇ ଦେଉଛନ୍ତି। ରେଳ ମନ୍ତ୍ରୀ ଠିକ୍ ଭାବେ ଅନୁଧ୍ୟାନ କରି ନାହାନ୍ତି, ରେଳ କାର୍ଯ୍ୟ ବହୁତ ଧୀରେ ଚାଲିଛି। ଆମ ଓଡ଼ିଶା ଲୋକ ରେଳ ମନ୍ତ୍ରୀ ହୋଇଛନ୍ତି,ଆମେ ଆଶା କରିବୁ ଯେତେ ଜଲ୍ଦି ହେବ ସେ କାମକୁ ଆଗକୁ ନେବେ। ସେ ଅଭିଯୋଗ ନକରି, ମିଛ କଥା ନକହି କାମ ଜଲ୍ଦି ଜଲ୍ଦି କଲେ ଆମେ ଖୁସି ହେବୁ। ସଂଘୀୟ ସରକାରରେ ପ୍ରତ୍ୟେକ ରାଜ୍ୟର ଯାହା ହକ୍ ଅଛି ଆମେ ସେଇଟା ମାଗୁଛୁ, ଆମେ ଜବରଦସ୍ତ ମାଗୁନୁ, ଆମର ହକ୍ ଆମେ ମାଗୁଛୁ, ଆମ ହକ୍ ସେ ଆମକୁ ଦେଉନାହାନ୍ତି, ଠିକ୍ ସମୟରେ ଅର୍ଥ ଦେଉ ନାହାନ୍ତି,ଖାଲି ପୁରୁଣା ହିସାବ ଦେଉଛନ୍ତି, ରେଳ ମନ୍ତ୍ରଣାଳୟ ଓଡ଼ିଶାରୁ ଅଢ଼େଇ ଲକ୍ଷ କୋଟି ଆଦାୟ କରୁଛି, ହେଲେ ୧୮ରୁ ୨୦ହଜାର କୋଟି ଦେଉଛନ୍ତି। ଏଇଟା କ’ଣ ବେଶୀ ହୋଇଗଲା? ସେମିତି ବିଶେଷ ଦେଉନାହାନ୍ତି, ସେମାନେ ଅବହେଳା କରୁଛନ୍ତି। କୋଇଲା ରୟାଲଟି କଥା ଅନେକ ଦିନରୁ କହୁଛୁ। ମୁଖ୍ୟମନ୍ତ୍ରୀ ଅନେକ ଥର ଲେଖିକି ଦେଲେଣି ହେଲେ ସେମାନେ ଶୁଣୁନାହାନ୍ତି।
ସେହିପରି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ଯେ, ମୁଁ ସାଂସଦ ଥିବାବେଳେ ବଲାଙ୍ଗୀର-ଖୋର୍ଦ୍ଧା ରେଳ ଲାଇନ୍ ପ୍ରକଳ୍ପ କରିଥିଲୁ। ସବୁ ସାଂସଦମାନେ ତତ୍କାଳୀନ ରେଳମନ୍ତ୍ରୀଙ୍କ ପାଖକୁ ଯାଇଥିଲୁ ଏହି ପ୍ରକଳ୍ପ ପାଇଁ,ସେବେଠୁ ଆଜି ଯାଏଁ କେତେ ବର୍ଷ ହେଲାଣି?୨୩ ବର୍ଷ ଧରି ନବୀନବାବୁ ଶାସନରେ ରହିଲେଣି, ରାଜ୍ୟ ସରକାର ଜମି ଦେଉନାହାନ୍ତି କି କେନ୍ଦ୍ର ସରକାର ଟଙ୍କା ଦେଉ ନାହାନ୍ତି, ସେ ପ୍ରକଳ୍ପ ସଂପୂର୍ଣ୍ଣ ହୋଇ ପାରିଲା ନାହିଁ। ଓଡ଼ିଶାର ବିକାଶ ପାଇଁ ଇଚ୍ଛା ଶକ୍ତି ଦରକାର। ହେଲେ ଏଠି କେବଳ ଭୋଟ୍ ରାଜନୀତି ଚାଲିଛି।