ନଦୀ ପାଣିକୁ ନେଇ କଳି ବଢ଼ୁଛି: ବୈତରଣୀ, ଖରସ୍ରୋତା ପାଇଁ ୩ ଜିଲ୍ଲା ମଧ୍ୟରେ ବିବାଦ

ଯାଜପୁର, (ସଂଗ୍ରାମ କେଶରୀ ସିଂହ): ନଦୀକୁ ନେଇ ଯାଜପୁର ଓ ଭଦ୍ରକ ଜିଲ୍ଲାବାସୀଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି। ଯାଜପୁର ଜିଲ୍ଲାରେ ବ୍ରାହ୍ମଣୀ ନଦୀରୁ ବାହାରିଥିବା ଶାଖାନଦୀ ଖରସ୍ରୋତାର ଜଳକୁ ନେଇ କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲାବାସୀଙ୍କ ମଧ୍ୟରେ ବିବାଦ ଦେଖାଦେଇଛି। ଏବେ ଜିଲ୍ଲା-ଜିଲ୍ଲା ମଧ୍ୟରେ କଳିର କାରଣ ହୋଇଛି ନଦୀ। ଗୋଟିଏପଟେ ନଦୀଜଳ ପରିଚାଳନା କରିବାରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଥିବାବେଳେ ଅନ୍ୟପଟେ ଏହି କଳିକୁ ତୁଟାଇପାରୁନାହାନ୍ତି। ନଦୀଜଳକୁ ନେଇ କଳି ଦେଶ-ଦେଶ ଓ ରାଜ୍ୟ-ରାଜ୍ୟ ମଧ୍ୟରେ ଦେଖିବାକୁ ମିଳୁଥିବାବେଳେ ଏବେ ଆମ ରାଜ୍ୟରେ ଏହା ଜିଲ୍ଲା ସ୍ତରରେ ପହଞ୍ଚିବା ସହିତ ଚର୍ଚ୍ଚାର ବିଷୟ ପାଲଟିଛି। ଫଳରେ, ଭୟଙ୍କର ଭାବେ ଆଂଚଳିକବାଦ ମୁଣ୍ଡ ଟେକିବାରେ ଲାଗିଛି। ଆଗକୁ ଏହି ପରିସ୍ଥିତି ଆହୁରି ବିଗିଡ଼ିଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି।

ବ୍ରହ୍ମପୁତ୍ର ନଦୀକୁ ନେଇ ଭାରତ-ଚୀନ, ଇନ୍ଦସ ନଦୀକୁ ନେଇ ଭାରତ- ପାକିସ୍ତାନ ଓ ଭାରତ-ବାଂଲାଦେଶ ମଧ୍ୟରେ ଚିସ୍ତା ନଦୀର ଜଳକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। କିଛିଦିନ ହେଲା ମହାନଦୀର ଜଳକୁ‌ ନେଇ ଓଡ଼ିଶା-ଛତିଶଗଡ଼ ରାଜ୍ୟ ମଧ୍ୟରେ ବିବାଦ ସୁପ୍ରିମକୋର୍ଟରେ ପହଞ୍ଚିଥିବା ବେଳେ ପୋଲାଭରମ ପ୍ରକଳ୍ପ ନେଇ ଓଡ଼ିଶା-ଆନ୍ଧ୍ରପ୍ରଦେଶ ମଧ୍ୟରେ ବିବାଦ ‌‌ତେଜିବାରେ ଲାଗିଛି। ନଦୀ ପାଣିକୁ‌ ନେଇ ବିବାଦ ଦେଶରୁ ରାଜ୍ୟ ଏବଂ ଏବେ ‌ଜିଲ୍ଲାଗୁଡ଼ିକ ମଧ୍ୟରେ ଆରମ୍ଭ ହୋଇଯାଇଛି। ଓଡ଼ିଶାର ପୂର୍ବ ଉପକୂଳ ଯାଜପୁର, କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲାରେ ଦେଖିବାକୁ ମିଳିଛି ପାଣି ପାଇଁ ବିବାଦ। ବୈତରଣୀ ନଦୀ କେନ୍ଦୁଝର ଜିଲ୍ଲା ଗୋନାସିକା(ବାଂଶପାଳ ବ୍ଲକ୍)ରୁ ବାହାରି ଓଡ଼ିଶାରେ ହିଁ ବ‌ଙ୍ଗୋପସାଗରରେ ମିଶିଛି। ଏହାସତ୍ତ୍ବେ ଏହାଉପରେ ଆଜି ପର୍ଯ୍ୟନ୍ତ ଏକ ନଦୀବନ୍ଧ ଯୋଜନା କାର୍ଯ୍ୟକାରୀ ହୋଇପାରିଲା ନାହିଁ। କେନ୍ଦୁଝରର କାନପୁର ବୃହତ୍‌ ଜଳସେଚନ ଯୋଜନା ପାଞ୍ଚ ଦଶକ ଧରି ନିର୍ମାଣ ଚାଲିଛି। ଫଳରେ ଲଘୁଚାପ ବର୍ଷା ହେଲେ ବୈତରଣୀରେ ବାରମ୍ବାର ବନ୍ୟା ଆସି ଯାଜପୁର ଓ ଭଦ୍ରକ ଜିଲ୍ଲାରେ ନାହିଁ ନଥିବା ପ୍ରଳୟ ସୃଷ୍ଟି କରୁଛି। ଏବେ ଯାଜପୁର ସଦର ମହକୁମାରେ ପ୍ରାୟ ୫ଶହ କୋଟି ଟଙ୍କାର ପ୍ରକଳ୍ପ ବୈତରଣୀ ନଦୀଶଯ୍ୟା ଓ ପଠାରେ ଚାଲିଥିବା ବ‌େଳେ ଦକ୍ଷିଣ ପାର୍ଶ୍ବ ନଦୀବନ୍ଧ ସୁଦୃଢ ହେବାରେ ଲାଗିଛି। ଅଥଚ ବାମପାର୍ଶ୍ବରେ ଥିବା ଭଦ୍ରକ ଜିଲ୍ଲାର ୪ଟି ବ୍ଲକ୍ ଭଣ୍ଡାରିପୋଖରୀ, ଧାମନଗର, ତିହିଡ଼ି ଓ ଚାନ୍ଦବାଲିର ଲକ୍ଷ ଲକ୍ଷ ଲୋକଙ୍କ ଜୀବନଜୀବିକା ବାଜିରେ ଲାଗିଯାଇଛି ବୋଲି ସ୍ଥାନୀୟ ଅଞ୍ଚଳବାସୀ ପ୍ରମାଦ ଗଣିବା ଆରମ୍ଭ କରିଛନ୍ତି। ଏପରିକି ନଦୀପଠା ଓ ଶଯ୍ୟାରେ ଚାଲିଥିବା ନିର୍ମାଣ କାମ ଉପରେ ପରିବେଶ ମଞ୍ଜୁରି ପ୍ରଦାନ କରାଯାଇନଥିବାରୁ ଏନ୍‌ଜିଟି ରହିତାଦେଶ ପ୍ରଦାନ କରିଛନ୍ତି।

ବନ୍ୟା ବିପର୍ଯ୍ୟୟ ସୁରକ୍ଷା କମିଟି ଆବାହକ ଅକ୍ଷୟ ତ୍ରିପାଠୀ କହିଛନ୍ତି, ନଦୀର ଦକ୍ଷିଣ ପାର୍ଶ୍ବରେ ଯାଜପୁର ଜିଲ୍ଲାରେ ୧୦ରୁ ଅଧିକ ମାହାରା(ଏସକେପ୍) ପୋତିଦିଆଗଲା। ଅଥଚ ବାମ ପାର୍ଶ୍ବ ଭଦ୍ରକ ଜିଲ୍ଲାରେ ଥିବା ୪ଟି ମାହାରା ମଧ୍ୟରେ ବାଲିପୋଖରୀ,କଣ୍ଟି ଓ ଗୌରାଙ୍ଗପୁର ଅଞ୍ଚଳବାସୀଙ୍କ ପାଇଁ ବିପଦ ଡାକି ଆଣିଛି।

ସେହିପରି ଖରସ୍ରୋତା ନଦୀର ଜଳକୁ କେନ୍ଦ୍ରାପଡ଼ା ଜିଲ୍ଲାରୁ ନେଇ ଭଦ୍ରକରେ ବ୍ୟବହାର କରିବାକୁ ଯେଉଁ ଉଦ୍ୟମ ଜାରି ରହିଛି ତାକୁ ନେଇ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ନଦୀଜଳ ପରିଚାଳନାରେ ପ୍ରଶାସନ ତଥା ସରକାରଙ୍କ ଦିଗହରା କାର୍ଯ୍ୟକ୍ରମ ବିଭିନ୍ନ ଅଞ୍ଚଳ ମଧ୍ୟରେ ବିଭେଦ ସୃଷ୍ଟି କରିବାରେ ଲାଗିଛି। ଯାହାକି ଆଗାମୀ ଦିନରେ ଜଟିଳ ପରିସ୍ଥିତି ସୃଷ୍ଟି କରିବ ବୋଲି ବୁଦ୍ଧିଜୀବୀ ମତବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର