ଭୁବନେଶ୍ବର: ମହାନଦୀକୁ ନେଇ ଛତିଶଗଡ଼ ସହିତ ଚାଲିଥିବା ଜଳବିବାଦର ଆପୋସ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକରେ ଗୁରୁତ୍ୱାରୋପ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କେନ୍ଦ୍ରୀୟ ଜଳ କମିସନରେ ସମସ୍ୟା ସମାଧାନ ପାଇଁ ହେଉଥିବା ଉଦ୍ୟମ ମନ୍ଥର ଗତିରେ ଚାଲୁଛି। କେନ୍ଦ୍ର ସରକାରଙ୍କ ସହଯୋଗରେ ଉଭୟ ରାଜ୍ୟ ମଧ୍ୟରେ ଆପୋସ ଆଲୋଚନା କରାଯାଇ ଏହି ସମସ୍ୟାର ସମାଧାନ କରାଯାଇପାରିବ । ଏଥିରେ କେନ୍ଦ୍ର ଜଳ କମିସନ ବୈଷୟିକ ସହଯୋଗ ପ୍ରଦାନ କରିପାରିବ। ଏହାଦ୍ୱାରା ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଥିବା ଦୀର୍ଘଦିନର ବିବାଦ ସମାଧାନ ହୋଇପାରିବ ଏବଂ ଉଭୟ ରାଜ୍ୟ ମଧ୍ୟରେ ସୁସମ୍ପର୍କ ବୃଦ୍ଧି ପାଇବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ସୂଚନାଯୋଗ୍ୟ ଯେ, ଫେବ୍ରୁଆରି ମାସରେ ରାଜସ୍ଥାନରେ ହୋଇଥିବା ସର୍ବଭାରତୀୟ ରାଜ୍ୟ ଜଳସମ୍ପଦ ମନ୍ତ୍ରୀମାନଙ୍କର ସମ୍ମିଳନୀ ଏବଂ ମାର୍ଚ୍ଚ ମାସରେ ଭୁବନେଶ୍ୱରରେ ହୋଇଥିବା ବିଶ୍ୱ ଜଳଦିବସ ଅବସରରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ମଧ୍ୟରେ ଏ ବିଷୟରେ ଆଲୋଚନା ହୋଇଥିଲା । ଉଭୟ ମୁଖ୍ୟମନ୍ତ୍ରୀ ଏହାର ଆପୋସ ସମାଧାନ ଉପରେ ଗୁରୁତ୍ୱାରୋପ କରିଥିଲେ। ଏହା ସହିତ ଦୁଇ ରାଜ୍ୟର ଉଚ୍ଚସ୍ତରୀୟ ପଦାଧିକାରୀମାନଙ୍କ ମଧ୍ୟରେ ଏ ସମ୍ପର୍କରେ ଆଲୋଚନା ଜାରି ରହିଛି ବୋଲି ବୈଠକରୁ ଜଣାଯାଇଛି। ଆଜିର ବୈଠକରେ ଆଡଭୋକେଟ ଜେନେରାଲ ପିତାମ୍ୱର ଆଚାର୍ଯ୍ୟ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିସନର ତଥା ଜଳ ସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର ଏବଂ ଜଳ ସମ୍ପଦ ବିଭାଗର ବରିଷ୍ଠ ଅଧିକାରୀ ଓ ଇଞ୍ଜିନିୟରମାନେ ଉପସ୍ଥିତ ଥିଲେ। ସ୍ମରଣଯୋଗ୍ୟ, ସୁପ୍ରିମକୋର୍ଟ ଏହି ମାମଲାରେ ଗୁରୁତ୍ବ ଦେଇ ଏକ ଟ୍ରିବ୍ୟୁନାଲ ଗଠନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଗତ ୨୦୧୮ରୁ ଟ୍ରିବ୍ୟୁନାଲ କାମ କରୁଛି। ସେବେ ଠାରୁ ଏହି ବିବାଦ ଲାଗି ରହିଛି। ସମାଧାନର ବାଟ ଖୋଲି ନାହିଁ। ପ୍ରତିବର୍ଷ ଗ୍ରୀଷ୍ମଦିନରେ ମହାନଦୀ ଜଳାଭାବକୁ ନେଇ ରାଜ୍ୟବାସୀ ଚିନ୍ତା ପ୍ରକଟ କରିଆସୁଛନ୍ତି।