ତଦନ୍ତ ରିପୋର୍ଟ ଦାଖଲ ନିର୍ଦେଶ
ସମ୍ବଲପୁର, ପୁରୀ ସବୁଠି ଟୋକନ ପାଇଁ ଦୁର୍ଦ୍ଦଶାରେ ଚାଷୀ
ବରଗଡ଼କୁ ଘାରିଛି କାଳବୈଶାଖୀ ଚିନ୍ତା
ଭୁବନେଶ୍ବର : ବିକ୍ରି ପାଇଁ ଧାନ କଟା ସରିଲାଣି କିନ୍ତୁ ହାତରେ ଟୋକନ ନାହିଁ। ପାଖରେ ଟୋକନ ଅଛି ଅଥଚ ଅବଧି ସମାପ୍ତ ହେବାରୁ ଧାନ ବିକ୍ରି ହୋଇ ପାରିଲା ନାହିଁ। ଧାନ ସଂଗ୍ରହରେ ଟୋକନ ନେଇ ଏଭଳି ସମସ୍ୟା ଏବେ ଚାଷୀଙ୍କୁ ଚିନ୍ତାରେ ପକାଇଛି। ଚଳିତ ରବି ଧାନ ସଂଗ୍ରହରେ ସମ୍ବଲପୁର, ବରଗଡ଼, କୋରାପୁଟ, ପୁରୀ, ମୟୂରଭଞ୍ଜ ସବୁଠି ଏଭଳି ସମସ୍ୟା ମୁଣ୍ଡ ଟେକିଛି। କଟକ ଜିଲ୍ଲାରେ ସ୍ଥିତି ଆହୁରି ଜଟିଳ। ନିଆଳି ବ୍ଲକ ରାଣୀଓଳା ସମବାୟ ସମିତିରେ କ୍ବିଣ୍ଟାଲ ପିଛା ୧୫୦ ଟଙ୍କା ଦେଇ ପଛରେ ଟୋକନ ପାଇଥିବା ବ୍ୟବସାୟୀଙ୍କ ଧାନ ଆଗ ବିକ୍ରି ପାଇଁ ଅନୁମତି ଦିଆଯାଇଛି। ଫଳରେ ପ୍ରକୃତ ଚାଷୀଙ୍କୁ ବାଦ ଦିଆଯାଉଥିବା ନେଇ ଗୁରୁତର ଅଭିଯୋଗ ହୋଇଛି। ଏସଂକ୍ରାନ୍ତରେ ତଦନ୍ତ ସହିତ ୭ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ପାଇଁ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କଟକ ଡିଆରସିଏସଙ୍କୁ ନିର୍ଦେଶ ଦେଇଛନ୍ତି।
ଚଳିତ ରବିରେ ମାତ୍ର ୧୭ ଜିଲ୍ଲାରୁ ପ୍ରଥମ ପର୍ଯ୍ୟାୟରେ ୨୪ ଲକ୍ଷ କ୍ବିଣ୍ଟାଲ ଧାନ ସଂଗ୍ରହ ଲକ୍ଷ୍ୟ ରଖାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୩୬ ହଜାର ୩୯୬ ଚାଷୀଙ୍କ ଠାରୁ ୨୫ ଲକ୍ଷ ୪୭ ହଜାର କ୍ବିଣ୍ଟାଲ ଧାନ ସଂଗ୍ରହ ହୋଇଛି। ଚଳିତ ବର୍ଷ ଟୋକନ ଅବଧି ୧୫ରୁ ୨୫ ଦିନକୁ ବୃଦ୍ଧି ପାଇଛି। ତେଣୁ ଆଶା କରାଯାଉଥିଲା ଟୋକନ ସମସ୍ୟା ହେବ ନାହିଁ। ମାତ୍ର ସବୁଠି ଟୋକନ ପାଇଁ ଚାଷୀ ରାଜରାସ୍ତାରେ ଛିଡ଼ା ହେଲାଣି। ସର୍ବାଧିକ ଧାନ ସଂଗ୍ରହ ହୋଇଥିବା ବରଗଡ଼ ସ୍ଥିତି ସର୍ବାଧିକ ଜଟିଳ ହୋଇଛି। ଏଠାରେ ୨୪ ହଜାର ୧୩୭ ଚାଷୀ ୧୬ ଲକ୍ଷ ୬୫ ହଜାର କ୍ବିଣ୍ଟାଲ ଧାନ ବିକ୍ରୟ କରିଛନ୍ତି। ଜୟ କିଷାନ କୃଷକ ସଙ୍ଗଠନର ଅଭିଯୋଗ ଅନୁସାରେ, ଅନେକ ଧାନ ବର୍ତ୍ତମାନ ମଧ୍ୟ କ୍ଷେତ ଏବଂ ଖଳାରେ ରହିଛି। କିଛି ଦିନ ହେଲା ଲଗାତାର ଅଦିନିଆ ବର୍ଷା ଏବଂ କାଳବୈଶାଖୀ ଚାଷୀ ଚିନ୍ତା ବଢ଼ାଇଛି। ଆଗାମୀ ୨-୩ ଦିନ ଏଭଳି ଲାଗି ରହିଲେ ଧାନ ନଷ୍ଟ ହେବା ନିଶ୍ଚିତ। ସାଧାରଣତଃ ୧୦୦ ମିଲିମିଟର ବର୍ଷାରେ ଫସଲ ନଷ୍ଟ ହେଲେହିଁ ଇନପୁଟ ସବସିଡି ମିଳେ। ଏଠାରେ ୧ ମିଲିମିଟର ବର୍ଷା ହେଉଛି କିନ୍ତୁ ଧାନ ନଷ୍ଟ କରୁଛି।
/sambad/media/post_attachments/wp-content/uploads/2022/01/paddy-2-300x164.jpg)
ଅପରପକ୍ଷରେ ମଣ୍ଡିରେ ଧାନ ସଂଗ୍ରହ ମନ୍ଥର ଗତିରେ ଚାଲିଛି। ଏଥିଯୋଗୁଁ ନୂତନ ଧାନ ଆସି ପାରୁ ନାହିଁ। ଜମି ଅନୁସାରେ, ଟୋକନରେ ଧାନ ପରିମାଣ କମ ରହିଥିବା ନେଇ ଅନେକ ଚାଷୀ ଅଭିଯୋଗ କରୁଛନ୍ତି। ସମ୍ବଲପୁର କୃଷକ ସଙ୍ଗଠନ କହିଛି ଯେ ୩୯୬୨ ଶହ ଚାଷୀଙ୍କ ଠାରୁ ୩ ଲକ୍ଷ ୩୫ ହଜାର କ୍ବିଣ୍ଟାଲ ଧାନ ସଂଗ୍ରହ ହୋଇଛି। ଏଠାରେ ମଧ୍ୟ କାଳବୈଶାଖୀ ଏବଂ ଅଦିନିଆ ବର୍ଷା ଚିନ୍ତା ଚାଷୀଙ୍କୁ ଘାରିଛି। ଯେଉଁ ଚାଷୀ ବିକ୍ରି ପାଇଁ ଧାନ କାଟିଲେଣି ତାଙ୍କ ଟୋକନ ଆସିନାହିଁ ଯାହାର ଧାନ ହୋଇ ନାହିଁ ତାଙ୍କର ଟୋକନ ଆସିଯାଇଛି। ଏଥିଯୋଗୁଁ ଚାଷୀ ଆନ୍ଦୋଳନ ମଧ୍ୟ କରିଥିଲେ। କଳାହାଣ୍ଡି ଜିଲ୍ଲାରେ ଇନ୍ଦ୍ରାବତୀ ଜଳଭଣ୍ଡାରର ଡାହାଣପାର୍ଶ୍ବର ମୁଖ୍ୟ କେନାଲ ମରାମତି କରାଯାଉଥିବାରୁ ଚଳିତ ବର୍ଷ ଉତ୍ପାଦନ ହ୍ରାସ ପାଇଛି। ମାତ୍ର ୧୭ ହଜାର ଚାଷୀ ପଞ୍ଜୀକରଣ କରିଛନ୍ତି। ଏଠାରେ ୫୨୦ ଚାଷୀଙ୍କ ଠାରୁ ୪୦ ହଜାର ୧୫୮ କ୍ବିଣ୍ଟାଲ ଧାନ ସଂଗ୍ରହ କରାଯାଇଛି। ଏଠାରେ ବର୍ତ୍ତମାନ ପର୍ଯ୍ୟନ୍ତ ମିଲର୍ସ ଟ୍ୟାଗିଂ ମଧ୍ୟ ହୋଇନାହିଁ। ପୁରୀରେ ୧୪୫୮ଚାଷୀଙ୍କ ଠାରୁ ୫୯ ହଜାର ୨୨୯ କ୍ବିଣ୍ଟାଲ ଧାନ ସଂଗ୍ରହ ହୋଇଛି। ଖରିଫ ଭଳି ରବିରେ ବର୍ତ୍ତମାନ ଠାରୁ କଟନିଛଟନି ହେଲାଣି। କ୍ବିଣ୍ଟାଲରେ ୧୦ କିଲୋ ଧାନ କାଟି ଦେଉଥିବା ଅଭିଯୋଗ ହେଉଛି। ମୟୂରଭଞ୍ଜରେ ୨୮୫ ଚାଷୀଙ୍କ ଠାରୁ ୧୦୮୦୪ କ୍ବିଣ୍ଟାଲ ଧାନ ସଂଗ୍ରହ ହୋଇଛି। ବେତନଟି, ଉଦଳା, ବୈଶିଙ୍ଗା, କପ୍ତିପଦାରେ ଚାଷୀ ଟୋକନ ସମସ୍ୟାର ସମ୍ମୁଖୀନ ହୋଇଥିବା ନେଇ ମୟୂରଭଞ୍ଜ ନବନିର୍ମାଣ କୃଷକ ସଙ୍ଗଠନ ଅଭିଯୋଗ କରିଛି। କୋରାପୁଟରେ ୨୭ ତାରିଖ ମଣ୍ଡି ଖୋଲିବାକୁ ଥିଲା ମାତ୍ର ତାହା ଘୁଞ୍ଚାଇ ଦିଆଯାଇଛି।
ଉଲ୍ଲେଖଥାଉକି, ଧାନ ସଂଗ୍ରହର ପ୍ରକୃତ ଲାଭ ଚାଷୀ ପାଇବା ପାଇଁ ଭୁବନେଶ୍ବରରୁ ଟୋକନ ଜାରି ହେଲା। କିନ୍ତୁ ଏଥିରେ ମଧ୍ୟ ସେହି ଅବସ୍ଥା ହେଉଥିବା ନେଇ ଅଭିଯୋଗ ହେଉଛି। କଟକର ରାଣୀଓଳାରେ ବ୍ୟବସାୟୀଙ୍କୁ ଧାନ ବିକ୍ରି ପାଇଁ ଗୁରୁତ୍ବ ଦିଆଯାଏ। ଏଥିପାଇଁ ରାତି ୧୨ଟା ପରେ ଆଇସ୍କାନ କରାଯାଇ ମିଲକୁ ପଠାଯାଉଥିବା ଅଭିଯୋଗର ସତ୍ୟତା କଟକ ଡିଆରସିଏସଙ୍କ ତଦନ୍ତ ପରେ ସ୍ପଷ୍ଟ ହୋଇପାରିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/paddy-2.jpg)