ବନ୍ତ: ବନ୍ତ ବ୍ଲକ୍ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତର ୩ଟି ୱାର୍ଡରେ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀମାନଙ୍କୁ ରାସନ ସାମଗ୍ରୀ ବଣ୍ଟନରେ ଅବହେଳା ପ୍ରତିବାଦରେ ହିତାଧିକାରୀମାନେ ବନ୍ତ–ବାରିକପୁର ରାସ୍ତାର ଗୋବିନ୍ଦପୁର ବଜାରରେ ଆଜି ରାସ୍ତା ଅବରୋଧ କରିଥିଲେ।
ଉକ୍ତ ପଞ୍ଚାୟତର ୮, ୯, ୧୦ ନଂ ୱାର୍ଡରେ ରାସନ ସାମଗ୍ରୀ ବଣ୍ଟନ ଦାୟିତ୍ବରେ ଥିବା ରିଟେଲର ଦୋଳଗୋବିନ୍ଦ ନାୟକ ଠିକ୍ ସମୟରେ ରାସନ ସାମଗ୍ରୀ ବଣ୍ଟନ କରୁନଥିବା ଯୋଗୁଁ ୩ଟି ଯାକ ୱାର୍ଡର ୧୯୭ଜଣ ହିତାଧିକାରୀ ଉପରୋକ୍ତ ରିଟେଲରଙ୍କ ଠାରୁ ରାସନ ସାମଗ୍ରୀ ନେବାକୁ ଅନିଚ୍ଛା ପ୍ରକାଶ କରି ବିଡିଓଙ୍କ ନିକଟରେ ଅଭିଯୋଗ କରିଥିଲେ। ବିଡିଓ ଉକ୍ତ ପଞ୍ଚାୟତର ଅଣ୍ଢିଆ ଗ୍ରାମର ରିଟେଲର ଶାନ୍ତିଲତା ନାୟକଙ୍କ ଖାତାରେ ଅଭିଯୋଗକାରୀମାନଙ୍କ ନାମ ସଂଯୋଗ କରିବା ନିମନ୍ତେ ବ୍ଲକ୍ ଯୋଗାଣ ଅଧିକାରୀଙ୍କୁ ନିେର୍ଦ୍ଦଶ ଦେଇଥିଲେ। ଫଳରେ ଚଳିତ ମାସର ରାସନ ସାମଗ୍ରୀ ଶାନ୍ତିଲତା ନାୟକଙ୍କ ପାଖକୁ ଯାଇଥିଲା। ରାସନ ସାମଗ୍ରୀ ରଖିବା ନିମନ୍ତେ ରିଟେଲଙ୍କର ଆବଶ୍ୟକୀୟ ଗୋଦାମ ଗୃହର ସୁବିଧା ନଥିବା ଯୋଗୁଁ ପଞ୍ଚାୟତ କାର୍ଯ୍ୟାଳୟରେ ଏକ ଘର ଯୋଗାଇ ଦେବା ପାଇଁ ବିଡିଓଙ୍କୁ ଜଣାଇଥିଲେ। ସେହିପରି ହିତାଧିକାରୀମାନେ ପଞ୍ଚାୟତ ସଦର ମହକୁମାରେ ରାସନ ସାମଗ୍ରୀ ଯୋଗାଇ ଦେବା ନିମନ୍ତେ ଲିଖିତ ଭାବେ ଜଣାଇଥିଲେ। ମାତ୍ର ବିଡିଓ ଏବେ ବି କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ବେଳେ ୩କିମି ଦୂର ଅଣ୍ଢିଆ ଗ୍ରାମକୁ ଯାଇ ରାସନ ସାମଗ୍ରୀ ଆଣିବା ହିତାଧିକାରୀଙ୍କ ପକ୍ଷେ ସମ୍ଭବ ନହେବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଥିଲା।
ଫଳରେ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ସମାଜସେବୀ ଭବେନ୍ଦ୍ର କୁମାର ସାହୁ, ପ୍ରାକ୍ତନ ସମିତି ସଭ୍ୟ ରବୀନ୍ଦ୍ରନାଥ ଧଳ, ସମିତି ସଭ୍ୟା ନୀଳିମା ଖଟୁଆ, ଡାକ୍ତର ପ୍ରଶାନ୍ତ ଖଟୁଆଙ୍କ ନେତୃତ୍ବରେ ହିତାଧିକାରୀମାନେ ଆଜି ଗୋବିନ୍ଦପୁର ବଜାରରେ ବନ୍ତ-ବାରିକପୁର ରାସ୍ତାକୁ ଅବରୋଧ କରିଥିଲେ। ଖବରପାଇ ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ଶରତ ବେହେରା, ଏବିଇଓ ନିଶିକାନ୍ତ ଖୁଣ୍ଟିଆ, ବ୍ଲକ୍ ଯୋଗାଣ ଅଧିକାରୀ ଅନୁଜ ସାହୁ, ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନ, କେନ୍ଦୁଆପଦା ଫାଣ୍ତି ଅଧିକାରୀ କ୍ଷୀରୋଦ କୁମାର ପରିଡ଼ା ଆନ୍ଦୋଳନକାରୀମାନଙ୍କ ସହ ଆଲୋଚନା କରିବା ପରେ ସମସ୍ୟାର ସମାଧାନ ପାଇଁ ଆସନ୍ତାକାଲିଠାରୁ ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚଙ୍କ ଉପସ୍ଥିତିରେ ରାସନ ସାମଗ୍ରୀ ବଣ୍ଟନ କରିବାକୁ ରିଟେଲରଙ୍କୁ ନିେର୍ଦ୍ଦଶ ଦେଇଥିଲେ।