ପିଡିଏସ ସାମଗ୍ରୀ ବଣ୍ଟନରେ ବିଭ୍ରାଟ, ବିଡିଓଙ୍କୁ ଘେରିଲେ ମହିଳା

ଆନନ୍ଦପୁର: ଘସିପୁରା ବ୍ଲକ୍‌ର ବିଭିନ୍ନ ପଞ୍ଚାୟତରେ ପିଡିଏସ୍‌ ସାମଗ୍ରୀ ବଣ୍ଟନକୁ ନେଇ ବିଭ୍ରାଟ ଲାଗି ରହିଛି। ରାଜ୍ୟ ସରକାର ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ପିଡିଏସ୍ ସାମଗ୍ରୀ ବଣ୍ଟନ ଦାୟିତ୍ବ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଘସିପୁରାରେ ବ୍ଲକ୍‌ରେ ସେମାନଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ଆଜି ମହିଳାମାନେ ବିଡିଓ ଅସିତ ମହାନ୍ତିଙ୍କୁ ଘେରାଉ କରିଛନ୍ତି। ମହିଳାଙ୍କୁ ଦବାଇବା ପାଇଁ ବିଡିଓ ପୁଲିସର ସାହାରା ନେଇଛନ୍ତି। ତେବେ କରଜ କରି ଟଙ୍କା ଜମା କରିଥିବା ମହିଳାମାନେ ବିଡିଓଙ୍କୁ ଘେରାଉ କରିବା ସହ ସେମାନଙ୍କୁ ପିଡିଏସ୍‌ ସାମଗ୍ରୀ ବଣ୍ଟନ ପାଇଁ ଅନୁମତି ପ୍ରଦାନ କରିବାକୁ ଅଡ଼ି ବସିଥିଲେ। ବିଡିଓ ଏଥିପାଇଁ ସପ୍ତାହେ ସମୟ ମାଗିଥିବା ଜଣାପଡ଼ିଛି।

ଘସିପୁରା ବ୍ଲକ୍‌ର ଖାଳିଆମେଣ୍ଟା, ଦେଓଗାଁ, ଅଳତି ପଞ୍ଚାୟତରେ ଏସ୍‌ଏଚ୍‌ଜି ମହିଳାମାନେ ପିଡିଏସ୍ ସାମଗ୍ରୀ ବଣ୍ଟନ ପାଇଁ ଟଙ୍କା ଜମା କରିଥିବା ବେଳେ ସେମାନଙ୍କୁ ଜାଣିଶୁଣି ଦିଆଯାଉନି। ଆଜିକାଲି କହି ବିଡିଓ ସମୟ ଗଡ଼ାଉଛନ୍ତି। ଚାଲିଥିବା ଏନେଇ ମହିଳାମାନେ ଗତ ୨୦ ତାରିଖରେ ଜିଲ୍ଲାପାଳ ଆଶିଷ ଠାକ୍‌ରେଙ୍କୁ ଭେଟି ଅଭିଯୋଗ କରିଥିଲେ।

ଦେଓଗାଁ ପଞ୍ଚାୟତ କୁଶଳେଶ୍ବର ଏସ୍ଏଚ୍‌ଜି ପକ୍ଷରୁ ପୂର୍ବତନ ସରପଞ୍ଚ ଅଶାନ୍ତି ବଳ, ସଦସ୍ୟା ବୀଣାପାଣି ଦାସ, କଳ୍ପନା ବଳ, ଅଂଜଳି ବଳ, କାଞ୍ଚନ ସାହୁ, ଅବନ୍ତୀ ବଳ, ପାର୍ବତୀ ରାଉତ, ଦମୟନ୍ତୀ ସାହୁ, କୁନିଲତା ସାହୁ, ମଞ୍ଜୁଲତା ସାହୁ, ଜୟନ୍ତୀ ବଳ ପ୍ରମୁଖ ଜିଲ୍ଲପାଳଙ୍କୁ ଭେଟି ବ୍ଲକ୍‌ ପକ୍ଷରୁ କରାଯାଉଥିବା ଅସହଯୋଗ ସମ୍ପର୍କରେ ଜଣାଇଛନ୍ତି। କୁଶଳେଶ୍ବର ଏସ୍ଏଚ୍‌ଜି ପକ୍ଷରୁ ଜୁଲାଇ ୨୧ରେ ଜିଲ୍ଲାପାଳଙ୍କ ନିର୍ଦେଶ ଅନୁସାରେ ପିଡିଏସ୍‌ ସାମଗ୍ରୀ ବଣ୍ଟନ ପାଇଁ ୩ ଲକ୍ଷ ୮୧ ହଜାର ଦୁଇଶହ ଟଙ୍କା ଜମା କରିଥିଲେ। ମେସିନ୍ ଓ ଲାଇସେନ୍ସ ପାଇଁ ଅଲଗା ଟଙ୍କା ଜମା କରାଯାଇଥିଲା। ଉପଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ସେମାନଙ୍କୁ ଯେଗାଣ ବିଭାଗ ପକ୍ଷରୁ ମେସିନ୍ ପ୍ରଦାନ କରାଯାଇଛି। ବ୍ଲକ‌୍ ପକ୍ଷରୁ ଅନୁମତି ପ୍ରଦାନ କରାଯାଉ ନଥିବାରୁ ସେମାନେ ପିଡିଏସ୍‌ ସାମଗ୍ରୀ ବଣ୍ଟନ କରିପାରୁ ନାହାନ୍ତି। ଦେଓଗାଁ ପଞ୍ଚାୟତରେ ତରୀମୂଳ ପଞ୍ଚାୟତର ଏକ ଏସ୍ଏଚ୍‌ଜି ଦ୍ବାରା ପିଡିଏସ୍ ସାମଗ୍ରୀ ବଣ୍ଟନ ହେଉଥିବା ଅଭିଯୋଗ ହୋଇଛି। ଜିଲ୍ଲାପାଳ ତୁରନ୍ତ ଏଥିପ୍ରତି ଦୃଷ୍ଟି ନଦେଲେ ମହିଳାମାନେ ବାଧ୍ୟ ହୋଇ ବ୍ଲକ୍‌ ସମ୍ମୁଖରେ ଧାରଣାରେ ବସିବେ ବ‌ୋଲି ଚେତାବନୀ ଦେଇଛନ୍ତି।

ଖାଳିଆମେଣ୍ଟା ପଞ୍ଚାୟତରେ ମଧ୍ୟ ସମାନ ସମସ୍ୟା ସୃଷ୍ଟି ହୋଇଥିବା ସରପଞ୍ଚ ବୃନ୍ଦାବନ ଜେନା ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିଛନ୍ତି। ଏହି ପଞ୍ଚାୟତର ଲୁଣିଖିଆ ଏସ୍ଏଚ୍‌ଜି ପକ୍ଷରୁ ପିଡିଏସ୍‌ ସାମଗ୍ରୀ ବଣ୍ଟନ ପାଇଁ ଜୁଲାଇ ୩୦ରେ ୬ ଲକ୍ଷ ୧୫ ହଜାର ଟଙ୍କା ଜମା କରାଯାଇଛି। ଆନନ୍ଦପୁର ଉପଜିଲ୍ଲାପାଳ ତୁରନ୍ତ ଏହି ଗ୍ରୁପ୍‌କୁ ଟ୍ୟାଗିଂ କରିବାକୁ ନିର୍ଦେଶ ଦେଇଥିଲେ ମଧ୍ୟ ବିଡିଓ ଉଦ୍ଦେଶ୍ୟମୂଳକ ଭାବେ ଆଜିକାଲି କହି ସମୟ ଗଡ଼ାଇ ଚାଲିଥିବା ସରପଞ୍ଚ ଶ୍ରୀ ଜେନା ଅଭିଯୋଗ କରିଥିଲେ। ଏନେଇ ବ୍ଲକ୍‌ ଯୋଗାଣ ନିରୀକ୍ଷକ ବନମାଳୀ ନାହାକଙ୍କୁ ପଚାରିବାରୁ, ସେ ଏନେଇ କିଛି କହିପାରିବେ ନାହିଁ ବୋଲି କହିଛନ୍ତି।

ବିଡିଓଙ୍କ କାମରେ ଅତିଷ୍ଠ ହୋଇ ଆଜି ଦେଓଗାଁ, ଖାଳିଆମେଣ୍ଟାର ୧୫ରୁ ଊର୍ଦ୍ଧ୍ବ ମହିଳା ଆଜି ଦିନ ସାଢ଼େ ୧୧ଟାବେଳେ ବିଡିଓଙ୍କ କାର୍ଯ୍ୟାଳୟ ମଧ୍ୟକୁ ଧସେଇ ପଶିଥିଲେ। ମହିଳାଙ୍କ ଆସିବା ଜାଣି ବିଡିଓ ଆଗୁଆ ଘସିପୁରା ପୁଲିସକୁ ଜଣାଇଥିଲେ। ଥାନା ଅଧିକାରୀ ବିକ୍ରମ କୁମାର ଭୂୟାଁ ନେତୃତ୍ବରେ ପୁଲିସ ଫୋର୍ସ ମୁତୟନ ହୋଇଥିଲେ। ତୁରନ୍ତ ସେମାନଙ୍କୁ ପିଏଡିଏସ୍‌ ସାମଗ୍ରୀ ବଣ୍ଟନ ପାଇଁ ଅନୁମତି ପ୍ରଦାନ କରିବାକୁ ମହିଳା ଅଡି ବସିଥିଲେ। ସପ୍ତାହେ ମଧ୍ୟରେ ସମସ୍ୟାର ସମାଧାନ ହୋଇଯିବ ବୋଲି ବିଡିଓ ପ୍ରତିଶ୍ରୁତି ଦେଇଛନ୍ତି। ବିଡିଓଙ୍କ ପ୍ରତିଶ୍ରୁତି ଦେବାପରେ ମହିଳାମାନେ ଘରକୁ ଫେରିଛନ୍ତି। ସପ୍ତାହେ ମଧ୍ୟରେ ସେମାନଙ୍କୁ ପିଡିଏସ୍‌ ବଣ୍ଟନ ଦାୟିତ୍ବ ନ ମିଳିଲେ ପୁଣଇ ବିଡିଓଙ୍କୁ ଘେରାଉ କରାଯିବ ବୋଲି ଚେତାବନୀ ମହିଳାମାନେ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର