ଘଡ଼ିଆଳ ପ୍ରଜନନରେ ବିଭ୍ରାଟ: ସାତକୋଶିଆ: ସମୟ ଗଡ଼ିଲା, ଏଯାବତ୍‌ ଛୁଆ ବାହାରିଲେ ନାହିଁ

ଅନୁଗୁଳ, (ବିକାଶ ଚନ୍ଦ୍ର ସାହୁ): କୋଭିଡ୍ ବେଳାରେ ସାରା ବିଶ୍ବ ଯେତେବେଳେ ଲକ୍‌ ଡାଉନ୍‌, ସଟ୍‌ଡାଉନ୍‌ ଦେଇ ଗତି କରୁଥିଲା, ସେତେବେଳେ ସାତକୋଶିଆ ଗଣ୍ଡରୁ ଆସିଥିଲା ଖୁସି ଖବର। ଦୀର୍ଘ ୪୦ବର୍ଷର ବ୍ୟବଧାନରେ ସାତକୋଶିଆର ପ୍ରକୃତି କୋଳରେ ଅଣ୍ଡାରୁ ଛୁଆ ଫୁଟାଇଥିଲେ ବିଲୁପ୍ତପ୍ରାୟ ଘଡ଼ିଆଳ କୁମ୍ଭୀର। ଏହି ପ୍ରଜନନ ଲଗାତାର ଗଲା ଦୁଇ ବର୍ଷ ହେଲା ସୁରୁଖୁରୁରେ ଚାଲି ଆସୁଥିଲା। ତୃତୀୟ ବର୍ଷ ବେଳକୁ ଏଥିରେ ବିଭ୍ରାଟ ଆରମ୍ଭ ହୋଇଛି। ଚଳିତ କୁମ୍ଭୀର ପ୍ରଜନନ ଋତୁରେ ଏଥର ମା ଘଡ଼ିଆଳ ସାତକୋଶିଆ ଗଣ୍ଡ ବାଲିରେ ଅଣ୍ଡା ଦେଇଛି ସତ, କିନ୍ତୁ ଏଯାବତ୍‌ ସେଥିରୁ ଛୁଆ ଫୁଟି ପାରିନାହିଁ। ନିର୍ଦ୍ଧାରିତ ସମୟଠାରୁ କୁମ୍ଭୀର ପ୍ରଜନନର ବେଳ ଇତିମଧ୍ୟରେ ଗଡ଼ିଗଲାଣି। କାହିଁକି ଏଯାବତ୍‌ ଘଡ଼ିଆଳ ଛୁଆରୁ ଅଣ୍ଡା ଫୁଟାଇ ନାହିଁ, ତାହାକୁ ନେଇ ସାତକୋଶିଆ କର୍ତୃପକ୍ଷଙ୍କର ଅକଲ୍‌ ଗୁଡୁମ୍‌ ହୋଇଗଲାଣି।

ସୂଚନା ମୁତାବକ, ସାତକୋଶିଆରୁ ଏହି ଖୁସି ଖବର ଆସିଥିଲା ୨୦୨୧ମସିହାରୁ। ଦୀର୍ଘ ପ୍ରାୟ ୪୦ବର୍ଷ ପରେ ଓଡ଼ିଶା ପ୍ରଥମ ଥର ପାଇଁ ପ୍ରାକୃତିକ ଉପାୟରେ ଘଡ଼ିଆଳ ପ୍ରଜନନକୁ ଦେଖିବାକୁ ପାଇଥିଲା। ଗୋଟିଏ ଘଡ଼ିଆଳ କୁମ୍ଭୀର ଏକକାଳୀନ ୨୮ଟି ଶାବକଙ୍କୁ ଜନ୍ମ ଦେଇଥିଲା। ଯେହେତୁ, ଘଡ଼ିଆଳ ହେଉଛି ଏକ ବିଲୁପ୍ତପ୍ରାୟ ପ୍ରାଣୀ ହିସାବରେ ଗଣା। ତେଣୁ, ଏହାର ବଂଶ ବୁଡ଼ି ଯାଉଥିବା ବେଳେ ହଠାତ୍‌ ଶାବକ ଜନ୍ମ କେବଳ ସାତକୋଶିଆ କର୍ତୃପକ୍ଷଙ୍କୁ ନୁହେଁ, ବରଂ ଓଡ଼ିଶା ସରକାରଙ୍କୁ ବି ଖୁସି କରାଇ ଦେଇଥିଲା। ଖୁସିରେ ମୁଖ୍ୟମନ୍ତ୍ରୀ ଏ ଖବରକୁ ଟୁଇଟ୍ କରି ମଧ୍ୟ ଜଣାଇଥିଲା। ଗଲାବର୍ଷ ଘଟଣାର ପୁନରାବୃତ୍ତି ହେଲା। ସେହି ମା ଘଡ଼ିଆଳ ଦ୍ବିତୀୟ ଥରରେ ଆହୁରି ଅଧିକ ଅଣ୍ଡା ଫୁଟାଇଥିଲା।

ମୋଟ୍ ଉପରେ ସାତକୋଶିଆ ଗଣ୍ଡରେ ଗଲାବର୍ଷ ୩୩ଟି ଛୁଆଙ୍କୁ ଜନ୍ମ ଦେଇଥିଲା। ଚଳିତବର୍ଷ ତୃତୀୟ ଥରରେ ପ୍ରକୃତିରେ ଘଡ଼ିଆଳ ପ୍ରଜନନ କଣ ହେବ ତାହାକୁ ନେଇ ସାତକୋଶିଆ କର୍ତୃପକ୍ଷ ଦ୍ବନ୍ଦ୍ବରେ ପଡ଼ିଥିବା ବେଳେ ଦୁଇ ମାସ ତଳେ ମା ଘଡ଼ିଆଳ ଅଣ୍ଡା ଦେବା ପାଇଁ ମହାନଦୀ ବାଲିରେ ନିଜର ବସା ଆରମ୍ଭ କରିଥିଲା। ସେହି ବସାକୁ ବାରମ୍ବାର ଯିବା ଆସିବା କରୁଥିଲା। ତେଣୁ, କୁମ୍ଭୀରର ଏ ପ୍ରକାର ଯାତାୟାତରୁ ଏଥର ଘଡ଼ିଆଳ ଅଣ୍ଡା ଦେଇଛି ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଥିଲା। ଘଡ଼ିଆଳର ବସା ଏବଂ ତାର ଗତିବିଧିର ଅନୁଧ୍ୟାନ ପାଇଁ ତା ନିକଟବର୍ତ୍ତୀ ଅଞ୍ଚଳରେ କ୍ୟାମେରା ଖଞ୍ଜିଥିଲା ବିଭାଗ।

ଏଥର ବି ଅଣ୍ଡା ଫୁଟିବ। କ୍ରମାନ୍ବୟରେ ତୃତୀୟ ବର୍ଷ ପାଇଁ ସାତକୋଶିଆ ଗଣ୍ଡରେ ଘଡ଼ିଆଳ ଶାବକ ଖେଳିବେ ବୋଲି ସ୍ବପ୍ନ ଦେଖି ସାରିଥିଲା। କିନ୍ତୁ, ସାତକୋଶିଆ କର୍ତୃପକ୍ଷଙ୍କ ଖୁସି ପାଣି ଫୋଟକା ଭଳି ହୋଇଯାଇଛି। ଅଣ୍ଡା ଦେବାଠାରୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଛୁଆ ବାହାରି ଆସିବା କଥା। ବନ ବିଭାଗର ଆକଳନ ମୁତାବକ, ଗଲା ସପ୍ତାହରୁ ସାତକୋଶିଆ ଗଣ୍ଡରେ ଶାବକ ଖେଳିବା କଥା। କିନ୍ତୁ, ଏଯାବତ୍‌ ସେଥିରେ ସାଙ୍ଘାତିକ ବ୍ୟତିକ୍ରମ ଉପୁଜିଛି। ଅଣ୍ଡା ଫୁଟି ଶାବକ ଏଯାବତ୍‌ କାହିଁକି ବାହାରି ନାହାନ୍ତି ତାହା ସାତକୋଶିଆ କର୍ତୃପକ୍ଷଙ୍କର ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଏ ସମ୍ପର୍କରେ ସାତକୋଶିଆ ଡିଏଫ୍‌ଓ ଡ. ସରୋଜ କୁମାର ପଣ୍ଡାଙ୍କ କହିବା ମୁତାବକ, ବର୍ତ୍ତମାନ ସୁଦ୍ଧା ଅଣ୍ଡା ଫୁଟି ଛୁଆ ବାହାରିଯିବା କଥା। କାହିଁକି ସେଥିରେ ବିଳମ୍ବ ହୋଇଛି, ଆମେ ମଧ୍ୟ ଦ୍ବନ୍ଦ୍ବରେ ଅଛୁ। କୁମ୍ଭୀର ଅଣ୍ଡା ଦେଇଥିବା ଅଞ୍ଚଳରେ କ୍ୟାମେରା ଖଞ୍ଜା ହୋଇଛି। ଲୋକଙ୍କୁ ବି ଜଗାଯାଇଛି। ମା ଘଡ଼ିଆଳର ଗତିବିଧି ଉପରେ ବି ନଜର ରଖାଯାଇଛି। ଅଣ୍ଡା ଫୁଟିବା ପାଇଁ ତଥାପି ଆମେ ଆଉ କିଛି ଦିନ ଆମେ ଅପେକ୍ଷା କରିଛୁ ବୋଲି ଡିଏଫ୍‌ଓ ଡ. ପଣ୍ଡା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର