ଉପକୂଳ ରାଜପଥକୁ ନେଇ ବଢ଼ୁଛି ବିବାଦ: କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱରଙ୍କୁ ଦାବି ଜଣାଇଲା କ୍ରିୟାନୁଷ୍ଠାନ କମିଟି

ଭୁବନେଶ୍ବର : ଭାରତମାଳା ପରିଯୋଜନା ଅନ୍ତର୍ଗତ ପ୍ରସ୍ତାବିତ ଉପକୂଳ ରାଜପଥକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଉପକୂଳଠାରୁ ୨୫କିମି ଦୂରରେ ରାଜପଥ ନିଆଯିବାକୁ ଅଧିକାରୀସ୍ତରରେ ମସୁଧା ଚାଲିଥିବାରୁ ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ବିଶେଷକରି ଜଗତସିଂହପୁର ଜିଲ୍ଲାର ଉପକୂଳବର୍ତ୍ତୀ ଅଞ୍ଚଳବାସୀ ବିଭିନ୍ନ ପଦ୍ଧତିରେ ପ୍ରତିବାଦ କରିଆସୁଛନ୍ତି। ଗୋଟିଏ ପଟେ ପ୍ରତିବାଦ, ପଥପ୍ରାନ୍ତ ସଭା ଚାଲିଥିବା ବେଳେ ଗତକାଲି ଉପକୂଳ ରାଜପଥ କ୍ରିୟାନୁଷ୍ଠାନ କମିଟି(ବାଲିକୁଦା) ଭୁବନେଶ୍ବରର ରାଜ୍ୟ ଅତିଥି ଭବନରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁଙ୍କୁ ଭେଟି ଏ ବାବଦରେ ଅଭିଯୋଗ କରିଛନ୍ତି।

କମିଟିର ସଦସ୍ୟମାନେ କେନ୍ଦ୍ରମନ୍ତ୍ରୀଙ୍କ ସହ ତିନି ଘଣ୍ଟା ଧରି ଆଲୋଚନା କରିଥିଲେ। ଉପକୂଳଠାରୁ ୨୫ କିଲୋମିଟର ଦୂରରେ ରାଜପଥ ତିଆରି କରାଗଲେ, କି’ କି’ ସମସ୍ୟା ହେବ, ସେ ସଂପର୍କରେ କେନ୍ଦ୍ରମନ୍ତ୍ରୀଙ୍କୁ ବିଶଦ୍‌ ଭାବେ ବୁଝାଇଥିଲେ। କମିଟିର ସଦସ୍ୟଙ୍କ ଅଭିଯୋଗ ଅନୁସାରେ, ବାଲିକୁଦା-ଏରସମା ତଟବର୍ତ୍ତୀ ଗାଁଗୁଡ଼ିକ ଦଶନ୍ଧି ଦଶନ୍ଧି ଧରି ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ଶିକାର ହେଉଛନ୍ତି। ୧୯୯୯ ମସିହା ମାହାବାତ୍ୟାରେ ସମୁଦ୍ର ପାଣି ଉପକୂଳ ଅଞ୍ଚଳର ହଜାର ହଜାର ପରିବାରକୁ ମୂଳପୋଛ କରି ଦେଇଛି। ଏବେ ବି ସମୁଦ୍ର ଜନବସତି ଆଡକୁ ମାଡ଼ି ଆସୁଛି। ସମୁଦ୍ର ପାଣି ଗାଁ ଭିତରେ ପଶି ଧନଜୀବନ ନଷ୍ଟ କରୁଛି।
୨୦୧୫ ମସିହାରେ ଉପକୂଳ ରାଜପଥ ଉପକୂଳବର୍ତ୍ତୀ ଗାଁ ଦେଇ ଯିବା ପାଇଁ ଘୋଷଣା ପରେ ସେଠାକାର ଅଞ୍ଚଳବାସୀ ଦୈନିକ ଯୁଝୁଥିବା ବର୍ଷବର୍ଷର ମୌଳିକ ସମସ୍ୟା ଦୂର ହେବ ବୋଲି ଆଶା ଦେଖାଯାଇଥିଲା। ହେଲେ ବିନା କୌଣସି କାରଣରେ ଉପକୂଳଠାରୁ ୨୫କିମି ଦୂରରେ ଉପକୂଳ ରାଜପଥ ନିଆଯିବା ପାଇଁ ମସୁଧା ତାହାକୁ ଧୂଳିସାତ୍‌ କରିଦେଇଛି। ଏହା ଉପକୂଳ ରାଜପଥର ମୂଳ ଲକ୍ଷ୍ୟକୁ ସାଧନ କରୁନାହିଁ।

କମିଟି ଆହୁରି ଅଭିଯୋଗ କରିଛି ଯେ ଏନ୍‌ଏଚ୍‌ଏଆଇର ଜଣେ ପୂର୍ବତନ ରାଜ୍ୟ ମୁଖ୍ୟ କ୍ଷମତାର ଅପବ୍ୟବହାର କରି ଦୁଇ ଦୁଇଟି ରାଜପଥର ଦିଗ ପରିବର୍ତ୍ତନ କରିଦେଇଛନ୍ତି। ଯୋଜନାକୁ ବାଟବଣା କରି ଏନ୍‌ଏଚ୍‌-୫୫କୁ ଦାଣ୍ଡପଟେ ଓ ଉପକୂଳ ରାଜପଥକୁ ବାରିପଟେ ନେଇଛନ୍ତି। ଏଥିରେ ବଡ଼ ଷଡ଼ଯନ୍ତ୍ର କରାଯାଇ ଶହଶହ କୋଟି ଟଙ୍କ‌ାର ଘୋଟାଲା କରାଯାଇଥିବା ନେଇ ସଦସ୍ୟମାନେ କେନ୍ଦ୍ରମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ତେବେ ପ୍ରାସ୍ତାବିତ ନକ୍ସା-୨ ଆଧାରରେ ଉପକୂଳଠାରୁ ୫କିମି ମଧ୍ୟରେ ରାଜପଥ ନେବାକୁ ସଦସ୍ୟମାନେ କେନ୍ଦ୍ରମନ୍ତ୍ରୀଙ୍କ ନିକଟରେ ଦାବି କରିଥିଲେ।

କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡ଼ୁ ଅଭିଯୋଗପତ୍ର ଗ୍ରହଣ କରିବା ସହ ଖୁବ୍‌ଶୀଘ୍ର ଏ ସମ୍ପର୍କରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ, କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ତଥା କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରି ଅଞ୍ଚଳବାସୀଙ୍କ ପ୍ରକୃତ ହକ୍‌ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହି ପ୍ରତିନିଧିମଣ୍ଡଳୀରେ କ୍ରିୟାନୁଷ୍ଠାନ କମିଟିର ସକ୍ରିୟ ସଭ୍ୟ ପ୍ରକାଶ ପ୍ରଧାନ, ଶଶାଙ୍କ ଶେଖର ସାହାଣୀ, ପ୍ରଶାନ୍ତ ରାଉତରାୟ, ସୁବାସ ନାୟକ, ବସନ୍ତ ନାୟକ, ସତ୍ୟବ୍ରତ ବିଶ୍ଵାଳ, ବନ୍ଧୁଚରଣ ନାୟକ, ରମେଶ ଚନ୍ଦ୍ର ବହିରା, ଦିଲ୍ଲୀପ ସ୍ବାଇଁ, ବୃନ୍ଦାବନ ଜେନା, ଯୁଧିଷ୍ଠିର ସ୍ୱାଇଁ, ଦ୍ଵିଜବର ନାୟକ, ରମେଶ ନାୟକ, ରାଜକିଶୋର ନାୟକ, ରାଜେଶ ମହାରଣା, ମାନସ ଜେନା, ଭାବଗ୍ରାହୀ ସ୍ୱାଇଁ, ପ୍ରଶାନ୍ତ ସାହୁ, ମିହିର ପରିଡ଼ା, ସୁବଳ ପରିଡ଼ା, ଶିଶିର ବେହେରା ଓ ପ୍ରକାଶ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ। ଜଗତ୍‌ସିଂହପୁର ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସମ୍ପାଦକ ମନୋଜ ଶୁକ୍ଳା, ରାଜ୍ୟ ବିଜେପି ସଂଯୋଜକ ନୃସିଂହ ସାହୁ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର