ବାରିପଦା : ସୋମବାର ଦିନ ବିଜେପି ପକ୍ଷରୁ ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା ଦିଆଯାଇଥିଲା। ମାତ୍ର ମଧ୍ୟାହ୍ନ ସମୟରେ ଜେଏମ୍‌ଏମ୍‌ ପକ୍ଷରୁ ହଠାତ୍‌ ସ୍ଥାନୀୟ ବିଜୁ ପଟ୍ଟନାୟକ ଗୋଲେଇ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ବିକ୍ଷୋଭ ବେଳେ ଏକ ଅଭାବନୀୟ ପରିସ୍ଥିତି ଉପୁଜିଥିଲା। ଦଳର ଯୁବମୋର୍ଚ୍ଚା ସଭାପତି ଅର୍ଜୁନ ମୁର୍ମୁଙ୍କ ସମେତ ଏକାଧିକ ଦଳୀୟ କାର୍ଯ୍ୟକର୍ତ୍ତା ସେଠାରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଉପରକୁ ଉଠିଯାଇ ଜେଏମ୍‌ଏମ୍‌ ପ୍ଲାକାର୍ଡକୁ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ହାତରେ ରଖି ଦେଇଥିଲେ ଓ ନାରାବାଜି କରିଥିଲେ।

Advertisment

publive-image

ଏହି ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ବିଜେଡି। ଜେଏମ୍‌ଏମ୍‌ କର୍ମୀମାନେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଉପରକୁ ଉଠି ଯେପରି ବ୍ୟବହାର କଲେ ଓ ହାତରେ ପ୍ଲାକାର୍ଡ ଧରେଇଲେ, ତାହାକୁ ଅତି ଅଶୋଭନୀୟ ବୋଲି କହି ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ନେତୃତ୍ବରେ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଛି ଦଳ। ଶ୍ରୀ ମାର୍ଣ୍ଡି କହିଛନ୍ତି, ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିକୁ ଅସମ୍ମାନକୁ ଦଳ ଆଦୌ ଗ୍ରହଣ କରିବ ନାହିଁ। ଏହି ଅବସରରେ ଦଳ ପକ୍ଷରୁ କ୍ଷୀର ଓ ଗଙ୍ଗା ପାଣିରେ ପ୍ରତିମୂର୍ତ୍ତିକୁ ଧୁଆଯାଇ ପବିତ୍ର କରାଯାଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ରାଜ କିଶୋର ଦାସ, ପୂର୍ବତନ ଉପବାଚସ୍ପତି ସାନନ୍ଦ ମାର୍ଣ୍ଡି, ପୂର୍ବତନ ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ୍‌, ପୂର୍ବତନ ଏସ୍‌ଡିସି ଅଧ୍ୟକ୍ଷ ଦେବାଶିଷ ମାର୍ଣ୍ଡି, ପୂର୍ବତନ ବିଧାୟକ ଭାଦବ ହାଁସଦା, ପୂର୍ବତନ ନଗରପାଳ ତଥା ବାରିପଦା ଟାଉନ ବିଜେଡି ସଭାପତି କୃଷ୍ଣାନନ୍ଦ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ଶେଷ ଖବର ସୁଦ୍ଧା ପ୍ରତିମୂର୍ତ୍ତି ଉପରେ ଚଢ଼ି ନାରାବାଜି କରିବା ଏବଂ ପ୍ଲାକାର୍ଡ ରଖି ଅସମ୍ମାନ କରିବା ଅଭିଯୋଗରେ ପୁଲିସ ୬ଜଣ ଜେଏମ୍‌ଏମ୍‌ ନେତାଙ୍କୁ ଗିରଫ କରିଛି। ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିଥିବା ଅଭିଯୋଗରେ ପୁଲିସ ନିଜ ଆଡ଼ୁ ଏତଲା ଦେଇ ଯୁବମୋର୍ଚ୍ଚା ସଭାପତି ଅର୍ଜୁନ ମୁର୍ମୁ(୨୮), ସୁନାରାମ ସୋରେନ(୪୩), ପୃଥିରାଜ ହାଁସଦା(୩୩), ବାଜୁନ ସୋରେନ(୩୨), ଶିବାଜୀ ମୌଲିକ(୬୩) ପ୍ରମୁଖଙ୍କୁ ଗିରଫ କରିଛି। ସେହିପରି ଏହି ଘଟଣାରେ ଜଣେ ନାବାଳକଙ୍କୁ ମଧ୍ୟ ଅଟକ ରଖିଛି ପୁଲିସ।