କଟକ : ସରକାର ବାରମ୍ବାର ଓଡ଼ିଶା ସାହିତ୍ୟ ଏକା‌ଡେମୀର ସମ୍ବିଧାନକୁ ଉଲ୍ଲଂଘନ କରି ପୁରସ୍କାର ପ୍ରକ୍ରିୟାରେ ହସ୍ତକ୍ଷେପ ପାଇଁ ଉଦ୍ୟମ କରୁଥିବା ଅଭିଯୋଗ ନେଇ ଦାୟର ମାମଲାର ଆଜି ହାଇକୋର୍ଟରେ ପ୍ରାରମ୍ଭିକ ଶୁଣାଣି ହୋଇଛି। ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କୁ ରିଟ୍ ପିଟିସନର କପି ଦେବାକୁ ଆବେଦନକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ପରବର୍ତ୍ତୀ ଶୁଣାଣି ସମୟରେ ମାମଲାରେ ପକ୍ଷ ରଖିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ କହିଛନ୍ତି। ହାଇକୋର୍ଟ ଓଡ଼ିଶା ସାହିତ୍ୟ ଏକାଡ଼େମୀର କାର୍ଯ୍ୟକାରୀ ପରିଷଦ ସଦସ୍ୟ ତଥା ନିୟମାବଳୀ ପରିବର୍ତ୍ତନ ଓ ସ˚ଶୋଧନ କମିଟିର ଅଧ୍ୟକ୍ଷ ଡକ୍ଟର ନୃସିଂହ ଚରଣ ଷଡ଼ଙ୍ଗୀଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଦୁଇ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ କରାଯାଇଛି।

Advertisment

ଆବେଦନରେ ଦର୍ଶାଯାଇଛି ଯେ ଓଡ଼ିଶା ସାହିତ୍ୟ ଏକାଡେମୀ ପ୍ରଦତ୍ତ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ଓ ସାରସ୍ବତ ସାଧକ ସାଧିକାଙ୍କୁ ସମ୍ବର୍ଦ୍ଧନା ପାଇଁ କାର୍ଯ୍ୟକାରୀ ପରିଷଦ ଓ ସାଧାରଣ ପରିଷଦ ଦ୍ବାରା ପ୍ରସ୍ତୁତ ଓ ଅନୁମୋଦିତ ନୂତନ ନିୟମାବଳୀକୁ ସରକାର ଅନୁମୋଦନ କରୁନାହାନ୍ତି। ଏଥିପାଇଁ ସରକାର ନିଜସ୍ବ କମିଟି ଦ୍ବାରା ଏକ ସଂଶୋଧିତ ନିୟମାବଳୀ ପ୍ରଣୟନ କରୁଛନ୍ତି। ୨୦୨୨, ଅଗଷ୍ଟ ୨୨ରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ସଚିବ ତଥା ନିର୍ଦ୍ଦେଶକଙ୍କ ପକ୍ଷରୁ ଏହି ଦୁଇ ପୁରସ୍କାର ନିୟମରେ ସଂଶୋଧନ ପାଇଁ ଏକ କମିଟି ଗଠନ ସଂପର୍କିତ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। ଏପରି ବିଜ୍ଞପ୍ତି ବେଆଇନ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ବିଧାନର ଉଲ୍ଲଂଘନ କରି ଏପରି ବିଜ୍ଞପ୍ତି ପ୍ରକାଶ କରାଯାଇଥିବାରୁ ଏହାକୁ ରଦ୍ଦ କରାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି।

ସେହିଭଳି, ନିୟମ ଅନୁସାରେ ଏକାଡେମୀ ସଚିବ ସମ୍ବର୍ଦ୍ଧନା ପାଇଁ ଯୋଗ୍ୟ ବ୍ୟକ୍ତି ଚୟନ ଉଦ୍ଦେଶ୍ୟରେ ଏକ ନାମ ତାଲିକା ପ୍ରସ୍ତୁତ କରି କାର୍ଯ୍ୟକାରୀ ପରିଷଦ ଅନୁମୋଦନକ୍ରମେ ସେହି ତାଲିକାରୁ ପ୍ରାର୍ଥୀ ଚୟନ ଲାଗି ସାଧାରଣ ପରିଷଦଠାରୁ ପ୍ରସ୍ତାବ ଆହ୍ବାନ କରିବେ। ଏଥିପାଇଁ ପ୍ରଚଳିତ ପୁରସ୍କାର ନିୟମାବଳୀର ସରକାରୀ ଅନୁମୋଦନ ୧୯୯୬ ମସିହାରୁ ନାହିଁ। ହେ‌ଲେ, ସେହି ନିୟମାବଳୀ ଆଧାରରେ ଏକାଡେମୀ ସଚିବ ୨୦୨୧, ଜୁଲାଇ ୧୪ରେ ୫୬ଜଣ ସଦସ୍ୟଙ୍କଠାରୁ ପ୍ରସ୍ତାବ ଆହ୍ବାନ କରିବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ। ଆବେଦନକାରୀ ଆହୁରି ମଧ୍ୟ ଦର୍ଶାଇଛନ୍ତି ଯେ ସରକାରଙ୍କ ଆଦେଶନାମା ଅନୁସାରେ ସ୍ବଚ୍ଛତା ଦୃଷ୍ଟିରୁ ସାଧାରଣ ପରିଷଦ ସଦସ୍ୟଙ୍କ ପୁସ୍ତକ ପୁରସ୍କାର ପାଇଁ ଗ୍ରହଣୀୟ ହେବନାହିଁ। ଏଭଳି ସ୍ଥିତିରେ କାର୍ଯ୍ୟକାରୀ ପରିଷଦର ସଦସ୍ୟମାନେ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ଓ ସମ୍ବର୍ଦ୍ଧନା ପାଇଁ ନିଜେ ଦେଇଥିବା ପ୍ରସ୍ତାବର ନିଜେ କିପରି ବିଚାରକ ହେବେ ତାକୁ ନେଇ ଆବେଦନକାରୀ ପ୍ରଶ୍ନ ଉଠାଇଛନ୍ତି।

ମାମଲାରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ସଚିବ, ଅତିରିକ୍ତ ସଚିବ ତଥା ନିର୍ଦ୍ଦେଶକ, ଓଡ଼ିଶା ସାହିତ୍ୟ ଏକାଡେମୀ ସଭାପତି ଓ ସଚିବଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ରମାକାନ୍ତ ଷଡ଼ଙ୍ଗୀ ମାମଲା ପରିଚାଳନା କରୁଛନ୍ତି।