ଢେଙ୍କାନାଳ: ରବିବାର ବିଳମ୍ବିତ ରାତିରେ ଗୁଳିମାଡ଼ରେ ଥରହର ହୋଇଛି ଢେଙ୍କାନାଳ। ଜଣେ ଯୁବକଙ୍କୁ ଗୁଳିମାଡ଼ ପରେ ପଥରରେ ମୁଣ୍ଡକୁ ଛେଚି ବୀଭତ୍ସ ଭାବେ ହତ୍ୟା କରାଯାଇଛି। ଟାଉନ୍ ଥାନା ଅନ୍ତର୍ଗତ କାରିଗରସାହିରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତ ଯୁବକ ମହେଶ୍ୱର ବେହେରା ଓରଫ ଟିଟନ୍। ସୂଚନା ଅନୁସାରେ, ଦୁର୍ବୃତ୍ତମାନେ ଗୁଳି ମାଡ଼ କରି ପ୍ରଥମେ ଟିଟନ୍ଙ୍କୁ ଘାଇଲା କରିଥିଲେ। ପରେ ତାଙ୍କ ପତ୍ନୀଙ୍କ ସମ୍ମୁଖରେ ଘଟଣାସ୍ଥଳରୁ ପ୍ରାୟ ୧୦୦ ମିଟର ଦୂରକୁ ଘୋଷାରି ନେଇ ସ୍ଥାନୀୟ ବିଦ୍ୟାଳୟଠାରେ ପଥରରେ ଛେଚି ହତ୍ୟା କରିଥିଲେ। ବାଲି ବ୍ୟବସାୟ ତଥା ସ୍ଥାନୀୟ ଅଞ୍ଚଳରେ ଏକ ନିର୍ମାଣ କାର୍ଯ୍ୟ ପାଇଁ ଯୋଗାଇ ଦେଇଥିବା ବାଲି ବାବଦ ଟଙ୍କାରୁ ବଟି ଆଦାୟକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ହତ୍ୟାକାଣ୍ଡ ଘଟାଇବା ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଗିରଫ କରାଯାଇଥିଲା। ସେହିପରି ଫେରାର୍ ଅନ୍ୟ ୫ ଜଣଙ୍କୁ ପୁରୀରୁ କାବୁ କରାଯାଇଛି।
/sambad/media/media_files/2025/04/22/gXJjrL5W0o2B1oWSiBXr.jpg)
ଘଟଣାରୁ ପ୍ରକାଶ ଯେ, କାରିଗରସାହି ବାସିନ୍ଦା ଟିଟନ୍ ଗତ ରବିବାର ରାତି ପ୍ରାୟ ୧୧ଟା ସମୟରେ ଘରକୁ ଫେରୁଥିଲେ। ପୂର୍ବ ଶତ୍ରୁତାକୁ ନେଇ କେତେକ ଦୁର୍ବୃତ୍ତ ତାଙ୍କ ଉପରକୁ ହଠାତ୍ ଗୁଳିମାଡ଼ କରିଥିଲେ। ଟିଟନ୍ଙ୍କ ଗୋଡ଼ରେ ୨ ରାଉଣ୍ଡ ଗୁଳି ବାଜିବାରୁ ସେ ପଡ଼ି ଯାଇଥିଲେ। ଘଟଣାଟି ତାଙ୍କ ଘରଠାରୁ ଅଳ୍ପ ଦୂରରେ ଘଟିଥିବା ବେଳେ ଗୁଳି ଶବ୍ଦ ଶୁଣି ତାଙ୍କ ସ୍ତ୍ରୀ ବାହାରକୁ ଦୌଡ଼ି ଆସିଥିଲେ। ଟିଟନ୍ ଜୀବନ ବିକଳରେ ସେଠାରୁ ପଳାଇଯିବାକୁ ଚେଷ୍ଟା କରୁଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କୁ ଘୋଷାରି ନେଇ ସ୍ଥାନୀୟ ଗୋପାଳସାଗର ବିଦ୍ୟାଳୟ ନିକଟରେ ପଥରରେ ଛେଚି ନିର୍ମମ ଭାବେ ହତ୍ୟା କରିଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଟାଉନ୍ ଥାନା ପୁଲିସ ଘଟଣାରେ ସଂପୃକ୍ତ ୨ ଜଣଙ୍କୁ ତରଭା ଅଞ୍ଚଳରୁ ଗିରଫ କରିଥିଲା। ଏମାନେ ହେଲେ ବାଜିଚୌକ ଅଞ୍ଚଳର ଶ୍ରୀକାନ୍ତ ରଣା ଓରଫ ବଳି ଓ ଦୀପକ ନାଏକ ଓରଫ ଦୀପୁ। ଆଜି ମଧ୍ୟାହ୍ନରେ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ କରିଥିଲା। ଅନ୍ୟ ଅଭିଯୁକ୍ତମାନେ ଫେରାର୍ ହୋଇ ଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ପୁରୀରୁ ଧରାଯାଇଥିବା ଢେଙ୍କାନାଳ ଏସ୍ପି ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/12/03/OJiPiTVXJC6BVrqw4c71.jpg)